)
ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟର ମଉଡ଼ମଣି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଜନ୍ମ ଦିନ ଆଜି। କିନ୍ତୁ ଆଜିର ପରିସ୍ଥିତିକୁ ଦେଖି ନିଜର ଜନ୍ମ ଦିନ ପାଳନ ନ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ତାଙ୍କର ପାଗଳପ୍ରାୟ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଗଦା ଗଦା ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ସେହିପରି ବିସିସିଆଇ ଇଂଲଣ୍ଡ ବିପକ୍ଷରେ ୨୦୦୮ ମସିହାରେ ଟେଷ୍ଟରେ କରିଥିବା ଶତକୀୟ ଇଂନିସ କିଛି ମୁହୂର୍ତ୍ତକୁ ଦର୍ଶାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।
ଏହି ଜନ୍ମଦିନ ଅବସରରେ ସଚିନ ତାଙ୍କ ମା'ଙ୍କ ପାଦ ଛୁଇଁ ଆଶିର୍ବାଦ ନେଇଛନ୍ତି। ଆଜି ମା'ଙ୍କର ପାଦ ଛୁଇଁ ଦିନ ଆରମ୍ଭ କରିଥିବା ନେଇ ନିଜେ ସଚିନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସଚିନ ଟ୍ୱିଟରରେ ଲେଖିଛନ୍ତି କି, ମା'ଙ୍କ ଠାରୁ ଆଶିର୍ବାଦ ନେଇ ଆଜିର ଦିନ ଆରମ୍ଭ କରୁଛି। ସେ ମୋତେ ଗଣପତି ବପ୍ପାଙ୍କର ଏକ ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି।
ସେପଟେ କେବଳ ବିସିସିଆଇ ନୁହେଁ, ଆଇସିସି ମଧ୍ୟ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଆଇସିସି କହିଛି ଯେ, ସଚିନଙ୍କୁ ଜନ୍ମ ଦିନର ଶୁଭେଚ୍ଛା। ଆଜି ପର୍ଯ୍ୟନ୍ତ ସେ ଜବରଦସ୍ତ ବ୍ୟାଟସମ୍ୟାନ ଭାବେ ବିବେଚିତ ହୋଇଛନ୍ତି। ସଚିନ ତେନ୍ଦୁଲକର ୨୦୦ ଟେଷ୍ଟରୁ ୫୩।୭୯ ହାରରେ ୧୫୯୨୧ ଓ ୪୬୩ ଦିନିକିଆରୁ ୪୪।୮୩ ହାରରେ ୧୮୪୨୬ ରନ ସଂଗ୍ରହ କରିଛନ୍ତି। ସେହିପରେ ଦିନିକିଆରେ ୪୯ଟି ଓ ଟେଷ୍ଟରେ ୫୧ଟି ମୋଟ ୧୦୦ଟି ଶତକ ହାସଲ କରିଛନ୍ତି।