ପ୍ରେମିକ ଘରେ ଝୁଲିଲା ପ୍ରେମିକା
ପ୍ରେମ ହେଲା କାଳ
Trending Photos
)
ସୁନନ୍ଦନ ମିଶ୍ର ଆନନ୍ଦପୁର: ପ୍ରେମିକର ହାତ ଧରି ସେ ଘରୁ ଗୋଡ଼ କାଢ଼ିଥିଲା । ସ୍ୱପ୍ନ ଥିଲା, ଯାହାକୁ ସେ ଭଲ ପାଉଛି, ଯାହା ସହ ସଂସାର ଗଢ଼ିବାକୁ ଇଚ୍ଛା ରଖିଛି, ତା ସହ ସୁଖରେ ବାକି ଜୀବନ କାଟିଦେବ । କିନ୍ତୁ କିଏ ଜାଣିଥିଲେ ଦଇବକୁ ଏସବୁ ମଞ୍ଜୁର ନଥିଲା ବୋଧହୁଏ ।
କେନ୍ଦୁଝର ଆନନ୍ଦପୁର ଥାନା ପଣ୍ଡୁଆ ଗାଁରେ ଏମିତି ଏକ ଅଘଟଣ ଘଟିଗଲା, ଯାହା ମର୍ମାହତ କଲା ଭଳି । ସ୍ନେହଲତାଙ୍କ ଘରକୁ ଅଚାନକ ଖବର ଆସିଲା କି ଝିଅ ଆତ୍ମହତ୍ୟା କରିଛି । କେହି କିଛି ବୁଝି ପାରିଲେନି । ଯେଉଁ ଝିଅ ନିଜ ପ୍ରେମ ପାଇଁ ଘର ପରିବାରକୁ ଖାତିର ନକରି ଘରୁ ଗୋଡ଼ କାଢ଼ିଥିଲା, ସେ ଅଚାନକ ଆତ୍ମହତ୍ୟା କଲା କାହିଁକି ? କିନ୍ତୁ ଏସବୁ ବୁଝିବାକୁ ଆଉ ସମୟ ନଥିଲା । ସବୁ ସରିଯାଇଥିଲା ।
ଆନନ୍ଦପୁର ପୌରାଞ୍ଚଳ ୩ନଂ ୱାର୍ଡ ଡାହାଣୀଗଡିଆ ସାହିର ବିନୋଦ ଦାଶଙ୍କ ଝିଅ ସ୍ନେହଲତା । ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ ପୁଅ ଅକ୍ଷୟ ନାୟକଙ୍କୁ ସେ ଭଲ ପାଇ ବସିଥିଲେ । କିଛି ଦିନ ତଳେ ଅକ୍ଷୟଙ୍କ ସହ ଘରୁ ପଳାଇଥିଲେ ସ୍ନେହଲତା । ୩ ଦିନ ବାହାରେ ରହିବା ପରେ ଘରକୁ ଫେରିଥିଲେ ହେଲେ ଘର ଲୋକ ତାଙ୍କୁ ଅପବାଦ କାରଣରୁ ଘରେ ପୂରାଇ ନଥିଲେ । ଆଉ କିଛି ବାଟ ନପାଇ ସ୍ନେହଲତା, ପ୍ରେମିକ ଅକ୍ଷୟ ସହ ତା ଘରକୁ ଚାଲିଯାଇଥିଲା । କିନ୍ତୁ କିଏ ଜାଣିଥିଲା, ତାର ଏ ନିଷ୍ପତ୍ତି ତା ଜୀବନ ନେଇଯିବ ବୋଲି । ପ୍ରେମିକ ସହ ଯିବା ପରେ ସେ ଭାବିଥିଲା ପ୍ରେମିକର ଘରଲୋକ ତାଙ୍କୁ ଆପଣାଇ ନେବେ ଏବଂ ସେ ଖୁସିରେ ସଂସାର କରିବ । କିନ୍ତୁ ଘରେ ପହଞ୍ଚିବା ପରେ ଅକ୍ଷୟଙ୍କ ବାପା ମା ଏବଂ ଖୋଦ୍ ପ୍ରେମିକ ଅକ୍ଷୟ ବାହାଘର ପାଇଁ ମନା କରିଦେଇଥିଲେ । ଯାହା ସ୍ନେହଲତାଙ୍କ ହୃଦୟକୁ ଭୀଷଣ ଆଘାତ ଦେଇଥିଲା । ଦୁଇ ତିନି ଦିନ ପରେ ସ୍ନେହଲତା ଏନେଇ ଥାନାରେ ଲିଖିତ ଅଭିଯୋଗ କଲେ ଏବଂ ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ଦୁଇ ପରିବାର ମଧ୍ୟରେ ବୁଝମଣା ହୋଇଥିଲା ବାହାଘର ପାଇଁ ।
ୟା ଭିତରେ ଅକ୍ଷୟ କାମ କରିବାକୁ ସହରକୁ ଚାଲିଗଲେ ଆଉ ତାଙ୍କ ପରିବାର ବି ପୁଣି ବିବାହ ପାଇଁ ଟାଳଟୁଳ ନୀତି ଅବଲମ୍ବନ କଲେ । ଆଉ ଦିନେ ଖବର ଆସିଲା, କି ଅକ୍ଷୟଙ୍କ ଘରେ ସ୍ନେହଲତା ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ଏବେ ପ୍ରଶ୍ନ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ଯଦି ମାନସିକ ଚାପରେ ଆତ୍ମହତ୍ୟା କରିଛନ୍ତି, ତେବେ ଏଥିପାଇଁ ଦାୟୀ କିଏ ।
ସେପଟେ ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ଲୋକେ ତାକୁ କଲା କର୍ମର ଫଳ ମିଳିଛି କହିବା ସହ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ମଧ୍ୟ ଅଭିଯୋଗ ଆଣି ନ୍ୟାୟ ପାଇଁ ଦାବି କରିଛନ୍ତି ।
ତେବେ ଘଟଣାରେ କିଛି ଗୁମର ବି ରହିଛି । ଯାହା ପିସିଆର୍ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବ । ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି, ସ୍ନେହଲତା ଠିକ୍ ଭାବେ ଦେଖି ପାରୁନଥିଲେ । ତେବେ ସେ ନିଜେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ କେମିତି ? ଯେଉଁଠି ସେ ଆତ୍ମହତ୍ୟା କରିଛନ୍ତି, ତାର ଉଚ୍ଚତା ବି ଖୁବ୍ କମ୍ । ତେବେ ସେ ସେଠି ଆତ୍ମହତ୍ୟା କଲେ କେମିତି ?
ଏବେ ପ୍ରଶ୍ନ ହେଉଛି ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରି ଟାଙ୍ଗି ଦିଆଯାଇଛି ? ଯଦି ହତ୍ୟା ହୋଇଛି, ତେବେ କିଏ ସେ ଜହ୍ଲାଦ ? ଅକ୍ଷୟ, ତାଙ୍କ ପିତା ମାତା ନା ଆଉ କିଏ ? ପୋଲିସ ଏବେ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି । ଦେଖିବାର କଥା, ଏ ଘଟଣା ଆଗକୁ କେଉଁ ମୋଡ଼ ନେଉଛି ।
More Stories