ନିଆରା ମନ୍ଦିର : ଏକା ସାଥିରେ ବିରାଜମାନ ଭଗବାନ ଶିବ ଓ ବୁଦ୍ଧ

 ଶିବରାତ୍ରୀ ଅବସରରେ ଭାରତର କୋଣ-ଅନୁକୋଣରୁ ଭକ୍ତଙ୍କ ଭିଡ଼ ଏଠି ଜମିଥାଏ ।

ନିଆରା ମନ୍ଦିର : ଏକା ସାଥିରେ ବିରାଜମାନ ଭଗବାନ ଶିବ ଓ ବୁଦ୍ଧ
ଫାଇଲ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଭାରତରେ ରହିଛି ଏକାଧିକ ମନ୍ଦିର । ବିଭିନ୍ନ ମନ୍ଦିରର ରହିଛି ଭିନ୍ନ ଭିନ୍ନ ସଂସ୍କୃତି ଓ ପରମ୍ପରା । କେଉଁ ମନ୍ଦିର ଐତିହ୍ୟ ସଂସ୍କୃତିର ପରିଚୟ ଦିଏ ତ, ଆଉ କେଉଁ ମନ୍ଦିର ଭାଇଚାରାର ବାର୍ତ୍ତା ବହନ କରେ । ଏଭଳି ଏକ ମନ୍ଦିର ରହିଛି ଦାର୍ଜିଲିଂରେ । ଯେଉଁଠି ଦୁଇ ଧର୍ମ ଏକା ସାଥୀରେ ପୂଜା ପାଆନ୍ତି । ପୁଣି ଗୋଟିଏ ସ୍ଥଳରେ । ଶିବରାତ୍ରୀ ଅବସରରେ ଭାରତର କୋଣ-ଅନୁକୋଣରୁ ଭକ୍ତଙ୍କ ଭିଡ଼ ଏଠି ଜମିଥାଏ । ଭୋଳା ଶଙ୍କରଙ୍କ ସହ ଏଠି ପୂଜା ପାଆନ୍ତି ଗୌତମ ବୁଦ୍ଧ । ତେବେ ଆସନ୍ତୁ ଜାଣିବା ଏଭଳି ନିଆରା ମନ୍ଦିରର କାହାଣୀ ।

1

ମହାକାଳ ମନ୍ଦିରରେ ଉଭୟ ଶିବ ଓ ବୁଦ୍ଧ ବିରାଜମାନ

ଦାର୍ଜିଲିଂର ହୋଲି ହିଲ୍ (Holy Hill) ନାମକ ସ୍ଥାନରେ ରହିଛି ପ୍ରସିଦ୍ଧ ମହାକାଳ ମନ୍ଦିର । ହିନ୍ଦୁ-ବୌଦ୍ଧ ଧର୍ମ ଅନୁସାରେ ଏଠି ପୂଜାର୍ଚ୍ଚନା କରାଯାଏ । ଦୁଇଟି ଧର୍ମକୁ ଯୋଡ଼ୁଥିବାରୁ ଏହା ଏକ ଅଦ୍ଭୁତ ମନ୍ଦିର ।

ମନ୍ଦିର ପ୍ରାଙ୍ଗଣରେ ଅନ୍ୟାନ୍ୟ ଦେବା-ଦେବୀ

ମହାକାଳ ମନ୍ଦିରରେ ଶିବ ଓ ଗୌତମ ବୁଦ୍ଧଙ୍କ ବଦଳରେ ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି । ଏଠାରେ ଗଣେଶ, ମହାକାଳୀ, ଭଗବତୀ ଓ ହନୁମାନଙ୍କ ପ୍ରତିମା ମଧ୍ୟ ପୂଜା କରାଯାଏ। ଏହା ବ୍ୟତୀତ ଏଠି ରହିଛି ଏକ ଗୁମ୍ଫା । ବୌଦ୍ଧ ଧର୍ମ ଅନୁସାରେ ଗୁମ୍ପା ଭିତରେ ପୂଜା କରାଯାଏ ।

ସଙ୍ଗୀତ, ଧର୍ମ ଓ ସୁନ୍ଦରତାର ଅନନ୍ୟ ଉଦାହରଣ

ମହାକାଳ ମନ୍ଦିରରେ ପ୍ରବେଶ କଲା ମାତ୍ରେ ସ୍ୱର୍ଗ ଭଳି ଅନୁଭବ ହୋଇଥାଏ । ଦାର୍ଜିଲିଂର ସବୁଜିମା ପରିବେଶ ମଧ୍ୟରେ ମନ୍ଦିରଟି ରହୁଥିବାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ଏଠି ପ୍ରବେଶ ଦ୍ୱାରରେ ଲାଗିଥିବା ଘଣ୍ଟା, ବୌଦ୍ଧ ଧର୍ମର ପ୍ରତୀକ ପ୍ଲେଙ୍ଗ ସଙ୍ଗୀତ, ଧର୍ମ ଓ ସୁନ୍ଦରତାର ଅନୁପମ ଉଦାହରଣ ।

ମନ୍ଦିରର ମଧ୍ୟ ଭାଗରେ ବିରାଜମାନ ଭୋଳାନାଥ

ହିନ୍ଦୁ କଳା,ସ୍ଥାପତ୍ୟ (Architecture)ର ପ୍ରକୃଷ୍ଟ ଉଦାହରଣ ହେଉଛି ମହାକାଳ ମନ୍ଦିର । ମନ୍ଦିରଟି ଦେଖିବାକୁ ଗୋଲାକାର । ମଧ୍ୟ ଭାଗରେ ରହିଛି ଶିବ ମନ୍ଦିର । ପ୍ରବେଶ ଦ୍ୱାରରେ ରହିଛି ନନ୍ଦି । ଶିବଲିଙ୍ଗର ପାର୍ଶ୍ୱରେ ରହିଛି ଗୌତମ ବୁଦ୍ଧଙ୍କ ପ୍ରତିମା । ଦୁ୍ଇଟି ଧର୍ମର ପୂଜାରୀ ଏକା ସାଥୀରେ କରନ୍ତି ପୂଜାର୍ଚ୍ଚନା ।

ମହା ଶିବରାତ୍ରିରେ ହୁଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବର୍ଷର ସବୁ ସମୟରେ ମହାକାଳ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । କିନ୍ତୁ ଶିବରାତ୍ରୀ ଅବସରରେ ଦେଶର କୋଣ –ଅନୁକୋଣରୁ ଆସନ୍ତି ଭକ୍ତ । ମହାକାଳ ମନ୍ଦିରରେ ଗଣେଶ ପୂଜା, ସରସ୍ୱତୀ ପୂଜା, ହନୁମାନ ଓ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥାଏ । ଏତବ୍ୟତୀତ ବୁଦ୍ଧ ଜୟନ୍ତୀ ମଧ୍ୟ ଧୁମଧାମରେ ପାଳନ କରାଯାଏ ।

ଆହୁରି ପଢ଼ନ୍ତୁ; ଓଡ଼ିଶାରେ ଏହି ମନ୍ଦିରରେ ଲାଗିବ ଦେଶର ସବୁଠୁ ବଡ଼ ଘଣ୍ଟି