କେବଳ ଭାରତ କାହିଁକି, ବିଶ୍ୱର ୮୦ରୁ ଉର୍ଦ୍ଧ୍ୱ ଦେଶରେ ଶ୍ରମିକ ଦିବସ ପାଳନ କରାଯାଉଛି ।
Trending Photos
ନୂଆଦିଲ୍ଲୀ: ପ୍ରତ୍ୟେକ ଦେଶର ବିକାଶରେ ଶ୍ରମିକମାନଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଶର ବିକାଶରେ ଲାଗିଥାନ୍ତି ଶ୍ରମିକ ଓ ଦିନ ମଜୁରିଆ । ଯେକୌଣସି ଦେଶ, ସମାଜ ଓ ଅନୁଷ୍ଠାନର ବିକାଶ କ୍ଷେତ୍ରରେ ଶ୍ରମିକଙ୍କ ଏକ ବଡ଼ ଅବଦାନ ରହିଥାଏ । ତେଣୁ ଏମାନଙ୍କୁ ମନେପକାଇବା ପାଇଁ ପ୍ରତ୍ୟେକ ବର୍ଷ ମଇ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଏହାକୁ Labour Day ଓ ମଇ ଦିବସ ବୋଲି ମଧ୍ୟ କୁହାଯାଏ । ଆଜିର ଦିନରେ ଦେଶର ଅଧିକାଂଶ କମ୍ପାନୀ ଛୁଟି ରହେ । କେବଳ ଭାରତ କାହିଁକି, ବିଶ୍ୱର ୮୦ରୁ ଉର୍ଦ୍ଧ୍ୱ ଦେଶରେ ଶ୍ରମିକ ଦିବସ ପାଳନ କରାଯାଉଛି ।
କେବେ ଶ୍ରମିକ ଦିବସ ପାଳନର ଆରମ୍ଭ ହୋଇଥିଲା ?
ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ତେବେ ଆପଣଙ୍କ ମଧ୍ୟରେ ପ୍ରଶ୍ନ ଉଠୁଥିବ, କେବେଠୁ ଏହି ଦିବସ ପାଳନ କରାଯାଉଛି ? ଅନ୍ତର୍ଜାତୀୟ ଶ୍ରମିକ ଦିବସ ୧ ମଇ ୧୮୮୬ରୁ ପାଳନ ହୋଇଆସୁଛି । ଆମେରିକାର ମଜଦୁର ୟୁନିୟନ ଶ୍ରମିକଙ୍କ କାମ କରିବାର ସମୟ ୮ ଘଣ୍ଟାରୁ ଅଧିକ ନକରିବା ପାଇଁ ଅନ୍ଦୋଳନକୁ ଓହ୍ଲାଇଥିଲା । ୟୁନିୟନର ସମସ୍ୟ ବଡ଼ ଧରଣର ହରତାଳ କରିଥିଲେ । ଏହି ସମୟରେ ଚିକାଗୋର ହେମାର୍କେଟରେ ବୋମା ବିସ୍ଫୋରଣ ହୋଇଥିଲା । ବୋମା ବିସ୍ଫୋରଣ କିଏ କରିଥିଲା, ସେକଥା କାହାକୁ ମଧ୍ୟ ଜଣାନଥିଲା । ମାତ୍ର ପ୍ରଦର୍ଶନକାରୀଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିଲା ପୋଲିସ । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନରେ ବହୁ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଏହି ଆନ୍ଦୋଳନରେ ଶହୀଦ ହୋଇଥିବା ଶ୍ରମିକଙ୍କୁ ମନେରଖିବା ପାଇଁ ପ୍ରଥମ ଥର ପାଇଁ ଶ୍ରମିକ ଦିବସ ପାଳନ କରାଗଲା ।
ଏହାପରେ ପ୍ୟାରିସରେ ୧୮୮୯ରେ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରିବାକୁ ଘୋଷଣା କରାଗଲା । ହେମାର୍କେଟରେ ହୋଇଥିବା ନରସଂଘାରରେ ମୃତ୍ୟୁବରଣ କରିଥିବା ନିର୍ଦ୍ଦୋଷ ଶ୍ରମିକଙ୍କୁ ମନେରଖିବା ପାଇଁ ଶ୍ରମିକ ଦିବସ ପାଳନ କରାଯିବାକୁ କୁହାଯାଇଥିଲା । ଏହି ଦିନ ସମସ୍ତ ଶ୍ରମିକଙ୍କ ଛୁଟି ରଖିବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା । ଆଉ ଏବେ ଭାରତ ସମେତ ବିଶ୍ୱର ୮୦ରୁ ଉର୍ଦ୍ଧ୍ୱ ଦେଶ ଶ୍ରମିକ ଦିବସ ପାଳନ କରୁଛନ୍ତି ।
ଭାରତରେ କେବେଠୁ ପାଳନ କରାଯାଇଥିଲା ଶ୍ରମିକ ଦିବସ ?
୧୯୨୩ ମସିହାରୁ ଭାରତରେ ଶ୍ରମିକ ଦିବସ ପାଳନ କରାଯାଉଛି । ଭାରତୀୟ ମଜଦୁର କିସାନ ପାର୍ଟି ନେତା କାମରେଡ ସିଙ୍ଗରାଭେଲୁ ଚେଟ୍ୟାର ଚେନ୍ନାଇରେ ଏହାକୁ ଆରମ୍ଭ କରିଥିଲେ । ମନ୍ଦ୍ରାସ ହାଇକୋର୍ଟ ସମ୍ମୁଖରେ ମଜଦୁର କିସାନ ପାର୍ଟି ଦ୍ୱାରା ବଡ଼ ଧରଣର ପ୍ରଦର୍ଶନ କରାଯାଇଥିଲା । ଦତ୍ତତ୍ରେୟ ନାରାୟଣ ସାମନ୍ତ, ଜର୍ଜ ଫର୍ଣ୍ଣାଣ୍ଡିସ ଇତ୍ୟାଦି ନେତା ଏହାର ନେତୃତ୍ୱ ନେଇଥିଲେ । ଭାରତରେ ମଧ୍ୟ ଶ୍ରମିକ ଦିବସ ପାଳନ କରିବା ସହ ଛୁଟି ରଖିବାକୁ ସଙ୍କଳ୍ପ ପାରିତ ହୋଇଥିଲା ।