ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ନିଜର ସମସ୍ୟା କୁ ନେଇ ବାରମ୍ବାର ଅଞ୍ଚଳର ଲୋକେ ମେଳି କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢିବାରେ ଲାଗିଛି। ଜଳବନ୍ଦି ଜୀବନ ବିତାଉଥିବା ଲୋକଙ୍କ ପାଇଁ ଗୁରୁପ୍ରିୟା ସେତୁ ପ୍ରଭାବ ଆଣିନଥିବା ବେଳେ ଲୋକେ ଚିରାଚିରତି ଢଙ୍ଗରେ ମାଇଲ ମାଇଲ ବାଟ ଲଞ୍ଚ କିମ୍ବା ଡଙ୍ଗାରେ ଯାତାୟାତ କରୁଛନ୍ତି। ସ୍ଵାଭିମାନ ଅଞ୍ଚଳର ନାକାମାମୁଡି ପଞ୍ଚାୟତର୪୦ ରୁ ଊର୍ଦ୍ଧ୍ଵ ଗ୍ରାମ ଜଳଘେରରେ ଥିବାରୁ ଲୋକେ ସେମାନଙ୍କ ପାଇଁ ଏକ ନୂତନ ପଞ୍ଚାୟତ ନିର୍ମାଣ ଦାବିରେ ବିରାଟ ପ୍ରଜାମେଳି କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ, ଦଶନ୍ଧି ଦଶନ୍ଧି ଧରି ଏଠାକାର ଲୋକେ ଜଳବନ୍ଦୀ ଜୀବନ ବିତାଉଥିବା ବେଳେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି। ଏ ହେଉଛି ସ୍ଵାଭିମାନ ଅଞ୍ଚଳର ଖଜୁରୀଗୁଡା ଗ୍ରାମ, ଗ୍ରାମକୁ ଯିବାପାଇଁ ହେଲେ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ। ପଞ୍ଚାୟତ ଠାରୁ ପ୍ରାୟ ୭୦ କିମି ଦୂରରେ ଥିବା ଏହି ଗ୍ରାମ ପଞ୍ଚାୟତ କୁ ଆସିବାକୁ ହେଲେ ପ୍ରାୟ ୫ ଘଣ୍ଟାର ଜଳଯାତ୍ରା କରି ପଞ୍ଚାୟତ ରେ ପହଞ୍ଚନ୍ତି। ମାସିକ ଭତ୍ତା, ରାସନ କାର୍ଡରେ ଚାଉଳ କିମ୍ବା ଯେକୌଣସି ସରକାରୀ ସୁବିଧା ପାଇବା ପାଇଁ କେବଳ ଖଜୁରୀଗୁଡା ନୁହେଁ ଏହାର ଆଖପାଖ ପ୍ରାୟ ୪୦ଟି ଗ୍ରାମକୁ ଏଭଳି ଦୀର୍ଘସମୟର ବିପଦପୂର୍ଣ ଜଳଯାତ୍ରା କରିବାକୁ ପଡେ। ତେବେ ଏଭଳି ପରିସ୍ଥିତି ରେ ଏହି ଗ୍ରାମବାସୀ ମାନେ ବାରମ୍ବାର ସ୍ଵାଭିମାନ ଅଞ୍ଚଳର ମୁଦୁଲିଗୁଡା ଠାରେ ନୂତନ ପଞ୍ଚାୟତ ନିର୍ମାଣ ପାଇଁ ଦାବି କରୁଥିବା ବେଳେ ଏମାନଙ୍କର ଏହି ଦାବିକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରି ସହ ସହ ଆଦିବାସୀ ସରକାର ବିରୋଧୀ ମେଳି କରିଛନ୍ତି ।
ନାକାମାମୁଡି ପଞ୍ଚାୟତର ପ୍ରାୟ ୭୦୦୦ ହଜାର ଲୋକେ ଜଲବନ୍ଦି ଜୀବନ ବିତାଉଥିବା ବେଳେ ଅଞ୍ଚଳର ଲୋକେ ନିଜର ମୌଳିକ ଅଧିକାର ରୁ ମଧ୍ୟ ବଞ୍ଚିତ ରହୁଛନ୍ତି। ଜଳଘେରରେ ଥିବା ନାକାମାମୁଡି ପଞ୍ଚାଯତର ୪୦ରୁ ଊର୍ଦ୍ଧ୍ଵ ଗ୍ରାମରେ ବର୍ତମାନ ସୁଧା ବିକାଶର ଚିହ୍ନ ଦେଖାଯାଉନି। ମାଟିଝାଟିର କୁଡିଆରେ ଦିନକାଟୁଥିବା ଏହି ଲୋକଙ୍କ ପାଇଁ ନା ଅଛି ରାସ୍ତା ଘାଟ, ନା ଅଛି ସ୍ୱାସ୍ଥ୍ୟ ସେବା। ପଞ୍ଚାୟତକୁ ଆସିବା ପାଇଁ ଗୋଟିଏ ଦିନ ସମୟ ଲାଗୁଥିବାରୁ ଲୋକେ ନିଜର କୌଣସି ସମସ୍ୟା ପାଇଁ ପଞ୍ଚାୟତ କୁ ମଧ୍ୟ ସଠିକ ରୂପେ ଯାଇପାରୁନାହାନ୍ତି। ଫଳରେ ଲୋକେ ନୂତନ ପଞ୍ଚାୟତ ନିର୍ମାଣ ପାଇଁ ଦାବିକରି ଆସୁଥିବା ବେଳେ ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ ନହେଲ ପରସ୍ଥିତି ଭୟଙ୍କର ହେବାନେଇ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।