ଜାଣନ୍ତୁ ମହାପ୍ରଭୁଙ୍କ ପାଇଁ କେଉଁଠୁ ଆସେ ପଢୁଆଁ ଭାର
Advertisement

ଜାଣନ୍ତୁ ମହାପ୍ରଭୁଙ୍କ ପାଇଁ କେଉଁଠୁ ଆସେ ପଢୁଆଁ ଭାର

ପ୍ରଥମାଷ୍ଟମୀରେ ମାମୁଁଘରୁ ନୂଆ ବସ୍ତ୍ର ଆସିବା ପରେ ତାହାକୁ ପରିଧାନ କରନ୍ତି ସମସ୍ତେ

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଆଜି ପ୍ରଥମା ଅଷ୍ଟମୀ । ନୂଆ ବସ୍ତ୍ର ପରିଧାନ କରିବେ ପ୍ରଭୁ ଶ୍ରୀ ବଳଭଦ୍ର, ଜଗନ୍ନାଥ ଓ ଭଉଣୀ ସୁଭଦ୍ରା । ପ୍ରଥମାଷ୍ଟମୀରେ ମାମୁଁଘରୁ ନୂଆ ବସ୍ତ୍ର ଆସିବା ପରେ ତାହାକୁ ପରିଧାନ କରନ୍ତି ଉଭୟ ଭକ୍ତ ଓ ଭଗବାନ । ପ୍ରଥମାଷ୍ଟମୀରେ ଘରର ବଡ଼ ବା ପ୍ରଥମ ସନ୍ତାନଙ୍କୁ ପଢୂଆଁ କରାଯାଇଥାଏ । ମହାପ୍ରଭୁ ଜଗନ୍ନାଥ ପାଇଁ ମଧ୍ୟ ନିଜ ମାମୁଁଘର ନିଆଳୀର ମାଧବ ମନ୍ଦିରରୁ ଯାଇଥାଏ ନୂଆ ବସ୍ତ୍ର । ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨୨୬ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ଏହି ମାଧବ ମନ୍ଦିର ଶ୍ରୀ ଜଗନ୍ନାଥଙ୍କ ଏନ୍ତୁଡିଶାଳ ବୋଲି କୁହାଯାଏ । ପରମ୍ପରା ଅନୁସାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମା ଅଷ୍ଟମୀ ଭାର ମାମୁଁ ଘରୁ ଯିବାର ଅନାଦି କାଳରୁ ପରମ୍ପରା ରହିଛି । ଏହି ପରମ୍ପରାକୁ ଉଜ୍ଜିବିତ ରଖିବାକୁ ନିଆଳୀ, କାକଟପୁର, ନିମାପଡ଼ା, ଜଗସିଂହପୁର ଆଦି ଅଞ୍ଚଳରେ ଜଗନ୍ନାଥପ୍ରେମୀଙ୍କ ମନରେ ବେଶ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି । ଜଗନ୍ନାଥ ଧାମ ଯାତ୍ରା ପାଇଁ ମନ୍ଦିର ପରିସରରେ ବେଶ ଗହଳି ଚହଲି ଦେଖିବାକୁ ମିଳିଥିଲା ।

ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ନବବସ୍ତ୍ର ପରିଧାନ କରିବେ । ମାମୁଁ ଘରୁ ଯାଇଥିବା ଅରୁଆ ଚାଉଳ,ବିରି, ନଡିଆ, ଗୁଡ଼ ସହ ଗୋଘ୍ରୁତରେ ପ୍ରସ୍ତୁତ ସୁସ୍ୱାଦୁ ବ୍ୟଞ୍ଜନ ପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ଏହି ପୂରାତନ ପ୍ରଥାକୁ ବଞ୍ଚାଇ ରଖିବାକୁ ନିଆଳୀର ମାଧବାନନ୍ଦ ଜୀଉ ମନ୍ଦିର ଛତିଶା ସେବକ ନିଯୋଗଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ମାଧବାନନ୍ଦ ଯିଉଙ୍କ ଆଦେଶ ପରେ ସମସ୍ତ ଭାର ଧରି ଭାରୁଆ ମାନେ ଶ୍ରୀ ଜଗନ୍ନାଥଙ୍କ ନାମ ସଂକୀର୍ତ୍ତନ ଗାଇ ମାଧବ ଜିଉ ମନ୍ଦିର ପରିକ୍ରମା କରିଥିଲେ ।