ଗୋଳମାଳିଆ 'ମହା' ନାଟକ

ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କଂଗ୍ରେସ, ଏନସିପି ଓ ଶିବସେନା ମଧ୍ୟରେ ଅନେକ ମାନସ ମନ୍ଥନ ପରେ ବି ନିଷ୍କର୍ସ ବାହାରି ପାରିନାହିଁ । କିନ୍ତୁ ଗଣମାଧ୍ୟମ ସାମ୍ନାରେ ରିପବ୍ଲିକାନ ପାର୍ଟି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଆଠଓ୍ୱାଲେଙ୍କ ପ୍ରତିକ୍ରିୟା ପରେ ମହାରାଷ୍ଟ୍ର ମହାନାଟକରେ ପୁଣିଥରେ ଆସିଛି ନୂଆ ଟ୍ୱିଷ୍ଟ । 

ଗୋଳମାଳିଆ 'ମହା' ନାଟକ
ପ୍ରତୀକାତ୍ମକ ଫଟୋ

ବିକ୍ରମ ସାହୁ, ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କଂଗ୍ରେସ, ଏନସିପି ଓ ଶିବସେନା ମଧ୍ୟରେ ଅନେକ ମାନସ ମନ୍ଥନ ପରେ ବି ନିଷ୍କର୍ସ ବାହାରି ପାରିନାହିଁ । କିନ୍ତୁ ଗଣମାଧ୍ୟମ ସାମ୍ନାରେ ରିପବ୍ଲିକାନ ପାର୍ଟି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଆଠଓ୍ୱାଲେଙ୍କ ପ୍ରତିକ୍ରିୟା ପରେ ମହାରାଷ୍ଟ୍ର ମହାନାଟକରେ ପୁଣିଥରେ ଆସିଛି ନୂଆ ଟ୍ୱିଷ୍ଟ । 

୧୦୫ ସିଟ୍ ହାତେଇ ଥିବା ବିଜେପି ସହ ଶିବସେନାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ନ ଛିଡିବାରୁ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଢିବା ପାଇଁ ଉଦ୍ୟମ କରିଛି । କିନ୍ତୁ ଆଜିକୁ ୨୭ ଦିନ ହେଲା ଏହି ତିନି ଦଳ ଭିତରେ କିନ୍ତୁ ଅଙ୍କ ଛିଡି ପାରୁନି । କମନ ମିନିମମ ପ୍ରୋଗ୍ରାମ ଆଧାରରେ ସରକାର ଗଢିବାକୁ ଉଦ୍ୟମ କରୁଥିବା ଶିବସେନା ଏବେ ଦୋଛକିରେ । ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ମୁଖ୍ୟମନ୍ତ୍ରୀ ପଦ ନେଇ ଅଟଳ ରହିଥିବା ବେଳେ ଗତକାଲି ଏନସିପି ନେତା ଶରଦ ପାଓ୍ୱାରଙ୍କ ବୟାନ ପ୍ରସଙ୍ଗକୁ ଫିକା କରିଛି । 

ଶରଦ ପାଓ୍ୱାରଙ୍କ କହିବାନୁଯାୟୀ, ସରକାର ଗଠନ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସେ କିଛି କଥାବାର୍ତ୍ତା ହୋଇନାହାଁନ୍ତି । ଏପଟେ ଆଠଓ୍ୱାଲେ ଏବେ ବି ଶିବସେନା ଚାହିଁଲେ ବିଜେପିର ଦ୍ୱାର ଖୋଲାଅଛି କହିବା ପରେ ପୁଣିଥରେ ବିଜେପି-ଶିବସେନା ସରକାର ଗଠନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଦେଇଥିବା ବୟାନ ଶିବସେନା ଅବସ୍ଥା ଧୋବି କା କୁତ୍ତା ନା ଘର କା ନା ଘାଟ୍ କା ପରି ମନେହେଇଛି । 

ସଞ୍ଜୟ ରାଉତଙ୍କ କହିବାନୁଯାୟୀ ତାଙ୍କ ପାଖରେ ୧୭୩ ବିଧାୟକ ଅଛନ୍ତି । ଏହା ଯେତିକି ଆଶ୍ଚର୍ଯ୍ୟ ସେତିକି ହାସ୍ୟାସ୍ପଦ ମଧ୍ୟ । ଶିବସେନା ବିଜେପି ସହ ୩:୨ ଫର୍ମୁଲାରେ ସରକାର ଗଢିବ ନା ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଢିବ ତାହା କେବଳ ଦେଖିବାକୁ ବାକି । ମହାରାଷ୍ଟ୍ର ମହାନାଟକରେ ଶିବସେନା ପଙ୍କିଳ ହେବା ଛଡା ଆଉ କୌଣସି ଦଳର କ୍ଷତି ହେଲାଭଳି ମନେହେଉନାହିଁ । କିଏ ଜନତାଙ୍କ ରାୟକୁ ପ୍ରତ୍ୟାଖାନ କରିଛି ତାହା ଯଦି ସରକାର ଗଠନ ନ ହୋଇ ପାରେ, ଆଗାମୀ ଛଅ ମାସ ଭିତରେ ହେବାକୁ ଥିବା ନିର୍ବାଚନରୁ ହିଁ ଜଣାପଡିବ ।