)
ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ଭାରତ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସୃଷ୍ଟି ହୋଇଛି ଅପର୍ଯ୍ୟାପ୍ତ ସୁଯୋଗ। କେବଳ ଆର୍ଥିକ ସ୍ଥିତି ନୁହେଁ, ବେକାରି ସମସ୍ୟା ମଧ୍ୟ ଦୁର ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି। ଏହି କଥା ଆମେ ଏଇଥି ପାଇଁ କହୁଛୁ, ସଦ୍ୟପ୍ରାପ୍ତ ଏକ ସୂଚନା ମୁତାବକ ଚୀନରୁ ମୁହଁ ଫେରାଉଥିବା କମ୍ପାନୀ ଭାରତ ମୁହାଁ ହୋଇଛନ୍ତି। ସେପଟେ ଏହି କମ୍ପାନୀକୁ ସ୍ୱାଗତ କରିବା ପାଇଁ ଉଭୟ କେନ୍ଦ୍ର ଓ ଦେଶର ବିଭିନ୍ନ ରାଜ୍ୟର ସରକାରମାନେ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତି ପାଇଁ ଦିନରାତି ଅହରହ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।
ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି। ଏହି କମ୍ପାନୀଗୁଡ଼ିକୁ ଭାରତକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଅନବରତ ଭାବେ ବିଦେଶୀ ସରକାରଙ୍କ ସହିତ ଆଲୋଚନା ଚଳାଇଛନ୍ତି। ବିଶେଷ କରି ଦକ୍ଷିଣ କୋରିଆ, ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ସ୍ପେନ, ଆମେରିକା ଭଳି ଏକାଧିକ ବିକଶିତ ରାଷ୍ଟ୍ର ଗୁଡ଼ିକ ସହିତ ଆଲୋଚନା ଜାରି ରଖିଛନ୍ତି କେନ୍ଦ୍ର ସରକାର। ଏହି ରାଷ୍ଟ୍ର ଗୁଡ଼ିକ ଯଦି ଦେଶରେ ସେମାନଙ୍କ ଶିଳ୍ପ ଦେଶରେ ପ୍ରତିଷ୍ଠା କରନ୍ତି, ତେବେ କେନ୍ଦ୍ର ରାଜକୋଷକୁ କୋଟି କୋଟି ଟଙ୍କାର ଫାଇଦା ଭାରତକୁ ମିଳିବ।
ତେବେ ସଦ୍ୟ ପ୍ରାପ୍ତ ସୁଚନା ମୁତାବକ ଚୀନରୁ ପ୍ରାୟ ୧୦୦୦ଟି କମ୍ପାନୀ ମଧ୍ୟରୁ ପ୍ରାୟ ୩୦୦ଟି କମ୍ପାନୀ ଭାରତରେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ୩ ଶହ କମ୍ପାନୀ ମଧ୍ୟରେ ପ୍ରତିଷ୍ଠିତ ମୋବାଇଲ, ଇଲେକ୍ଟ୍ରୋନିକ୍ସ, ମେଡିକାଲ୍ସ, ଟେକ୍ସଟାଇଲ, ସିନ୍ଥେଟିକ ଆଦି ଶିଳ୍ପ ରହିଛି। ଏହି କମ୍ପାନୀ ଗୁଡ଼ିକ ବର୍ତ୍ତମାନ ଚୀନରେ ସେମାନଙ୍କର ବ୍ୟବସାୟ ଜାରି ରଖିଛନ୍ତି। ମାତ୍ର ତାହାକୁ ସେଠାରେ ବନ୍ଦ କରି ଭାରତକୁ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏମାନଙ୍କ ମଧ୍ୟରେ ହ୍ୟୁଣ୍ଡାଇ ଓ ପୋସ୍କୋ ମଧ୍ୟ ଭାରତ ଆସିବାକୁ ତତ୍ପର ହେଉଥିବା ମଧ୍ୟ ଜଣାପଡ଼ିଛି।
ଭାରତ ସରକାରଙ୍କ ଏଭଳି ସ୍ଥିତିରେ ଏକ ଟିମ ଏହି ବିଦେଶୀ କମ୍ପାନୀ ମାନଙ୍କ ସହିତ ଆଲୋଚନା କରୁଥିବା ମଧ୍ୟ ଜଣାପଡ଼ିଛି। ଲକଡାଉନ ଶେଷ ହେବା ପରେ ଭାରତରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁଧ୍ୟାନରେ ଆସିପାରନ୍ତି। ଏହା ପରେ କମ୍ପାନୀ ଗୁଡ଼ିକ ଭାରତକୁ ଆସି ଶିଳ୍ପ ପ୍ରତିଷ୍ଠା କରିବାରୁ ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ଏହି କମ୍ପାନୀ ଗୁଡ଼ିକ ଆସିଲେ ଚୀନକୁ ଏକ ବୃହତ୍ତ ଝଟକା ଲାଗିବ ବୋଲି ସୂଚନା ରହିଛି।