)
ନୂଆଦିଲ୍ଲୀ: 'ମହା' କ୍ୟାବିନେଟକୁ ପଶିଲା କୋରୋନା । ବରିଷ୍ଠ ଏନସିପି ନେତା ତଥା ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ କୋରୋନା ପଜିଟିଭ ବୋଲି ଜଣାପଡ଼ିଛି । ଗତ ୨୨ ତାରିଖ ରାତିରେ ହାଉସିଂ ମନ୍ତ୍ରୀ ଥାନେର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପରେ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଗତ କିଛି ଦିନ ହେଲା ହୋମ କ୍ୱାରେଣ୍ଟାଇନରେ ଥିଲେ ଜିତେନ୍ଦ୍ର ଆୱାଡ । ତାଙ୍କ ସମେତ ପରିବାରର ୧୫ ଜଣ କ୍ୱାରେଣ୍ଟାଇନରେ ରହିଥିଲେ । ଆଉ ଏହାର କାରାଣ ଥିଲା, କିଛି ଦିନ ପୂର୍ବରୁ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବୈଠକ ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଠାରୁ କୋରୋନା ଏପରି ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।
ସଂକ୍ରମଣ ପଛରେ ଲମ୍ବା ଚେନ୍ !
ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମୁମ୍ୱ୍ରା ଥାନାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଥିଲେ ଜିତେନ୍ଦ୍ର ଆୱାଡ । ନିଜ ନିର୍ବାଚନମଣ୍ଡଳୀରେ ଲକଡାଉନ୍ ଏବଂ ଆଇନ ଶୃଙ୍ଖଳା ନେଇ ଆଲୋଚନା କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ପୋଲିସ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ସମ୍ପୃକ୍ତ ପୋଲିସ ଅଧିକାରୀ ପୂର୍ବରୁ ଜମାତି ଏବଂ କିଛି ବିଦେଶୀ ନାଗରିକଙ୍କ ସଂସ୍ପର୍ଶରେ ଆସିଥିଲେ ।
ତେଣୁ ସତର୍କତାମୂଳକ ଭାବେ ପୋଲିସ ଅଧିକାରୀ ନିକଟ ଅତିତରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସଭିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । ଆଉ ଏହା ମଧ୍ୟରେ ମହାରାଷ୍ଟ୍ର ହାଉସିଂ ମନ୍ତ୍ରୀ ମଧ୍ୟ ଥିଲେ ।