ଲକ ଡାଉନ ବେଳେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ବିହାର ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ଏଲଜେପି ଅଧ୍ୟକ୍ଷ ଚିରାଗ ପାଶ୍ୱାନ |
Trending Photos
)
ପାଟନା: ଲକ ଡାଉନ ବେଳେ ବଢିଯାଇଛି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା | ବିଭିନ୍ନ ସ୍ଥାନରେ ସେମାନେ ଫସି ରହିବା ଯୋଗୁଁ ବଢିଯାଇଛି ସେମାନଙ୍କ ସମସ୍ୟା | ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଶ୍ରମ ବର୍ଗର ଲୋକଙ୍କୁ ସରକାରୀ ସହାୟତ ଯୋଗାଇ ଦେବାକୁ ଦଳମତ ନିର୍ବିଶେଷରେ ସମସ୍ତେ ଦାବି ଉଠାଇଛନ୍ତି |
ଲକ ଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ବିହାର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ଅଧ୍ୟକ୍ଷ ତଥା ରାଜ୍ୟର ଜମୁଇ ଲୋକସଭା ଆସନର ସାଂସଦ ଚିରାଗ ପାଶ୍ୱାନ | ବର୍ତ୍ତମାନର ସ୍ଥିତିରେ ଶ୍ରମିକ ବର୍ଗର ଲୋକ ସାମ୍ନା କରୁଥିବା ସମସ୍ତ ପ୍ରକାର ସମସ୍ୟାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି |
ଏନେଇ ଗତ ରବିବାର ବିହାର ସରକାରଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ହେଲପଲାଇନ ନମ୍ବର ଠିକ ଭାବେ କାମ କରୁନାହିଁ | ବର୍ତ୍ତମାନ ସମୟରେ ଏଲଜେପିର ଦଳୀୟ କର୍ମୀ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି | ରାଜ୍ୟକୁ ଫେରିବାରେ ଶ୍ରମିକ ସକ୍ଷମ ନେହବା ପର୍ଯ୍ୟନ୍ତ ସେମାନଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ ସେ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି |
ଲକ ଡାଉନ ବେଳେ ଫସିଥିବା ଶ୍ରମିକଙ୍କ ପଞ୍ଜୀକରଣ କରିବା ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି | ସେମାନଙ୍କ ପ୍ରକୃତ ସଂଖ୍ୟା କେତେ, ସେନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଲେ ସେମାନଙ୍କ ପାଇଁ ଟ୍ରେନର ବ୍ୟବସ୍ଥା ହୋଇପାରିବ | ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମ ଉପରେ ନିର୍ଭରଶୀଳ ବର୍ଗର ଲୋକ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛନ୍ତି | ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଥିବା ଚିଠିରେ ଦର୍ଶାଯାଇଛି |
ଏହା ସହିତ କ୍ୱାରେଣ୍ଟାଇନ ସେଣ୍ଟରରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ନାହିଁ | ଏ ଦିଗରେ ବିହାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ନିଜର ସମସ୍ୟା ବାବଦରେ ପ୍ରବାସୀ ଶ୍ରମିକ ସୋସିଆଲ ମିଡିଆ ମାଧ୍ୟମରେ ଜଣାଉଛନ୍ତି | ଏହା ସହିତ ବର୍ତ୍ତମାନର ସ୍ଥିତିରେ ବିହାର ସରକାରଙ୍କ ଆଭିମୁଖ୍ୟକୁ ନେଇ ନିଜର ରୋଷ ଜଣାଇଛନ୍ତି | ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଉତ୍ତର ପ୍ରଦେଶ ଭଳି ବ୍ୟବସ୍ଥା କରିନଥିବାରୁ ଅନେକ ଶ୍ରମିକ ଅସନ୍ତୋଷ ଜଣାଇଛନ୍ତି |