)
ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ବିଶ୍ୱ ଯଦି ବିକାଶର ଚରମ ସୀମାରେ ପହଞ୍ଚିଥାଏ, ତେବେ ତାହା ପଛରେ ମୁଖ୍ୟ ନାୟକ ହେଉଛନ୍ତି ଶ୍ରମିକ। ଶ୍ରମିକର ଝାଳବୁହା ପରିଶ୍ରମ ବଳରେ ହିଁ ଉନ୍ନତିର ରାସ୍ତା ଗଢାହୋଇଥାଏ। ଶ୍ରମିକ ବିନା ବିକାଶର ପରିକଳ୍ପନା କରିବା ଗୋଟିଏ ରାଷ୍ଟ୍ର ପାଇଁ ଅସମ୍ଭବ ହୋଇପଡ଼େ ।
ଆଜି ସାରା ବିଶ୍ୱରେ ଏକ ହୋଇ ଛିଡା ହୋଇଥାଆନ୍ତେ ଶ୍ରମିକ, ଜଳାଇଥାନ୍ତେ ଲେଲିହାନର ଶିଖା। ଶ୍ରମିକର ଅଧିକାର ଓ ସମ୍ମାନ ପାଇଁ ହୋଇଥାଆନ୍ତା କେତେଯେ ଶ୍ରମ ମେଳା । ବିଶ୍ଵକୁ ଦେଇଥାନ୍ତେ ଏକ ନୂତନ ଆହ୍ୱାନ। କିନ୍ତୁ କୋରୋନା ମାଡ଼ରେ ଖଟିଖିଆ,ମେହନତି ମଣିଷର ମେରୁଦଣ୍ଡକୁ ଯେପରି ଭାଙ୍ଗିଯାଇଛି। ଅସହ୍ୟ ଯନ୍ତ୍ରଣା ଭିତରେ ଛଟପଟ ହେଉଛନ୍ତି ବିଶ୍ବର ୧୩୦କୋଟି ଶ୍ରମିକ। ବିଶ୍ୱ ଆଗରେ ଏ ତଥ୍ୟ ରଖିଛି ILO ଅର୍ଥ ବିଶ୍ଵ ଶ୍ରମିକ ସଂଗଠନ।
ସାଧାରଣ କ୍ଷେତ୍ରରେ ବିଶ୍ଵର ପ୍ରାୟ ୪୫କୋଟି ଶ୍ରମିକ ଏବେ ସବୁକିଛି ହରାଇ ଦିନକୁ ଦୁଇମୁଠା ଖାଦ୍ୟ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି । ଏପଟେ ସାରା ବିଶ୍ବରେ ନିଜର କାୟାବିସ୍ତାର କରିଚାଲିଛି କୋରୋନା ଭାଇରସ । ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଉ ଜୀବନ ବଞ୍ଚାଇବା ପାଇଁ ଘରେ ଭୋକ ଉପାସରେ ପଡିଛି ଶ୍ରମିକ । ସବୁଠି ବାରିହୋଇ ପଡୁଛି ନିର୍ଜନତା ଓ ନିରବତା। ସବୁ ଆଡ଼େ ଖାଁ ଖାଁ। ଶିଳ୍ପ ସମୂହ ବନ୍ଦ ହୋଇପଡିଛି । କାରଖାନା ଚାଲୁନି ଶ୍ରମିକମାନଙ୍କୁ କାମ ମିଳୁନି ।
ସରକାରୀସ୍ତରରେ ଏହି ପରିସ୍ଥିତି ମୁକାବିଲା ପାଇଁ କେହି ଯେମିତି ଚାହୁଁନାହାନ୍ତି । ସରକାରଙ୍କ କହିବା କଥା ମଣିଷ ଜୀବନର ମୂଲ୍ୟ ଅତୁଳନୀୟ । ଭବିଷ୍ୟତରେ ଆଥିବ ସ୍ଥିତି ଧିରେଧିରେ ସୁଧାରି ହେବ । ହେଲେ କୋରୋନା ମଣିଷର ଜୀବନ ନେଲେ ଆଉ ସେ ଜୀବନ ଫେରିବନି । ଜୀବନ କିନ୍ତୁ ଏବେ ବିଶ୍ୱର ଶ୍ରମିକମାନଙ୍କ ଜୀବିକା ଉଜୁଡି ଦେଇଛି । ଭାରତରେ କିଛି ରାଜ୍ୟରେ ସରକାର ସରକାରୀ କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ହୋଇ ଦରମା କାଟିବା ନେଇ ନିଷ୍ପତ୍ତି ନେଉଛନ୍ତି ।
ଅନ୍ୟପଟେ ଘରୋଇ ଶିଳ୍ପ ଉପରେ ପଡ଼ିଛି ତାଲାବନ୍ଦର ପ୍ରଭାବ । ଏବେ ଭାରତର ରିଲାଏନ୍ସ କମ୍ପାନୀ କର୍ମଚାରୀଙ୍କ ୫୦% ପ୍ରତିଶତ ଦରମା କାଟିବା ପାଇଁ ଘୋଷଣା କରିଛି । ଏହା ପରେ ଶ୍ରମିକ ପେଟରେ ବାଜିଛି ନାତ । ମଧ୍ୟବିତ୍ତ ଶ୍ରେଣୀର କଥା ନ କହିଲେ ଭଲ ।ଏବେ ବିଶ୍ୱର ସବୁ ରାଷ୍ଟ୍ର ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା, ସାମାଜିକ ସମ୍ମାନ ଓ ଅର୍ଥିକ ସହଯୋଗ ପ୍ରଦାନ ପାଇଁ ଦାୟିତ୍ୱ ନେବା ଦରକାର । ଏହି ମୂହୁର୍ତ୍ତରେ ଭାରତ ସରକାର ଶ୍ରମିକଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦିଅନ୍ତୁ । ।
ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଶ୍ରମିକ ଜୀବନ ବି ବଞ୍ଚିବା ଦରକାର ଓ ଜୀବିକା ବି ମିଳିବା ଦରକାର । ଏକ ସରଳରେଖାରେ ସରକାର ବିଚାର ନ କରି ସବୁ ଦୃଷ୍ଟିରୁ ବିଚାର କରନ୍ତୁ । ନହେଲେ ଭାରତ ଦିନେ ଭୋକର ଭୂଗୋଳରେ ସ୍ଥାନ ପାଇବ ଏହା ଅସମ୍ଭବ ନୁହେଁ । ଶ୍ରମ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ।