ଉଦ୍ଧବଙ୍କ ଇଣ୍ଟରଭ୍ୟୁ ନେଲେ ସଞ୍ଜୟ ରାଉତ

ମେଣ୍ଟ କଲୁ ବୋଲି କ'ଣ ଧର୍ମ ବଦଳାଇଦେଲୁ: ଉଦ୍ଧବ ଠାକରେ

ଉଦ୍ଧବଙ୍କ ଇଣ୍ଟରଭ୍ୟୁ ନେଲେ ସଞ୍ଜୟ ରାଉତ
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ପୂର୍ଣ୍ଣ ସମର୍ଥନ କରୁଛି ଶିବସେନା । ଦଳ ନିଜର ହିନ୍ଦୁତ୍ୱ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣିବ ନାହିଁ । ସିଏଏ କୌଣସି ନାଗରିକର ନାଗରିକତା ଛଡ଼ାଇ ନେଉନାହିଁ । ତେଣୁ ସିଏଏକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ । ମାତ୍ର ଏନଆରସିକୁ ମହାରାଷ୍ଟ୍ରରେ ଲାଗୁ କରିବାକୁ ଦିଆଯିବ ନାହିଁ । ଏନଆରସି ଲାଗୁ ହେଲେ ନାଗରିକତା ପ୍ରମାଣ ଦେବା ସଭିଙ୍କ ପାଇଁ କଷ୍ଟକର ହେବ । ଶିବସେନାର ଦଳୀୟ ମୁଖପାତ୍ର ସାମନାକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭଳି ମତ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । 

g

ଉଦ୍ଧବଙ୍କ ଇଣ୍ଟରଭ୍ୟୁ ନେଇଥିଲେ 'ସାମନା'ର ସମ୍ପାଦକ ସଞ୍ଜୟ ରାଉତ । ବିଭିନ୍ନ ସମୟରେ ଗଣମାଧ୍ୟମ ଆଗରେ ଶିବସେନାର ପକ୍ଷ ରଖୁଥିବା ସଞ୍ଜୟ ଏହି ଇଣ୍ଟରଭ୍ୟୁରେ ଶିବେସନା ମୁଖ୍ୟଙ୍କ ଆଭିମୁଖ୍ୟକୁ ସଭିଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଠା କରିଛନ୍ତି । ଯଦିଓ ଏହି ଏଣ୍ଟରଭ୍ୟୁର ସମ୍ପୁର୍ଣ୍ଣ ଏପିସୋଡ଼ ଆସନ୍ତା ୩, ୪ ଓ ୫ ତାରିଖରେ 'ସାମନା'ରେ ପ୍ରକାଶିତ ହେବ, ତେବେ ବର୍ତ୍ତମାନ ଏହାର କିଛି ଝଲକ୍ ସଭିଙ୍କ ସାମ୍ନାକୁ ଆସିଛି । 

ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଶିବସେନା କେବେ ମଧ୍ୟ ହିନ୍ଦୁତ୍ୱ ବିଚାରଧାରାକୁ ଛାଡ଼ିନାହିଁ । ଆଉ ଏନେଇ ମଧ୍ୟ କୌଣସି ବୁଝାମଣା କରିନାହିଁ । ଆମେ ମେଣ୍ଟ ସରକାର ଗଠନ କରିଛୁ, ମାତ୍ର ଏହାର ମାନେ ନୁହେଁ ଯେ ଧର୍ମ ବଦଳାଇଦେଇଛୁ । ସିଏଏକୁ ଆମେ ସମର୍ଥନ କରୁଛୁ । ଏହି ଆଇନ ଯୋଗୁଁ କୌଣସି ନାଗରିକର ନାଗରିକତା ଚାଲିଯିବ ନାହିଁ । ମାତ୍ର ଏନଆରସିକୁ ମୁଁ ମହାରାଷ୍ଟ୍ରରେ ଲାଗୁ ହେବାକୁ କେବେବି ଦେବି ନାହିଁ ।''

କହିରଖୁଛୁ, ଏନଆରସିକୁ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ପ୍ରମୁଖ ବିରୋଧ କରିଛନ୍ତି । ନିଜ ନିଜ ରାଜ୍ୟରେ ଏହାକୁ ଲାଗୁ ହେବାକୁ ଦେବେ ନାହିଁ ବୋଲି ଏମାନେ କହିଛନ୍ତି । ଆଉ ଏବେ ଉଦ୍ଧବ ମଧ୍ୟ ଏମାନଙ୍କ ରାସ୍ତା ଆପଣେଇଛନ୍ତି । ଯଦି ଏପରି ହୁଏ, ଏନଆରସିକୁ ଦେଶବ୍ୟାପି ଲାଗୁ କରିବା କେନ୍ଦ୍ର ସରକାରଙ୍କ ପାଇଁ ଅଡ଼ୁଆ ହୋଇପାରେ । 

ଆହୁରି ପଢ଼ନ୍ତୁ; ନିଜ ରେକର୍ଡ଼ ନିଜେ ଭାଙ୍ଗିଲେ ଅର୍ଥମନ୍ତ୍ରୀ, ଅଧାରୁ ବନ୍ଦ କଲେ ବଜେଟ ଭାଷଣ