ସଂକଟ ସମୟରେ ସାହା ହେଲେ ସ୍ୱରସାମ୍ରାଜ୍ଞୀ

ସହାୟତାର ହାତ ବଢାଇଲେ ଲତା ମଙ୍ଗେସକର

ସଂକଟ ସମୟରେ ସାହା ହେଲେ ସ୍ୱରସାମ୍ରାଜ୍ଞୀ

ନୂଆଦିଲ୍ଲୀ: ଦେଶର ସଂକଟ ସମୟରେ ସାହା ହୋଇଛନ୍ତି ସ୍ୱର ସାମ୍ରାଜ୍ଞୀ। ସହାୟତାର ହାତ ବଢାଇଛନ୍ତି କୋକିଳ କଣ୍ଠୀ ଲତା ମଙ୍ଗେସକର। ନିଜ ସଞ୍ଚିତ ଅର୍ଥରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ। ବଲିଉଡ଼ର ଅଭିନେତା ଅଭିନେତ୍ରୀମାନେ ତାଙ୍କ ସାମର୍ଥ୍ୟ ଆନୁଯାୟୀ ସହାୟତା କରୁଥିବା ବେଳେ ବରିଷ୍ଠ ଅଭିନେତା ଅଭିନେତ୍ରୀମାନେ ମଧ୍ୟ ଧିରେ ଧିରେ ଏଥିରେ ସାମିଲ ହେବାରେ ଲାଗିଛନ୍ତି। 

ଲତା ମଙ୍ଗେସକର  ମହାରାଷ୍ଟ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏନେଇ ନିଜେ ଲତା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଲତା ମରାଠୀ ଭାଷାରେ ଲେଖିଛନ୍ତି। ତେବେ ଏହା ପୂର୍ବରୁ ସୋସିଆଲ ମିଡ଼ିଆରେ କୋରୋନା ପାଇଁ ସଚେତନ ବାର୍ତ୍ତା ଦେଇ ସାରିଛନ୍ତି। 

ଏଠାରେ କହି ରଖୁଛୁ ଯେ, ଗତ ୨୪ ତାରିଖରେ ଲତା ମଙ୍ଗେସକର ସୋସିଆଲ ମିଡ଼ିଆରେ ଲେଖିଥିଲେ କି, କୋରୋନା ପାଇଁ ଲଢିବା ଦାୟିତ୍ୱ କଣ କେବଳ ସରକାରଙ୍କର ? ଆମର କଣ କୌଣସି ଦାୟିତ୍ୱ ନାହିଁ ? ଆପଣ ସମସ୍ତଙ୍କୁ ମୋର ନିବେଦନ କି, ସରକାରଙ୍କୁ ସହାୟତା ଓ ସମର୍ଥନ କରନ୍ତୁ। ନିଜ ପରିବାର ସହିତ ନିଜର, ସମାଜର କଥା ମଧ୍ୟ ଚିନ୍ତା କରନ୍ତୁ ବୋଲି ଲତା ସୋସିଆଲ ମିଡ଼ିଆରେ ଲେଖିଥିଲେ। 

ଲତା ମଙ୍ଗେସକରଙ୍କ ପୂର୍ବରୁ ଅନେକ ଅଭିନେତା ଓ ଅଭିନେତ୍ରୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେଇ ସାରିଛନ୍ତି। ବଲିଉଡ଼ର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ୨୫ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିରେ ଦାନ ଦେଇ ସାରିଛନ୍ତି। ସେହିପରି ବରୁଣ ଧୱନ ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମଧ୍ୟ ୫୫ ଲକ୍ଷ ଟଙ୍କା ଦାନ ଦେଇଛନ୍ତି। ଏହା ବ୍ୟତୀତ ରଣଦୀପ ହୁଡ୍ଡା, ଗୁରୁ ରାନ୍ଧୱା, ଶିଳ୍ପା ସେଟ୍ଟୀ, ଅନୁଷ୍କା ଶର୍ମାଙ୍କ ଭଳି ଅନେକ ତାରକା ଦାନ ଦେଇ ସାରିଛନ୍ତି।