ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟର ଗୋଟିଏ ଦଳର ସରକାର ମଡେଲ ଫେଲ ହୋଇଯାଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ସବୁଠାରୁ ଅଧିକ ଦେଖାଦେଇଛି ।
Trending Photos
ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବାକୁ ଲାଗିଛି । ବିଗତ ଦିନରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର(ଜିଡିପି) ୫ ପ୍ରତିଶତକୁ ଖସି ଆସିଛି । ଯାହା ଦେଶର ଆର୍ଥିକ ମାନ୍ଦାବସ୍ଥାର ସଙ୍କେତ ଦେଉଛି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟର ଗୋଟିଏ ଦଳର ସରକାର ମଡେଲ ଫେଲ ହୋଇଯାଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ।
ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ସବୁଠାରୁ ଅଧିକ ଦେଖାଦେଇଛି । ରାଜ୍ୟର ମାନ୍ୟୁଫ୍ୟାକ୍ଚରିଙ୍ଗି ଅଭିବୃଦ୍ଧି ହାର କ୍ରମାଗତ ୪ ବର୍ଷ ଧରି ହ୍ରାସ ପାଇ ଚାଲିଛି । ଚୀନୀ ଦ୍ରବ୍ୟ ଯୋଗୁ ମହାରାଷ୍ଟ୍ରରେ ପ୍ରୋଡକ୍ଟ ମାନ୍ୟୁଫ୍ୟାକ୍ଟରିଙ୍ଗ ଉପରେ ବିପରୀତ ପ୍ରଭାବ ପଡି ଚାଲିଛି । ଏହାସହ ଉଦ୍ୟୋଗିକ ସେକ୍ଟରରେ ହ୍ରାସ ଦେଖାଦେଇଛି । ବ୍ୟବସାୟୀକ ସେଣ୍ଟିମେଣ୍ଟ ତଳକୁ ଖସିଛି ବୋଲି ପୂର୍ବତନ ପ୍ରଧାମନ୍ତ୍ରୀ ସିଂହ କହିଛନ୍ତି ।
ଆତ୍ମହତ୍ୟାରେ ନମ୍ବର ୧ ରାଜ୍ୟ ମହାରାଷ୍ଟ୍ର
ମନମୋହନ ସିଂହ କହିଛନ୍ତି ଯେ, ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ କୌଣସି ସୁଯୋଗ ନାହିଁ । ଯୁବବର୍ଗ କମ ଦରମାରେ ଚାକିରୀ କରିବାକୁ ବାଧ୍ୟ ହେଉଛନ୍ତି । କୌଣସି ଏକ ସମୟରେ ମହାରାଷ୍ଟ୍ର ନିବେଶ ପାଇଁ ନମ୍ବର ୧ ପ୍ରଦେଶ ଥିଲା । ବର୍ତ୍ତମାନ ସମୟରେ ରାଜ୍ୟ ଆତ୍ମହତ୍ୟାରେ ନମ୍ବର ୧ ରହିଛି ବୋଲି ସେ କହିଛନ୍ତି ।
ପିଏମସି ଜମାକାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ
ସେ ଆହୁରି କହିଛନ୍ତି ଯେ, ସଙ୍କଟରେ ଥିବା ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କର ୧୬ ଲକ୍ଷ ଜମାକାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ମୁମ୍ବାଇରେ ପିଏମସି ଜମାକାରୀଙ୍କ ସହ ସାକ୍ଷାତ କରି ସେ କହିଛନ୍ତି ଯେ, ପିଏମସିରେ ଯାହା ହୋଇଛି, ତାହା ହେଉଛି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ଅନୁରୋଧ କରୁଛି, ଏହି ବିଷୟଟିକୁ ତତ୍କାଳ ଦେଖନ୍ତୁ ଓ ଏହାର କିଛି ସମାଧାନ ବାଟ ବାହାର କରନ୍ତୁ । ଏହି ମାମଲା ସୁପ୍ରିମୋକୋର୍ଟରେ ବିଚାରଧୀନ ରହିଥିବାରୁ ଏହା ଉପରେ ଅଧିକ ଟିପ୍ପଣୀ କରିବାକୁ ମନା କରିଥିଲେ ସେ।
ଆମ ଭୁଲରୁ ମୋଦି ସରକାର ଶିକ୍ଷା ନିଅନ୍ତୁ
ଅର୍ଥମନ୍ତ୍ରୀ ନିର୍ମଳାସୀତାରଣଙ୍କ ମନ୍ତବ୍ୟ ଉପରେ ସେ କହିଛନ୍ତି ଯେ, କଂଗ୍ରେସରେ ଯାହା ହୋଇଥିଲା, ସେଥିରେ କିଛି ଦୁର୍ବଳତା ଥିଲା । କିନ୍ତୁ ଏହି ସରକାର ଆମ ଦୁର୍ବଳତାରୁ ଶିକ୍ଷା ନେଇ ଅର୍ଥନୀତିରେ ଦେଖା ଦେଇଥିବା ସମସ୍ୟାର ସମାଧାନ କରିବା ଆବଶ୍ୟକ । ଆପଣ ପ୍ରତି ବର୍ଷ ୟୁପିଏ ସରକାରଙ୍କୁ ସମାଲୋଚନା କରି ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଇ ପାରିବେ ନାହିଁ । ଆପଣଙ୍କୁ ଏହାର ସମାଧାନ ବାଟ ବାହାର କରିବାକୁ ପଡିବ ।
୫ ବର୍ଷରେ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ଅସମ୍ଭବ
୫ ବର୍ଷରେ ୫ ଟ୍ରିଲିୟନର ଅର୍ଥ ବ୍ୟବସ୍ଥା କରିବା ମୋଦି ସରକାରଙ୍କ ବଡ ଲକ୍ଷ୍ୟ । ଯାହା ଉପରେ ମନମୋହନ ସିଂହ କହିଛନ୍ତି ଯେ ମୁଁ ପ୍ରଥମରୁ କହି ସାରିଛି ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ପାଇଁ ପ୍ରତିବର୍ଷ ୧୦ରୁ ୧୨ ପ୍ରତିଶତ ହାରରେ ଜିଡିପି ବୃଦ୍ଧି ହେବାକୁ ପଡିବ, କିନ୍ତୁ ଚଳିତ ବର୍ଷର ଜିଡିପି ବୃଦ୍ଧି ହାରରେ ହ୍ରାସ ଦେଖା ଦେଇଛି ।
ବେକାରୀ ସମସ୍ୟାର ସମାଧାନ
ସେ ଆହୁରି କହିଛନ୍ତି ଯେ, ବେକାରୀ ସମସ୍ୟାର ସମାଧାନ ହିଁ ଅର୍ଥ ବ୍ୟବସ୍ଥାକୁ ଅଭିବୃଦ୍ଧି କରିବାରେ ସହାୟକ ହେବ।