close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହନୀ ମାୟାରେ ମଧ୍ୟପ୍ରଦେଶ ମନ୍ତ୍ରୀ !

ଯୁଗେ ଯୁଗେ ନାରୀ ମାୟାରେ ବାୟା ହେଉଥିବା ପୁରୁଷ ଯେକୌଣସି ପଦପଦବୀରେ ଥିଲେ ମଧ୍ୟ ଛନ୍ଦି ହେଉଛିନ୍ତି ରୂପସୀଙ୍କ ଜାଲରେ

ହନୀ ମାୟାରେ ମଧ୍ୟପ୍ରଦେଶ ମନ୍ତ୍ରୀ !
ସୌଜନ୍ୟ: ସୋସିଆଲ ମିଡିଆ

ତପନ କର, ଭୁବନେଶ୍ୱର: ହନିଟ୍ରାପ ମାମଲାରେ ମଧ୍ୟପ୍ରଦେଶର ଏହି ଘଟଣା ଏବେ ରାଜ୍ୟର ସରହଦ ଡେଇଁ କେନ୍ଦ୍ର ରାଜନୀତିକୁ ବି ସରଗରମ କରିଛି । ଯୁଗେ ଯୁଗେ ନାରୀ ମାୟାରେ ବାୟା ହେଉଥିବା ପୁରୁଷ ଯେକୌଣସି ପଦପଦବୀରେ ଥିଲେ ମଧ୍ୟ ଛନ୍ଦି ହେଉଛିନ୍ତି ରୂପସୀଙ୍କ ଜାଲରେ । ଆରତି ଦୟାଲ, ମୋନିକା ଯାଦବ, ଶ୍ୱେତା ବିଜୟ ଜୈନ, ଶ୍ୱେତା ସ୍ୱପ୍ନିଲ ଜୈନ ଓ ବରଖା ସୋନି ନାମକ ଏହି ୫ ଯୁବତୀ ନିଜ ରୂପର ଜାଲରେ ରାଜ୍ୟର ବହୁ ବରିଷ୍ଠ ପଦାଧିକାରୀଙ୍କ ଶିକାର କରୁଥିଲେ । ତେବେ ଏ ସବୁର ମାଷ୍ଟରମାଇଣ୍ଡ କୁହାଯାଉଥିବା ଇନ୍ଦୋର ମ୍ୟୁନିସିପାଲ କର୍ପୋରେସନର ସୁପରିଟେଣ୍ଡେଣ୍ଟ ଇଂଜିନିୟର ହରଭଜନ ସିଂହଙ୍କୁ ସସପେଣ୍ଡ କରାଯାଇଥିବା ଇନ୍ଦୋର ମେୟର ସୂଚନା ଦେଇଛନ୍ତି । ସେପଟେ ଅନ୍ୟତମ ସହଯୋଗୀ ଓମପ୍ରକାଶ କୋରୀକୁ ଧରିଛି ପୋଲିସ ।

ବୁଧବାର ଗିରଫ ହୋଇଥିବା ଯୁବତୀମାନଙ୍କଠାରୁ ଉଦ୍ଧାର ହୋଇଥିଲା ଏକାଧିକ ହାଇଟେକ୍ ଗେଜେଟ୍ । ସ୍ପାଏ କ୍ୟାମେରାଠାରୁ ନେଇ ହାଇଏଣ୍ଡ ମୋବାଇଲ ଥିଲା ଏଥିରେ ସାମିଲ । ଏସବୁ ମୋବାଇଲରେ ବହୁ ସ୍ପାଏ ସଫ୍ଟୱେୟାର୍ ମଧ୍ୟ ରହିଥିଲା । ଯାହାକୁ ବ୍ୟବହାର କରି ଏମାନେ ନିଜ ଶିକାରର ଭିଡିଓ ବନାଉଥିଲେ । ବର୍ତ୍ତମାନ ତ ଏମାନଙ୍କୁ ଜେରା କରୁଛି ପୋଲିସ, ତେବେ ଆଗକୁ ଆହୁରି ଅଧିକ ଯୁବତୀ ଧରାପଡ଼ିବାର ସମ୍ଭାବନା ରହିଛି । ମଜାର କଥା ହେଉଛି, ଶ୍ୱେତା ଜୈନକୁ ପୋଲିସ ବୁଧବାର ଗିରଫ କରିଥିଲେ ମଧ୍ୟ ଗୁରୁବାର ପର୍ଯ୍ୟନ୍ତ ସେ ହ୍ୱାଟସାପରେ ଅନଲାଇନ୍ ଥିଲା । ପୋଲିସ କହିବା ଅନୁସାରେ ଯଦି ଫରେନସିକ ଯାଞ୍ଚ ପାଇଁ ମୋବାଇଲକୁ ଜବତ କରାଯାଇଥିଲା, ତେବେ ତାର ହ୍ୱାଟ୍ସଆପରେ ସେ କିପରି ଅନଲାଇନ୍ ଥିଲା । ପୋଲିସକୁ ଚକମା ଦେବାକୁ ଗିରଫ ପରେ ବି ଭଳିକି ଭଳି ଉପାୟ ଆପଣାଉଛନ୍ତି ଏହି ଯୁବତୀମାନେ । ମୋନିକା ଯାଦବ ଜେରା ସମୟରେ ବେହୋସ୍ ହୋଇପଡ଼ିବାରୁ ତାକୁ ଏମ୍. ବୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 କେମିତି ଚାଲିଥିଲା ରାକେଟ୍ ଆସନ୍ତୁ ଜାଣିବା
* ମଧ୍ୟପ୍ରଦେଶର ବଡ଼ ବଡ଼ ଅଧିକାରୀଙ୍କୁ ଟାର୍ଗେଟ୍ କରୁଥିଲା ଏହି ଗ୍ୟାଙ୍ଗ
* ସୋମାନଙ୍କ ନଜରରୁ ରାଜନେତା ବି ବର୍ତ୍ତି ନ ଥିଲେ
* ବହୁ ମନ୍ତ୍ରୀ ଓ ବିଧାୟକଙ୍କୁ ସେମାନେ ଟ୍ରାପ୍ କରି ସାରିଛନ୍ତି
* ପ୍ରଥମେ ଟାର୍ଗେଟ୍ ସେଟ୍ କରିବା ପରେ ସେମାନେ ତାଙ୍କ ପଛରେ ପଡ଼ି ଯାଉଥିଲେ
* ସେମାନଙ୍କୁ ନିଜ ରୂପର ପ୍ରଲୋଭନ ଦେଖାଇ ଅନ୍ତରଙ୍ଗ ହେଉଥିଲେ
* ଏହାପରେ ସେମାନଙ୍କ ବେଡରୁମରେ ପହଞ୍ଚି ଯାଉଥିଲେ
* ଅନ୍ତରଙ୍ଗ ମୂହୁର୍ତ୍ତର ଦୃଶ୍ୟକୁ ସ୍ପାଏ କ୍ୟାମେରାରେ କରୁଥଇଲେ କଏଦ
* ଏହାପରେ ପରବର୍ତ୍ତୀ ସମୟରେ ତାଙ୍କୁ ଫୋନ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ
କିମ୍ବା  ନିଜେ ମଧ୍ୟସ୍ଥି ସାଜି କୌଣସି ବଡ଼ ଡିଲ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ

ତେବେ ସବୁ କିଛି ସୁରୁଖୁରୁରେ ଚାଲିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ କରିଥିଲା ଏହାର ପର୍ଦ୍ଦାଫାସ । ଏହାପରେ ଗତ ୪ ଦିନ ଧରି ମାମଲାରେ ପୋଲିସକୁ ଆଶ୍ଚର୍ଯ୍ୟ କଲାଭଳି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶ ସରକାରରେ ଥିବା ବହୁ ମନ୍ତ୍ରୀ ଓ ବିଧାୟକ ହନିଟ୍ରାପରେ ପଡ଼ି ସାରିଥିବା ଜଣାପଡ଼ିଛି । ତେବେ ଏହାକୁ ଡେଫେଣ୍ଡ କରିବାକୁ ଯାଇ ମଧ୍ୟପ୍ରଦେଶ ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଘଟଣା ପଛରେ ବିଜେପିର ହାତ ଥିବା ନେଇ ଗନ୍ଧ ବାରିଛନ୍ତି । ଏହାର ଜବାବ ରଖିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେପଟେ ପୂର୍ବତନ ବିଜେପି ବିଧାୟକ ଡ. ନରୋତ୍ତମ ମିଶ୍ରା ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ରାଜ୍ୟ ସରକାର ଏଥିପାଇଁ ସୁପାରିସ ନକଲେ ତାଙ୍କର ଦୋମୁହାଁ ଆଭିମୁଖ୍ୟକୁ ଉଜାଗର କରିବାକୁ ବି ସେ ଧମକ ଦେଇଛନ୍ତି ।  ସେପଟେ ଶାସକ କଂଗ୍ରେସ ବି ମାମଲାରେ ପାଣି ଢାଳିବାକୁ ଚେଷ୍ଟା କରିଛି । କଂଗ୍ରେସ କହିଛି, ସ୍ଥିର ସରକାରକୁ ଅସ୍ଥିର କରିବାକୁ ଏହା ବିରୋଧୀଙ୍କ ଚାଲ୍ । ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ହନିଟ୍ରାପ ମାମଲାରେ ଏବେ ପୋଲିସର ନିଦ ଗାଏବ ହୋଇଯାଇଛି । ଇନ୍ଦୋର ପୋଲିସ ଲଗାତାର ଗିରଫ ଯୁବତୀଙ୍କୁ ପଚରାଉଚରା କରୁଛି । ଆଉ ଏ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ବି ମିଳିଛି । ଯେଉଁଥିପାଇଁ ରାଜ୍ୟର ବହୁ ବଡ଼ ବଡ଼ ଛାମୁଆ ନେତା ଓ ମନ୍ତ୍ରୀଙ୍କର ଛାତିର ସ୍ପନ୍ଦନ ବଢ଼ିଯାଇଛି । ଏବେ ଦେଖିବାର କଥା, ମଧ୍ୟପ୍ରଦେଶ ରାଜନୀତିକୁ ହଲଚଲ କରିଥିବା ଏହି ହନିଟ୍ରାପ୍ କେସର ଶେଷ ପରିଣତି କ'ଣ ହେଉଛି ।