)
ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ ସରୁଥିବେ ବେଳେ ମଧ୍ୟରାତ୍ରିରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଆରମ୍ଭ ହେଉଛି । ଏହା ୧୯ ଦିନ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ସମୁଦାୟ ୪୦ ଦିନ ପର୍ଯ୍ୟନ୍ତ ଜାରି ରହିବ ଲକ୍ ଡାଉନ୍ । ତେବେ ଆପଣଙ୍କ ଭିତରେ ପ୍ରଶ୍ନ ଉଠୁଥିବ, ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଏବଂ ଦ୍ୱିତୀୟ ପର୍ଯ୍ୟୟ ଲକ୍ ଡାଉନ୍ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ । ଏପ୍ରିଲ ୨୦ ପରେ କେଉଁ ସବୁ କ୍ଷେତ୍ରରେ ଲକ୍ ଡାଉନ୍ ନିୟମ କୋହଳ କରାଯିବ ?
ବୁଧବାର ଏନେଇ ବିସ୍ତୃତ ଭାବେ ଗାଇଡ ଲାଇନ ଜାରି କରିବେ କେନ୍ଦ୍ର ସରକାର । ତେବେ ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରୁଥିବା ବେଳେ ଏନେଇ ସମ୍ୟକ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ, ଆଗାମୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପୁରା କଡ଼ାକଡ଼ି ହେବ ଲକ୍ ଡାଉନ୍ ନିୟମ । ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ଥାନା ଉପରେ ତୀକ୍ଷଣ ନଜର ରଖାଯିବ । ଲକ୍ ଡାଉନ୍ ନିୟମ ରାଜ୍ୟଗୁଡ଼ିକରେ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ସେନେଇ ସମୀକ୍ଷା କରାଯିବ । ଅର୍ଥାତ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର କୋହଳ ନୀତି ଅବଲମ୍ବନ କରାଯିବ ନାହିଁ । ରାଜ୍ୟଗୁଡ଼ିକ ଏଦିଗରେ ସଜାଗ ରହିବାକୁ ମୋଦି ଆହ୍ୱାନ ଦେଇଛନ୍ତି ।
ତେବେ ଏପ୍ରିଲ ୨୦ ପରେ କିଛି ସ୍ଥାନରେ ସର୍ତ୍ତମୂଳକ ଆଶ୍ୱସ୍ତି ମିଳିପାରେ । ଗରିବଙ୍କ ସମସ୍ୟାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଯେଉଁ ଅଞ୍ଚଳ ହଟସ୍ପଟ ଶ୍ରେଣୀର ନାହିଁ, କେବଳ ସେହି ଅଞ୍ଚଳରେ ଲକ୍ ଡାଉନ୍ ନିୟମ ସାମାନ୍ୟ କୋହଳ କରାଯାଇପାରେ । ବର୍ତ୍ତମାନ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦେଶର ସମସ୍ତ କ୍ଷେତ୍ରରେ ଯେଉଁ ସମୀକ୍ଷା କରାଯିବ, ସେହି ଆଧାରରେ ଏହା ନିଷ୍ପତ୍ତି ନିଆଯିବ ।
ଯେଉଁ ଅଞ୍ଚଳରେ କଟକଣାକୁ କୋହଳ କରାଯିବ, ସେଠାରେ କିଛି ଜରୁରୀ ସେବା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିବ । ସେହିପରି ଚାଷୀ ଏବଂ ଶ୍ରମିକଙ୍କ କ୍ଷେତ୍ରରେ ମଧ୍ୟ କଟକଣା ସାମାନ୍ୟ କୋହଳ କରାଯିବ । ବୁଧବାର ଏନେଇ ବିସ୍ତୃତ ଗାଇଡଲାଇନ ଜାରି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ତେବେ ପରବର୍ତ୍ତୀ ସମୟରେ ଯଦି ଲକ୍ ଡାଉନ୍ ନିୟମ ସାମାନ୍ୟ କୋହଳ ହୋଇଥିବା ଅଞ୍ଚଳରେ ସାମାଜିକ ଦୂରତ୍ୱ ପାଳନ ନହୁଏ, ତେବେ ତୁରନ୍ତ କୋହଳ ନୀତିକୁ ହଟାଇ ଦିଆଯିବ । ସେହିପରି ଯଦି କୌଣସି ଅଞ୍ଚଳ ନୂଆ ହଟସ୍ପଟ ଭାବେ ଉଭା ହୁଏ, ତେବେ ମଧ୍ୟ କୋହଳ ନୀତିକୁ ହଟାଇ ଦିଆଯିବ ।