ପ୍ରକାଶ ପରିଡ଼ା, ଭୁବନେଶ୍ୱର: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେ ବି ଲାଗି ରହିଛି ସସପେନ୍ସ । ଗୁରୁବାର ଶିବସେନା ବିଧାୟକ ଦଳ ବୈଠକରେ ବିଜେପିକୁ ସମର୍ଥନ ଦେବା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ସେପଟେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଶିବସେନା NCP ବୈଠକ । ଶରଦ ପାୱାରଙ୍କ ସହ ସଂଜୟ ରାଉତଙ୍କ ଆଲୋଚନା ପରେ ରାଜ୍ୟରେ ସରକାର ଗଠନ ନେଇ ନୂଆ ସମୀକରଣ ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି । ସେପଟେ NCP ଅଧ୍ୟକ୍ଷ ଶରଦ ପାୱାର ସାମ୍ବାଦିକ ସମ୍ମିଳନୀରେ ଶିବସେନା ସହ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ରାଜ୍ୟରେ ବିଜେପି ଶିବସେନା ସରକାର ଗଠନ କରନ୍ତୁ ବୋଲି ପାୱାର କହିଛନ୍ତି । NCP ବିରୋଧୀ ଦଳ ଭାବରେ କାର୍ଯ୍ୟ କରିବ ବୋଲି ପାୱାର କହିଛନ୍ତି । ସେପଟେ ସରକାର ଗଠନ ପାଇଁ ବିଜେପିର ପ୍ଲାନ ବି ପ୍ରସ୍ତୁତ ହୋଇସାରିଥିବା ସୂଚନା ମିଳିଛି । NCP ବିରୋଧୀ ଦଳ ଭାବରେ ନିଜର ଭୂମିକା ନିଭାଇବ ବୋଲି ପାୱାର କହିଛନ୍ତି ।
ରାଜ୍ୟରେ ବିରୋଧୀ ଆସନରେ ବସିବା ପାଇଁ NCP ଚାହୁଁଥିବାବେଳେ ଶିବସେନାର କ୍ଷମତା ଆଶା ଆଲୋଚନାକୁ ନୂଆ ରୂପ ଦେଉଛି । ବୁଧବାର ମଧ୍ୟ ଶିବସେନା ମୁଖପାତ୍ର ଦଳର ପୁରୁଣା ଦାବିକୁ ଦୋହରାଇଛନ୍ତି । ଶିବସେନାର ନଜର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି ବୋଲି ସେ କହିଛନ୍ତି । ନିଷ୍ପତ୍ତି ନେବା ପାଇଁ ମଙ୍ଗଳବାର ସରକାର ଗଠନ ପାଇଁ ବିଜେପିକୁ ୪୮ ଘଣ୍ଟା ମହଲତ ଦେଇଥିଲା ଶିବସେନା । କିନ୍ତୁ ବିଜେପି ଶିବସେନାର ଦାବିକୁ ଅଗ୍ରାହ୍ୟ କରିବା ସହ ରାଜ୍ୟରେ ସରକାର ଗଠନରେ ଶିବସେନାର ସହଯୋଗକୁ ସ୍ୱାଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଥିଲେ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସମୟ ଦୁଇ ସପ୍ତାହ ବିତିଥିଲେ ମଧ୍ୟ ବିଜେପି ଶିବସେନା ମଧ୍ୟରେ ସରକାର ଗଠନ ନେଇ ଏପର୍ଯ୍ୟନ୍ତ ଔପଚାରିକ ବୈଠକ ମଧ୍ୟ ହୋଇପାରିନାହିଁ । ସେପଟେ ୭ ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ଶିବସେନାର ବିନା ସହୟତାରେ ବିଜେପି ସରକାର ଗଠନ ପାଇଁ ପ୍ଲାନ ବି ପ୍ରସ୍ତୁତି କରିସାରିଛି । କିନ୍ତୁ ଏପଟେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଶିବସେନା RSS ର ହସ୍ତକ୍ଷେପ ଲୋଡ଼ିଛି ।