)
ନୂଆଦିଲ୍ଲୀ: ଆଜି ଦେଶବ୍ୟାପି ଲକ୍ ଡାଉନର ୨୦ ନମ୍ବର ଦିନ । ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅର୍ଥାତ ଆସନ୍ତାକାଲି ଲକ୍ ଡାଉନ୍ ସରୁଛି । ମାତ୍ର କୋରୋନା ସ୍ଥିତି ବର୍ତ୍ତମାନ ସୁଧୁରିନି । ତେଣୁ ଘରେ ବସି ବସି ଆପଣଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଆସୁଥିବ, ଲକ୍ ଡାଉନ୍ ମଙ୍ଗଳବାର ସରିବ ନା ବଢ଼ିବ । ତେବେ ବର୍ତ୍ତମାନ ପରିସ୍ଥିତି ଦେଖିଲେ ମନେହେଉଛି, ଆହୁରି ବଢ଼ିପାରେ ଲକ୍ ଡାଉନ୍ ଅବଧି ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ ବସିଥିଲା । ଏହି ବୈଠକରେ ଲକ୍ ଡାଉନ୍ ବଢ଼ାଇବା ସପକ୍ଷରେ ବହୁ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ । ସେମିତିରେ ବି ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ଲକ୍ ଡାଉନ୍ ବୃଦ୍ଧି ନେଇ ପୂର୍ବରୁ ଘୋଷଣା କରାଯାଇଛି ।
ସୂତ୍ର ଅନୁସାରେ, ଆଜି ଯେକୌଣସି ମୁହୂର୍ତ୍ତରେ ଲକ୍ ଡାଉନ୍ ବଢ଼ାଇବା ନେଇ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ବେଳେ ଆଉ ୧୪ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ସଙ୍କେତ ଦେଇଥିଲେ । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସି ନ ଥିଲା । ଆସନ୍ତାକାଲି ରାତି ୧୨ଟାରେ ଲକ୍ ଡାଉନ୍ ଅବଧି ଶେଷ ହେଉଥିବା ବେଳେ ଆଜି ହିଁ ପ୍ରଧାନମନ୍ତ୍ରୀ ଏନେଇ କିଛି ଘୋଷଣା କରିପାରନ୍ତି ।