ଭୋକର ଭୂଗୋଳରେ ଓଡିଶାର ଭବିଷ୍ୟତ !

ଅପପୁଷ୍ଟି କବଳରେ ଓଡିଶାର ଭବିଷ୍ୟତ !  ଥମୁନି ଅପପୁଷ୍ଟି ଜନିତ ମୃତ୍ୟୁ । ରାଜ୍ୟରେ ରାକ୍ଷାସ ରୂପରେ ଏହା ଉଭା ହୋଇଛି । ଦିନେ ନଗଡା ହିଁ ବଖାଣିଥିଲା ଓଡିଶାର ଅପପୁଷ୍ଟିର କାହାଣୀ । ଆଉ ନିକଟରେ ପ୍ରକାଶ ପାଇଥିବା ମେଡିକାଲ ସାର୍ଟିଫିକେଟ କଜ୍ ଅଫ ଡେଥ(MCCD) କହୁଛି ରାଜ୍ୟରେ ଅପପୁଷ୍ଟିର ଅସଲ ଚିତ୍ର । 

ଭୋକର ଭୂଗୋଳରେ ଓଡିଶାର ଭବିଷ୍ୟତ !
ପ୍ରତୀକାତ୍ମକ ଫଟୋ

ଧର୍ମେନ୍ଦ୍ର ପ୍ରଧାନ, ନୂଆଦିଲ୍ଲୀ: ଅପପୁଷ୍ଟି କବଳରେ ଓଡିଶାର ଭବିଷ୍ୟତ !  ଥମୁନି ଅପପୁଷ୍ଟି ଜନିତ ମୃତ୍ୟୁ । ରାଜ୍ୟରେ ରାକ୍ଷାସ ରୂପରେ ଏହା ଉଭା ହୋଇଛି । ଦିନେ ନଗଡା ହିଁ ବଖାଣିଥିଲା ଓଡିଶାର ଅପପୁଷ୍ଟିର କାହାଣୀ । ଆଉ ନିକଟରେ ପ୍ରକାଶ ପାଇଥିବା ମେଡିକାଲ ସାର୍ଟିଫିକେଟ କଜ୍ ଅଫ ଡେଥ(MCCD) କହୁଛି ରାଜ୍ୟରେ ଅପପୁଷ୍ଟିର ଅସଲ ଚିତ୍ର । 

ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି, ଗତ ୨୦୧୬-୧୭ରେ ଜଣେ ମଧ୍ୟ ଶିଶୁଙ୍କ ଅପପୁଷ୍ଟି ଜନିତ ମୃତ୍ୟୁ ହୋଇନାହିଁ । ହେଲେ MCCD ରିପୋର୍ଟ କହୁଛି, ଉକ୍ତ ମସିହାରେ ୬ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ମୁତ୍ୟୁ ମୁଖରେ ପଡିଛନ୍ତି । ଏହି ରିପୋର୍ଟ ରେଜିଷ୍ଟାର ଜେନେରାଲ ଅଫ ଇଣ୍ଡିଆ( RGI) ଦ୍ୱାରା ପ୍ରକାଶ ପାଇଛି । ଓଡିଶାରେ ବାର୍ଷିକ ୧୧।୭ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ହେଉଥିବା ଏ ରିପୋର୍ଟରୁ ଜଣାପଡିଛି ।  

ଏତ ଗଲା ଜାତୀୟ ସ୍ତରର ରିପୋର୍ଟ କଥା । ଯଦି ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ଉନ୍ନୟନ ବିଭାଗ ରିପୋର୍ଟକୁ ଅନୁଧ୍ୟାନ କରିବା, ତେବେ ଗତ ଦଶନ୍ଧିରେ କଳାହାଣ୍ଡିରେ ସବୁଠାରୁ ଅଧିକ ୩ ହଜାର ୧୧୪ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । କନ୍ଧମାଳରେ ଏହି ସଂଖ୍ୟା ରହିଛି ୨ ହଜାର ୮୮୭ । କଳାହାଣ୍ଡି ପରେ ଏହା ଦ୍ୱିତୀୟରେ ରହିଛି । ସେହିପରି UNICEFର ରିପୋର୍ଟ ଅନୁସାରେ, ରାଜ୍ୟର ୫୦% ମା'  ନିୟମିତ ସ୍ଥନ୍ୟପାନର ଅଭ୍ୟାସ କରୁଥିବା ବେଳେ ୨୨%  ମା' ମହତ୍ୱପୂର୍ଣ୍ଣ ସମୟରେ ହାତ ଧୋଇଥାନ୍ତି ।  

ଯଦି ୨୦୧୮ ମସିହାର ତଥ୍ୟ ଦେଖିବା, ତେବେ ୨୬ ହଜାର ୧୮୪ ଶିଶୁ  ଅପପୁଷ୍ଟିର ଶିକାର ହୋଇଥିଲେ । ଗମ୍ଭୀର ଭାବେ ଏମାନଙ୍କ ଓଜନ କମିଛି । ଖୋଦ ବିଧାନସଭାରେ ଏକଥା ସରକାର ସ୍ୱୀକାର ମଧ୍ୟ କରିଛନ୍ତି । 

ଅପପୁଷ୍ଟି କ'ଣ ?

  • ବୟସ ଅନୁଯାୟୀ ଉଚ୍ଚତା ନ ବଢିବା । 
  • ଉଚ୍ଚତା ଓ ବୟସ ଅନୁଯାୟୀ ଓଜନ ନ ବଢିବା । 
  • ବୟସ ଅନୁପାତରେ କମ ଓଜନ । 
  • ୨,୫୦୦ ଗ୍ରାମରୁ କମ ଓଜନରେ ଶିଶୁ ଜନ୍ମ ନେବା । 

କାହିଁକି ହୁଏ ଅପପୁଷ୍ଟି ?

ଶିଶୁଙ୍କୁ ସଠିକ ପ୍ରୋଟିନ ନମିଳିବା ଏହି ରୋଗର ମୁଖ୍ୟ କାରଣ । କ୍ୱାଶିୟରକର ଏକ ପ୍ରକାର ଅପପୁଷ୍ଟି । ବିଶେଷ କରି ସଠିକ ପରିମାଣରେ ଶିଶୁକୁ ମା' କ୍ଷୀର ନମିଳିବା ଦ୍ୱାରା ମଧ୍ୟ ଏଭଳି ରୋଗ ଦେଖାଯାଇଥାଏ । କେବଳ ଶିଶୁ କାହିଁକି, ପୁରୁଷ ଓ ମହିଳା ମଧ୍ୟ ଅପପୁଷ୍ଟିର ଶିକାର ହୋଇଥାନ୍ତି । ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଏକ୍ଷେତ୍ରରେ ଅଧିକ । 

ଏହି ରୋଗରୁ ମୁକ୍ତି ପାଇବା ନେଇ ରାଜ୍ୟରେ ବହୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେବେ ଏହି ସବୁ କାର୍ଯ୍ୟକ୍ରମ ଆହୁରି କ୍ରିୟାଶୀଳ ହେବା ଉପରେ ଗୁରୁତ୍ୱାରୋପ କରିଛି UNICEF । ଏହା କ୍ରିୟାଶୀଳ ହେଲେ ଅପପୁଷ୍ଟି ଜନିତ ରୋଗକୁ ହ୍ରାସ କରାଯାଇପାରିବ ବୋଲି UNICEF ପକ୍ଷରୁ କୁହାଯାଇଛି । ଏବେ ଅପେକ୍ଷା, ନିଷ୍ପପ ଶିଶୁ କେବେ ଅପପୁଷ୍ଟି କବଳରୁ ମୁକ୍ତି ପାଉଛନ୍ତି ।