ଲଗାତର ୧୧ ଥର RJD ଅଧ୍ୟକ୍ଷ ହେଲେ ଲାଲୁ ପ୍ରସାଦ ଯାଦବ

ଲାଲୁଙ୍କ ସହ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନାଁ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚା ହେଉଥିଲା । କିନ୍ତୁ ଲାଲୁଙ୍କ ଏକମାତ୍ର ନାମାଙ୍କନ ପତ୍ର ଦାଖଲ ସହ ଏହି ସମସ୍ତ କଥା ଉପରେ ବିରାମ ଲାଗିଛି । 

ଲଗାତର ୧୧ ଥର RJD ଅଧ୍ୟକ୍ଷ ହେଲେ ଲାଲୁ ପ୍ରସାଦ ଯାଦବ

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୁଣିଥରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଲଗାତର ୧୧ଥର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ RJDର ସାଙ୍ଗଠନିକ ନିର୍ବାଚନରେ ଦଳର କାର୍ଯ୍ୟାଳୟରେ ୪ ସେଟରେ ଲାଲୁ ଯାଦବଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବିଧାୟକ ଭୋଲା ଯାଦବ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲାଲୁଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରି ନଥିଲେ । ଫଳରେ ସେ ନିର୍ବିରୋଧରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ।

ଲାଲୁଙ୍କ ସହ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନାଁ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚା ହେଉଥିଲା । କିନ୍ତୁ ଲାଲୁଙ୍କ ଏକମାତ୍ର ନାମାଙ୍କନ ପତ୍ର ଦାଖଲ ସହ ଏହି ସମସ୍ତ କଥା ଉପରେ ବିରାମ ଲାଗିଛି । ଦଳର ସ୍ଥାପନ ପରେ ଏହା ପ୍ରଥମ ଥର ହେବ ଲାଲୁଙ୍କ ଅନୁସପସ୍ଥିତିରେ ତାଙ୍କ ନାମାଙ୍କନ ପତ୍ର ତାଙ୍କର ପ୍ରତିନିଧି ଦାଖଲ କରିଥିଲେ । ପାଟନାର ବୀରଚନ୍ଦ୍ର ପାଟିଲ ରୋଡ ସ୍ଥିତି ଆରଜେଡି କାର୍ଯ୍ୟାଳୟରେ ହୋଇଥିବା ନାମାଙ୍କନ କାର୍ଯ୍ୟକ୍ରମରେ ବିହାର ବିଧାନସଭାର ବିରୋଧୀ ଦଳର ନେତା ସହିତ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ମିଳିତ ସୂଚନା ମୁତାବକ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାୟ ୬ ଶହ ରାଷ୍ଟ୍ରୀୟ ପରିଷଦର ସଦସ୍ୟ ଏଥିରେ ଅଂଶ ଗ୍ରହଣ କରିଥାଏ । ଏହି ସମସ୍ତ ସଦସ୍ୟ ଡିସେମ୍ୱର ୧୦ରେ ଆରଜେଡି ପ୍ରମୁଖ ଭାବେ ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ମୋହର ମାରିବେ । ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ଚାରା ଦୁର୍ନୀତିରେ ରାଞ୍ଚିର ଏକ ଜେଲରେ ବନ୍ଦ ଅଛନ୍ତି । ରାଞ୍ଚିର ରିମ୍ସରେ ବିଗତ କିଛି ମାସ ଧରି ତାଙ୍କର ଚିକିତ୍ସା ଜାରି ରହିଛି ।