ଆସ ପିଇବା ମଦ...

ନୂଆ ଓଡ଼ିଶାର ନୂଆ ବିକାଶ ! ଦାଣ୍ଡରେ ବର, ବାରିରେ ବାର୍

ଆସ ପିଇବା ମଦ...
ସୌଜନ୍ୟ: ସୋସିଆଲ ମିଡିଆ

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ମଦକୁ ନେଇ ଆରମ୍ଭ ହୋଇଛି ମହାଭାରତ । କେଉଁଠି ମଦକୁ ନେଇ ମହିଳାମାନେ ତାତିଲେଣି ତ, କେଉଁଠି ଜୀବନ ନେଉଛି ମଦ । କିନ୍ତୁ ଓଡ଼ିଶାରେ ମଦକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ରାଜ୍ୟରେ ଏବେ ୨୮୪୭ଟି ମଦ ଦୋକାନ ରହିଥିବା ବେଳେ, ଆହୁରି ୨୫୦୫ଟି ଦୋକାନ ଖୋଲିବା ପାଇଁ ଯୋଜନା କରାଯାଉଥିବା ଜଣା ପଡ଼ିଛି । ଆହୁରି ମଧ୍ୟ ସରକାରଙ୍କ ନୋଟିଫକେସନ କହୁଛି, ଏଣିକି ବାହାଘର ହେଉ କି ବ୍ରତଘର ଅବା କୌଣସି ସାମାଜିକ କାର୍ଯ୍ୟକ୍ରମ ସବୁଠି ଖୋଲାଖୋଲି ମଦ ବିକ୍ରି କରାଯାଇପାରିବ । ତେବେ ଯଦି ଏମିତି ଖୁଲମଖୁଲା ମଦ ବିକ୍ରି ହୁଏ, ଏବେଠୁ କୁହୁଳୁଥିବା ନିଆଁକୁ ସରକାର ସମ୍ଭାଳି ପାରିବେ ତ ?

ଅନ୍ୟପଟେ ସାଧାରଣରେ ଦେଖିବାକୁ ଗଲେ, ଯଦି ଜଣେ ଲୋକ ବାହାଘରକୁ ଯାଇ ମଦ ପିଏ, ଆଉ ନିଶାରେ ଡ୍ରାଇଭିଂ କରି ଆସିଲେ ଦୁଇଟି ଘଟଣା ଘଟିପାରେ । ପ୍ରଥମଟି ହେଉଛି ଦୁର୍ଘଟଣା ଘଟିପାରେ ନଚେତ୍ ଟ୍ରାଫିକ୍ ପୋଲିସ ଧରିପାରେ । ଯଦି ଦୁର୍ଘଟଣା ଘଟେ ତେବେ ବି ଦୁଇଟି କଥା । ଜୀବନ ଯାଇପାରେ ନଚେତ୍ ଗୋଡ଼ହାତ ଭାଙ୍ଗି ମେଡିକାଲରେ ପଡ଼ିପାରନ୍ତି । ଏ ଦୁଇଟି ପାଇଁ ବି ଆମ ଚତୁର ସରକାର ପୂର୍ବରୁ ହିଁ ଯୋଜନା କରି ସାରିଛନ୍ତି । ଗୋଡ଼ହାତ ଭାଙ୍ଗିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଛି, ଆଉ ମରିଗଲେ ବୀମା ପାଇଁ ବି ଯୋଜନା ଅଛି । ଆଉ ଯଦି ଭଗବାନଙ୍କ ଦୟାରୁ ଏ ଦୁଇଟିରୁ ଜଣେ ବର୍ତ୍ତିଯାଏ, ତେବେ ଖାକି ବାଲା ଅଛନ୍ତି । ପାଟି ଶୁଙ୍ଘି ଫାଇନ୍ ଗୋଟେଇବାରେ ସେମାନେ ଉସ୍ତାଦ । ତେଣୁ ଯାହା ବି ହେଉ, ସରକାର ସବୁବେଳେ ଆପଣଙ୍କ ସେବାରେ ଅଛନ୍ତି । ତେଣିକି ସେ ଭଲରେ ହେଉ କି ମନ୍ଦରେ 

ଯଦି ସରକାରଙ୍କ କଥାକୁ ବିଚାରକୁ ନିଆଯାଏ, ତେବେ ୧୦ ବର୍ଷରେ ବୃଦ୍ଧି ହୋଇଛି ୧୦ ଗୁଣା ରାଜସ୍ୱ । ୨୦୦୦-୦୧ ମସିହାରେ ବାର୍ଷିକ ଅବକାରୀ ରାଜସ୍ୱ ୧୩୫.୩୫ କୋଟି ରହିଥିଲା । ୨୦୦୮-୦୯ ରେ ଏହା ୨ ଗୁଣା ବୃଦ୍ଧି ପାଇବା ସହ ୨୨୫.୭୪ କୋଟିରେ ପହଞ୍ଚିଲା । ହେଲେ ୧୮ ବର୍ଷ ମଧ୍ୟରେ ଅବକାରୀ ବିଭାଗର ଆୟ ତଥା ରାଜସ୍ୱ ୧୦ ଗୁଣା ବୃଦ୍ଧି ପାଇଛି । ୨୦୧୮-୧୯ରେ ଅବକାରୀ ରାଜସ୍ୱ ୭୨୦.୩୦ କୋଟି ରହିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜୁନ ମାସ ଶେଷ ସୁଦ୍ଧା ୯୭୦ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇ ସାରିଲାଣି । ଅର୍ଥାତ ଦିନକୁ ଦିନ ରାଜ୍ୟରେ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ମଦୁଆଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅପରପକ୍ଷକୁ ଯଦି ଦେଖାଯାଏ, ମଦ ବ୍ୟାନ ହେବା କଥା ଅତୀତରେ ବହୁଥର ଉଠିଛି । ହେଲେ ମଦ ବ୍ୟାନ ହେବା ଦ୍ୱାରା ରାଜସ୍ୱ ତ କମିବା ସ୍ୱଭାବିକ, ହେଲେ ଚୋରା ମଦ ବେପାରର ଚେର ଲମ୍ବିବ, ଅପମିଶ୍ରିତ ଦେଶୀ ମଦ ଚୋରାରେ କାରବାର ହେବ, ଯାହାକି ବିଷାକ୍ତ ମଦ ପିଇ ବହୁ ଲୋକଙ୍କର ଜୀବନ ବି ଯାଇପାରେ । 

ତେବେ ସବୁକଥାରେ ସରକାରଙ୍କ ଦୋଷ ଦେଲେ ବି ଠିକ୍ ନୁହେଁ । ଯଦି ସରକାର ମଦକୁ ଶସ୍ତା କରୁଛନ୍ତି, ମଦୁଆଙ୍କ ଠାରୁ ରାଜସ୍ୱ ଲକ୍ଷ୍ୟରେ ଏହା ପାଇଁ ସୁବିଧା କରୁଛନ୍ତି । ତେବେ କ'ଣ ଆମେ ବେକେ ଯାଏଁ ମଦ ପିଇ ରାସ୍ତାରେ ଗଡ଼ିବା କି ? ସରକାରଙ୍କ ଉଦ୍ଦେଶ୍ୟ, ଲକ୍ଷ୍ୟ ଆଉ ଯୋଜନା ତା ବାଟରେ । କିନ୍ତୁ ଆପଣ, ଆପଙ୍କର ପରିବାର, ଆପଙ୍କର କର୍ତ୍ତବ୍ୟ ତା' ବାଟରେ । ଯେଉଁ ଦେଶରେ ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଉପରେ କଟକଣା ନାହିଁ, ତାର ମାନେ ନୁହେଁ ଯେ ସେଠି ୨୪ ଘଣ୍ଟା ଲୋକେ ନିଶାରେ ବୁଡ଼ି ରୁହନ୍ତି । ଏଣୁ ସରକାରଙ୍କୁ କଟାକ୍ଷ କରାଯାଉ, ଯଦି ଭୁଲ୍ ଅଛି, ସମାଲୋଚନା ବି । କିନ୍ତୁ ସଭିଏଁ ଚେତିଲେ, ସମାଜ ଉପରେ ଏହାର କୁପ୍ରଭାବ ପଡ଼ିବ ନାହିଁ । ସରକାର ଚେତନ୍ତୁ ନଚେତନ୍ତୁ ମଦୁଆ କିନ୍ତୁ ନିଶ୍ଚିନ୍ତ ଚେତିବେ, ସେତେକି ଆମର ଆଶା ।