ଗ୍ରୀନ ଟିକୁ ସଠିକ ଉପାୟରେ ପିଇଲେ ମିଳିବ ମ୍ୟାଜିକାଲ ସାଇଡ ଇଫେକ୍ଟ

ଜାଣନ୍ତୁ ଗ୍ରୀନ ଟି ପିଇବାର ସଠିକ ଉପାୟ

ଗ୍ରୀନ ଟିକୁ ସଠିକ ଉପାୟରେ  ପିଇଲେ ମିଳିବ ମ୍ୟାଜିକାଲ ସାଇଡ ଇଫେକ୍ଟ
ସୌଜନ୍ୟ: ସୋସିଆଲ ମିଡିଆ

ଋତୁପର୍ଣ୍ଣା ଧଳସାମନ୍ତ, ଭୁବନେଶ୍ୱର: ଏବେ ସବୁଠି ଚାଲିଛି ଗ୍ରୀନ୍ ଟି ମ୍ୟାଜିକ୍ । ସବୁଠି ଗ୍ରୀନ୍ ଟିକୁ ନେଇ ଚର୍ଚ୍ଚା । ଓଜନ ହ୍ରାସ କରିବା ପାଇଁ ଏହା ବେଶ୍ ଉପକାରୀ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଗ୍ରୀନ୍ ଟି ଶରୀର ପାଇଁ ଯେତିକି ଉପକାରୀ, ସେତିକି କ୍ଷତିକାରକ ମଧ୍ୟ । ଗ୍ରୀନ୍ ଟି ପିଇବା ସମୟରେ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଆମେ ଏହାର ଉପକାରୀ ତତ୍ୱ ପାଇପାରିବା । ତେବେ ଗ୍ରୀନ୍ ଟି ପିଇବା ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ପଢ଼ନ୍ତୁ ଏହି ରିପୋର୍ଟରେ ...

ପ୍ରଥମ କଥା ହେଲା ଦିନକୁ ୨-୩ କପରୁ ଅଧିକ ଗ୍ରୀନ ଟି ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି । ଅତି ଲେମ୍ବୁ ଚିପୁଡିଲେ ପିତା ଭଳି ଅଧିକ ଗ୍ରୀନ୍ ଟି ପିଇଲେ ଏଥିରୁ ଲାଭ ମିଳିବା ପରିବର୍ତ୍ତେ ଶରୀର ପାଇଁ ଏହା କ୍ଷତିକାରକ ହୋଇଥାଏ ।

ଖାଇ ସାରିବା ପରେ ସଙ୍ଗେସଙ୍ଗେ ଗ୍ରୀନ୍ ଟି ପିଇବା ଅନୁଚିତ୍ । କେତେକ ଲୋକ ଭାବନ୍ତି ଖାଇବା ପରେ ଗ୍ରୀନ୍ ଟି ପିଇଲେ ଶରୀରର ଫ୍ୟାଟ୍ ଓ କ୍ୟାଲୋରୀ କମ୍ ହୋଇଥାଏ । ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍ । ଖାଇବା ପରେ ଗ୍ରୀନ୍ ଟି ପିଇଲେ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ଠିକ୍ ଭାବେ ଖାଦ୍ୟ ହଜମ ହୁଏ ନାହିଁ ।

କିଛି ଲୋକ ମେଡିସିନ୍ ଖାଇବା ସମୟରେ ପାଣି ବଦଳରେ ଗ୍ରୀନ୍ ଟି ବ୍ୟବହାର କରନ୍ତି । କିନ୍ତୁ ଏହା ଶରୀର ପାଇଁ ବିଷ ସଦୃଶ କାମ କରିଥାଏ । ମେଡିସିନର କେମିକାଲ ଓ ଗ୍ରୀନ୍ ଟି ମିଶି ଶରୀରରେ ଏସିଡିଟି ସୃଷ୍ଟି କରନ୍ତି । ତେଣୁ ମେଡିସିନ୍ ଖାଇବା ବେଳେ ଗ୍ରୀନ୍ ବ୍ୟବହାର କରନ୍ତୁ ନାହିଁ ।
 
ସେହିପରି କିଛି ଲୋକଙ୍କ ବିଶ୍ୱାସ ରହିଛି ଯେ ଅଧିକ ଗରମ ଗ୍ରୀନ୍ ଟି ପିଇଲେ ଏହା ଶରୀର ପାଇଁ ଲାଭଦାୟକ । କିନ୍ତୁ ଏହା ଭୁଲ୍ । ଏହା ପେଟ ପାଇଁ କ୍ଷତିକାରକ । ତେଣୁ ଅଳ୍ପ ଉଷୁମ ଥିବା ଗ୍ରୀନ୍ ଟି ହିଁ ପିଅନ୍ତୁ ।

ଗ୍ରୀନ୍ ଟିରେ ଅଧିକାଂଶ ଲୋକ ଅଧିକ ଗରମ ଥିବା ଅବସ୍ଥାରେ ହିଁ ମହୁ ମିଶାଇ ପିଇଥାନ୍ତି । କିନ୍ତୁ ଏପରି କଲେ ମହୁର ଉପକାରୀ ଗୁଣ ନଷ୍ଟ ହୋଇଥାଏ । ତେଣୁ ଗ୍ରୀନ୍ ଟି ନଖ ଉଷୁମ ଥିବା ବେଳେ ସେଥିରେ ମହୁ ମିଶାଇ ପିଅନ୍ତୁ । ଆପଣଙ୍କୁ ଉଭୟ ଗ୍ରୀନ୍ ଟି ଓ ମହୁର ଉପକାରୀ ଗୁଣ ମିଳିବ ।

ଠିକ୍ ସମୟରେ ବିଶେଷ ଦିଗ ପ୍ରତି ଧ୍ୟାନ ଦେଇ ଗ୍ରୀନ୍ ଟି ପିଅନ୍ତୁ ଆଉ ସୁସ୍ଥ ରହନ୍ତୁ ।