ବାଃ ବାଃରେ ଭାଇରସ୍: ମଣିଷ ମାରୁଛି, ସରକାରଙ୍କୁ ବଞ୍ଚାଇଲା !
Advertisement

ବାଃ ବାଃରେ ଭାଇରସ୍: ମଣିଷ ମାରୁଛି, ସରକାରଙ୍କୁ ବଞ୍ଚାଇଲା !

ଆଜି ହେବ ନାହିଁ ଫ୍ଲୋର ଟେଷ୍ଟ । କମଲନାଥ ସରକାରଙ୍କୁ ବଞ୍ଚାଇଦେଲା କୋରୋନା ! 

ଫାଇଲ ଫଟୋ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଆସିଲା ବଡ଼ ଖବର । ଆଜି ହେବ ନାହିଁ ଫ୍ଲୋର ଟେଷ୍ଟ । କମଲନାଥ ସରକାରଙ୍କୁ ବଞ୍ଚାଇଦେଲା କୋରୋନା ! କରୋନା ଯୋଗୁଁ ବିଧାନସଭାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି । ଯଦି ଆଜି ଫ୍ଲୋର ଟେଷ୍ଟ ହୋଇଥାନ୍ତା, ତେବେ କମଲନାଥ ସରକାର ଭାଙ୍ଗିବା ଏକ ପ୍ରକାର ସ୍ପଷ୍ଟ ବୋଲି ମନେ ହେଉଥିଲା । ହେଲେ କୋରୋନାର ଆଳ ଦେଖାଇ ବିଧାନସଭା ଅଧିବେଶନକୁ ଘୁଞ୍ଚାଇ ଦିଆଯାଇଛି ।

ଆଜି ରାଜ୍ୟପାଳ ଲାଲଜୀ ଟଣ୍ଡନ ପ୍ରଥମେ ବିଧାନସଭାରେ ଅତି ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ହିଁ ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଫ୍ଲୋର ଟେଷ୍ଟ ପାଇଁ ବିଜେପି ବିଧାୟକ ଦାବି କରିଥିବା ବେଳେ କୋରୋନା ପ୍ରସଙ୍ଗ ଉଠାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୋବିନ୍ଦ ସିଂହ । ଏପରିକି ସେ କେନ୍ଦ୍ର ସରକାର ଜାରି କରିଥିବା ଆଡଭାଇଜରୀ ମଧ୍ୟ ଗୃହରେ ପଢ଼ିଥିଲେ । ତେଣୁ ଗୃହକୁ ମୁଲତବି କରିବା ପାଇଁ ସେ ଦାବି କରିଥିଲେ । ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦାବିକୁ  ଗ୍ରହଣ କରି ଆସନ୍ତା ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଯେଉଁ କୋରୋନା ସମଗ୍ର ବିଶ୍ୱରେ ଲୋକଙ୍କ ଶ୍ୱାସକୁ ଅଟକାଇ ଦେଉଛି, ସେହି କୋରୋନା କମଲନାଥ ସରକାରଙ୍କୁ କିଛି ଦିନ ପାଇଁ ଶାନ୍ତିରେ ଶ୍ୱାସ ନେବା ପାଇଁ ସୁଯୋଗ ଦେଇଛି ।    

ତେବେ ବିଧାନସଭାରେ ରାଜ୍ୟପାଳ ଦେଇଥିବା ଅଭିଭାଷଣ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଗୃହରେ ସମସ୍ତ ସଦସ୍ୟଙ୍କୁ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ ମଧ୍ୟପ୍ରଦେଶ ରାଜ୍ୟପାଳ । ଏପରିକି ସମସ୍ତଙ୍କୁ ଶୁଭକାମନା ମଧ୍ୟ ଜଣାଇଥିଲେ ରାଜ୍ୟପାଳ ।  

କହିରଖୁଛୁ, ଫ୍ଲୋର ଟେଷ୍ଟ ପାଇଁ କଂଗ୍ରେସ ବିଧାୟକମାନେ ଜୟପୁରରୁ ଏବଂ ବିଜେପି ବିଧାୟକମାନେ ହରିୟାଣାରୁ ମଧ୍ୟପ୍ରଦେଶ ଫେରିଥିଲେ । ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଭୋପାଲ ପହଞ୍ଚିବା ପରେ ପ୍ରଥମେ ସେମାନଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ସମଗ୍ର ବିଶ୍ୱରେ କୋରୋନା କାୟା ବିସ୍ତାର କରୁଥିବା ବେଳେ ବିଧାୟକମାନେ କିପରି ନିଜକୁ ଏଥିରୁ ରକ୍ଷା କରିପାରିବେ, ସେ ଉପରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା । 

ଆହୁରି ପଢ଼ନ୍ତୁ; ପରସ୍ପରକୁ ଗୁଳି କଲେ ଦୁଇ ଭାଇ, ଉଭୟଙ୍କ ମୃତ୍ୟୁ