ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଢିଲା ବିଜେପି-ଜେଜେପି ମେଣ୍ଟ । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମନୋହର ଲାଲ ଖଟ୍ଟର । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆରମ୍ଭ ହୋଇଛି ଖଟ୍ଟରଙ୍କ ଦ୍ୱିତୀୟ ପାଳି । ଏପଟେ ଉପମୁଖ୍ୟମନ୍ତ୍ରୀ ଭାବରେ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଶପଥ ନେଇଛନ୍ତି ।
ଆଜି ହରିୟାଣା ରାଜଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଉପମୁଖ୍ୟମନ୍ତ୍ରୀ ଭାବରେ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
ହରିୟାଣାରେ ସରକାର ଗଠନ ପାଇଁ ବିଜେପି-ଜେଜେପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ ଆଜି ଆରମ୍ଭ ହୋଇଛି ମନୋହର ୨।୦ ସରକାର । ପୁଣିଥରେ ହରିୟାଣାର ଶାସନ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ହାତରେ । ଆଉ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।
ଶନିବାର ବିଜେପି ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ରାଜି ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶପଥ ଗ୍ରହଣ ଉତ୍ସବର କିଛି ସମୟ ପୂର୍ବରୁ ପାରୋଲରେ ବାହାରିଛନ୍ତି ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ବାପା ଅଜୟ ଚୌଟାଲା। ଶନିବାର ଗୃହ ବିଭାଗର ଅନୁମତି କ୍ରମେ ତିହାର ଜେଲ ପ୍ରଶାସନ ତାଙ୍କୁ ୧୪ ଦିନିଆ ପାରୋଲ ପାଇଁ ଅନୁମତି ଦେଇଥିଲେ । ପୁଅର ଶପଥ ଗ୍ରହଣ ଉତ୍ସବରେ ଅଜୟ ମଧ୍ୟ ସାମିଲ ହୋଇଥିଲେ ।
ମନୋହର ଲାଲ ଖଟ୍ଟର ହରିୟାଣାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ସମୟର ଦୃଶ୍ୟ । #BJP #ManoharLalKhattar #JJP #DushyantChautala pic.twitter.com/7u0Mt4qy7y
— ZEE Odisha (@ZeeOdisha) October 27, 2019
କହିରଖୁଛୁ, ଏବେ ବିଧାନସଭାରେ ଖଟ୍ଟର ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ । କାହିଁକିନା ଜେଜେପି(୧୦) ଏବଂ ୭ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଇଛନ୍ତି । ମ୍ୟାଜିକ ନମ୍ବର ୪୬ ଥିବା ବେଳେ ଖଟ୍ଟର ସରକାରଙ୍କୁ ୫୭ ବିଧାୟକଙ୍କ ସମର୍ଥନ ରହିଛି ।
୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଚଳିତ ନିର୍ବାଚନରେ କୌଣସି ଦଳ ମଧ୍ୟ ମ୍ୟାଜିକ ନମ୍ବର ୪୬ ଛୁଇଁ ପାରିନାହାଁନ୍ତି । ବିଜେପିକୁ ସର୍ବାଧିକ ୪୦ ଆସନ ମିଳିଥିବା ବେଳେ କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନ ପାଇଛି । ତେବେ ପ୍ରଥମେ ୫ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିବା ପରେ ବଦଳିଥିଲା ଚିତ୍ର । ଶୁକ୍ରବାର ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ ବିଜେପିକୁ ସମର୍ଥନ ନେଇ ଜେଜେପି ମୁଖ୍ୟ ଚୌଟାଲା ଘୋଷଣା କରିଥିଲେ ।