)
ବେଜିଂ: କୋଭିଡ19 ପାଇଁ ଚର୍ଚ୍ଚାରେ ରହିଛି ଚୀନର ଉହାନ ସହର | ଏଠାରୁ କାୟା ବିସ୍ତାର ଆରମ୍ଭ କରି ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇଥିଲା କୋରୋନା ଭାଇରସ | ଆଉ ଏହି ମହାମାରୀରୁ ମୁକ୍ତି ପାଇବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି | ଯାହାକୁ ବେଶ କିଛି ସମୟ ଧରି ଚୀନରେ କଡାକଡି ଭାବେ ଲାଗୁ କରାଯାଇଥିଲା |
ମାତ୍ର ଏବେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି | କୋରୋନାରୁ ବର୍ତ୍ତିବା ଲାଗି ମାସାଧିକ କାଳ ମାସ୍କ ପିନ୍ଧିଥିବା ଚୀନର ବେଜିଂ ବାସିନ୍ଦାଙ୍କୁ ଏବେ ଆଶ୍ୱସ୍ତି ମିଳିଛି | କାରଣ ଏଠାରେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା ପାଇଁ କରାଯାଇଥିବା ନିୟମକୁ କୋହଳ କରାଯାଇଛି | ବିଶ୍ୱରେ କୋରୋନା ପ୍ରକୋପ ଜାରି ରହିଥିବା ବେଳେ ବେଜିଂ ହେଉଛି ପ୍ରଥମ ସହର ଯେଉଁଠି କୋରୋନା ଜନିତ ସ୍ଥିତି ନିୟନ୍ତ୍ରଣରେ ରହିଛି |
ଏନେଇ ଚୀନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି, ବେଜିଂସ୍ଥିତ 'ସେଣ୍ଟର ଫର ଡିଜିଜ୍ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ' ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି | ଏହା ସହିତ ଘରୁ ବାହାରିବା ବେଳେ ଲୋକଙ୍କ ପାଇଁ ବର୍ତ୍ତମାନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ | କୋରୋନା ସଂକ୍ରମଣ ଜନିତ ସଂଖ୍ୟା ଧିରେ ଧିରେ କମିବା ପରେ ଚୀନରେ ସ୍ଥଗିତ ଥିବା ସଂସଦର ଅଧିବେଶନକୁ ମେ ୨୨ ତାରିଖରୁ ପୁନର୍ବାର ଚାଲୁ କରାଯିବ |
ଏହା ସହିତ ଦେଶର ବାଣିଜ୍ୟକ କ୍ଷେତ୍ର କୁହାଯାଉଥିବା ସଂଘାଇରେ ସ୍କୁଲ ଖୋଲାଯିବା ସହ ବିମାନ ସେବାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ନେଇ ଘୋଷଣା କରାଯାଇଛି | ଅନ୍ୟପଟେ ଜାରି ରହିଛି ଅନଲାଇନ କ୍ଲାସ | ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ଦେଶର କେତେକ ପର୍ଯ୍ୟଟନସ୍ଥଳକୁ ପୁନର୍ବାର ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି | ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି |