ଭୁଶୁଡ଼ୁଛି ଲାଲଗଡ଼, ମାଓ ହୁକୁମକୁ ଜନତାଙ୍କ ନା
Advertisement

ଭୁଶୁଡ଼ୁଛି ଲାଲଗଡ଼, ମାଓ ହୁକୁମକୁ ଜନତାଙ୍କ ନା

ମାଓଗଡ଼ରେ ମାଓବାଦୀଙ୍କୁ ନିସ୍ତୁକ ଛେଚିଲେ ଜନତା, ୧ ମୃତ

ପ୍ରତୀକାତ୍ମକ ଫଟୋ

ଅଶୋକ ମିଶ୍ର, ମାଲକାନଗିରି: ଜନରାଜ୍ୟ ଦିବସ ଅବସରରେ ମାଓବାଦୀଙ୍କୁ ଜବାବ ଦେଲେ ଜନତା । ମାଓଗଡ଼ରେ ସବୁବେଳେ ସାଧାରଣ ଲୋକଙ୍କ ଉପରେ ନିଜ ହୁକୁମ ଜାହିର କରୁଥିଲେ ମାଓବାଦୀ । ହେଲେ ଏଥର ମାଓ ଗାଲରେ ଶକ୍ତ ଚାପୁଡ଼ା ଦେଇଛନ୍ତି ସାଧାରଣ ଲୋକ । ମାଓ ଅତ୍ୟାଚାରକୁ ବିରୋଧ କଲେ, ମାଓବାଦୀଙ୍କୁ ଠେସିଲେ । ପ୍ରଥମଥର ପାଇଁ ମାଓବାଦୀ-ଜନତା ମୁହାଁମୁହିଁ । ଆଉ ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି । ଗୁରୁତର ମାଓବାଦୀ ଏବେ ପୋଲିସ ହେପାଜତରେ । 

ଶନିବାର ବିଳମ୍ବିତ ରାତିରେ ସ୍ଵାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ଆସିଥିଲେ ପ୍ରାୟ ୨୫ରୁ ଊର୍ଦ୍ଧ୍ଵ ମାଓବାଦୀ । ଅଞ୍ଚଳରେ ହେଉଥିବା ବିକାଶମୂଳକ କାମକୁ ବିରୋଧ କରିବା ସହ ପୋଲିସକୁ ମଧ୍ୟ ବିରୋଧ କରିବା ପାଇଁ ସାଧାରଣ ଲୋକଙ୍କୁ ମତେଇଥିଲେ ଲାଲବାହିନୀ । ଏମିତିକି ଆଦେଶ ମଧ୍ୟ ଦେଇଥିଲେ । ହେଲେ ମାଓବାଦୀଙ୍କ କଥାକୁ ଆଉ ମାନିବାକୁ ପ୍ରସ୍ତୁତ ନଥିଲେ ସାଧାରଣ ଲୋକ । ମାଓବାଦୀ ଓ ଜନତାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ  ସ୍ଥାନୀୟ ଲୋକେ ମାଓବାଦୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସାଧାରଣ ଲୋକଙ୍କ ଆକ୍ରୋଶ ଦେଖି ଅନେକ ମାଓବାଦୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ହେଲେ ଜନତାଙ୍କ ସାମ୍ନାରୁ ଖସି ପାରିନଥିଲେ ୨ ମାଓବାଦୀ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି । 

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାଓବାଦୀଙ୍କୁ ଉଦ୍ଧାର କରିଥିଲା । ମୃତ ମାଓବାଦୀର ନାଁ ଆଡ଼ମା । ଯିଏକି ମାଲକାନଗିରି ଗୁମ୍ମା ମାଓ ଡିଭିଜନରେ ପାର୍ଟି ମେମ୍ବର ରୂପେ କାର୍ଯ୍ୟ କରୁଥିଲା । ଆଡ଼ମା ନାଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଥିଲା । ସେହିପରି ଆହତ ମାଓବାଦୀର ନାଁ ଜିପ୍ରୋ । ମାଓ ଦଳରେ ଏରିଆ କମାଣ୍ଡର ରୂପେ କାର୍ଯ୍ୟ କରୁଥିଲା ଜିପ୍ରୋ । ତା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରଯାଇଥିଲା । 

ଅନ୍ୟପଟେ ଏଥିରେ ମାଓବାଦୀମାନେ ଉତ୍ୟକ୍ତ ହୋଇ ଅଞ୍ଚଳରେ ଅନେକ ଘର ଭାଙ୍ଗିବା ସହ ଲୋକଙ୍କୁ ମାଡ଼ ମରିଥିବା ସୂଚନା ମିଳିଛି । ଗ୍ରାମରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ମାଲକାନଗିରି ଏସପି କହିଛନ୍ତି । 

ଆହୁରି ପଢ଼ନ୍ତୁ; ଜମ୍ମୁ-କାଶ୍ମୀରବାସୀଙ୍କୁ ଏମିତି କହିଲେ ଉପ-ରାଜ୍ୟପାଳ