ଗୋଲାପୀ ହେଲା କୋଲକାତା

ଭାରତରେ ପ୍ରଥମଥର ପାଇଁ ଗୋଲାପୀ ବଲରେ ଖେଳାଯିବାକୁ ଥିବା ଦିବାରାତ୍ର ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖେଳାଯିବାକୁ ଥିବା ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ ବାହାରେ ଏବଂ ସମ୍ପୂର୍ଣ୍ଣ କୋଲକାତା ଏବେ ଗୋପାଲୀ ରଙ୍ଗରେ ରଙ୍ଗିନ ହୋଇଥିବା ଦେଖିବାକୁ ମିଳୁଛି । ବିସିସିଆଇ ଏବଂ ବେଙ୍ଗଲ କ୍ରିକେଟ୍ ବୋର୍ଡ ତରଫରୁ ଏହି ମ୍ୟାଚକୁ ଦେଖିବାକୁ ଅଧିକରୁ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରାଇବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି ।  

ଗୋଲାପୀ ହେଲା କୋଲକାତା

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଆଉ ମାତ୍ର ତିନି ଦିନ ପରେ ଆସିଯିବ ସେଇ ମୁହୂର୍ତ୍ତ, ଯାହାକୁ ଭାରତୀୟ କ୍ରିକେଟପ୍ରେମୀ ଆପେକ୍ଷା କରି ରହିଥିଲେ । ଆଉ ଭାରତୀୟ କ୍ରିକେଟରେ ଆରମ୍ଭ ହେବ ଏକ ନୂଆ ଯୁଗ । ଭାରତ ଏହାର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । କୋଲକାତାର ଇଡେନ୍ ଗାର୍ଡେନ୍ସରେ ନଭେମ୍ବର ୨୨ରୁ ଭାରତ-ବାଂଲାଦେଶ ମଧ୍ୟରେ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି ।  ବିସିସିଆଇ ଏବଂ ବେଙ୍ଗଲ କ୍ରିକେଟ୍ ବୋର୍ଡ ତରଫରୁ ସହରକୁ ପୂରା ଗୋଲାପୀ କରିଦିଆଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମ୍ୟାଚର ଟିକେଟ୍ ଏବଂ ମାସ୍କଟ୍ 'ପିଙ୍କୁ-ଟିଙ୍କୁ'ଙ୍କ ପୋଜ୍ ଦେଇଛନ୍ତି । ମ୍ୟାଚର ଅଫିସିଆଲ୍ ମାସ୍କଟ୍ 'ପିଙ୍କୁ-ଟିଙ୍କୁ' ଏବେ ପିଲାମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି । ସେପଟେ ସହରର ଲାଣ୍ଡମାର୍କ ସ୍ପଟ୍ ଯେମିତିକି ସବୁଠାରୁ ଉଚ୍ଚତମ ଅଟ୍ଟାଳିକା ସହିଦ ମିନାରକୁ ଗୋଲାପୀ ରଙ୍ଗରେ ସଜାଯାଇଛି । କୋଲକାତା ମ୍ୟୁନିସିପାଲ୍ କର୍ପୋରେସନର କିଛି ପାର୍କରେ ମଧ୍ୟ ଚିତ୍ରକଳା କରାଯିବା ସହ ଏସବୁ ପାର୍କକୁ ମଧ୍ୟ ଗୋଲାପୀ ରଙ୍ଗରେ ଚମକାଯାଇଛି ।

ମ୍ୟାଚ୍ ଚାଲୁଥିବାବେଳେ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଏକ ବିଶାଳକାୟ ବେଲୁନ୍ ଦେଖିବାକୁ ମିଳିବ । ଗୋଲାପୀ ରଙ୍ଗର ଏହି ବେଲୁନ୍ ଏବେ ଇଡେନ୍ ଗାର୍ଡେନ୍ସରେ ପହଞ୍ଚି ସାରିଛି । ମ୍ୟାଚ୍ ବେଳେ ଏବେ ବେଲୁନ୍ ଷ୍ଟାଡିୟମର ଆକାଶରେ ଲହରାଉଥିବା ଦେଖିବାକୁ ମିଳିବ । ସେହିପରି ହୁଗୁଳି ନଦୀରେ ଗୋଲାପୀ ବଲର ପ୍ରତିକାତ୍ମକ ଥିବା ଏକ ଫେରୀ ମଧ୍ୟ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହାଉଡ଼ା ପୋଲରୁ ବିଦ୍ୟାସାଗର ସେତୁ ପର୍ଯ୍ୟନ୍ତ ଏହି ଫେରୀ ଚାଲିବ । ମ୍ୟାଚର ପ୍ରଚାର ପ୍ରସାର ପାଇଁ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ତରଫରୁ ଏହି ବନ୍ଦୋବସ୍ତ କରାଯାଇଛି ।

ସେହିପରି ସହରର ବିଭିନ୍ନ ସ୍ଥାନରେ ଲାଇଟ୍ସ ଲଗାଯାଇ ଏକ ଉତ୍ସବର ପରିବେଶ ସୃଷ୍ଟି କରାଯାଇଛି । ଏହା ସହ ଭିନ୍ନ ଭିନ୍ନ କୋଣରେ ପ୍ରାୟ ୬ଟି ଏଲଇଡି ବୋର୍ଡ ଲଗାଯାଇଛି, ଯେଉଠି ଦର୍ଶକମାନେ ମ୍ୟାଚ୍ ଉପଭୋଗ କରିପାରିବେ । ମ୍ୟାଚ୍ ପୂର୍ବରୁ ସିଏବି କୋଲକାତାରେ ଥିବା ଏକ ସୃଜନ କଳା ସଂସ୍ଥା ସହ ହାତ ମିଶାଇ ଷ୍ଟାଡିୟମ୍ ଓ ସହରର ବିଭିନ୍ନ କାନ୍ଥରେ କଳାକୃତି ପ୍ରସ୍ତୁତ କରୁଛି । ଭାରତୀୟ କଳା ମହାବିଦ୍ୟାଳୟର ପ୍ରାୟ ୨୦ ଜଣ ଛାତ୍ର ଏହି କାର୍ଯ୍ୟରେ ଲାଗିଛନ୍ତି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉଭୟ ବାଂଲାଦେଶ ଓ ଭାରତୀୟ ଦଳ କୋଲକାତାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେପଟେ କୋଲକାତାରେ ହେବାକୁ ଥିବା ଏହି ଐତିହାସିକ ମ୍ୟାଚ୍ ଦେଖିବାକୁ ଦେଖେଣାହାରୀଙ୍କ ଭିଡ଼ ଟିକେଟ୍ କାଉଣ୍ଟର ସାମ୍ନାରେ ପରିଲକ୍ଷିତ ହେଉଛି । ଯେଉଁଥିରୁ ଏହା ସ୍ପଷ୍ଟ ଅନୁମେୟ କି ଏହି ମ୍ୟାଚବେଳେ ଷ୍ଟାଡିୟମ୍ ଖଚାଖଚା ଭରି ରହିବ ।

ଏହି ମ୍ୟାଚ୍ ଦେଖିବାକୁ ଉଭୟ ଭାରତ ଓ ବାଂଲାଦେଶର ବହୁ ବଡ଼ ବଡ଼ ହସ୍ତୀ ମଧ୍ୟ ଆସିବେ । ଏହି ତାଲିକାରେ ଭାରତର ଗୃହମନ୍ତ୍ରୀ ଅମିତ ଶାହ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ସାମିଲ ଅଛି । ସେପଟେ କ୍ରିକେଟର ବଡ଼ ବଡ଼ ଦିଗଗଜଙ୍କୁ ମଧ୍ୟ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଦେଖିବାକୁ ମିଳିବ । ଏଥିରେ ଭାରତୀୟ କ୍ରିକେଟର ଟପ୍ ୫ ଷ୍ଟାର୍ସ ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ୍, ଭିଭିଏସ୍ ଲକ୍ଷ୍ମଣ ଓ ଅନିଲ କୁମ୍ବଲେ ସାମିଲ ଅଛନ୍ତି । ମ୍ୟାଚ୍ ବେଳେ ଏକ ୪୦ ମିନିଟର ସୁପର୍ ବ୍ରେକ୍ ସମୟରେ ୨୦୦୧ରେ ଇଡେନ୍ ଗାର୍ଡେନ୍ସରେ ଅଷ୍ଟ୍ରେଲିଆ ଉପରେ ଐତିହାସିକ ବିଜୟକୁ ମନେ ପକାଇବାକୁ ଏକ ଟକ୍ ସୋ' 'ଫ୍ୟାବୁଲସ୍ ଫାଇଭ୍'ର ମଧ୍ୟ ଆୟୋଜନ କରାଯାଇଛି ।