ଜେଲରେ ଥାଇ କରୁଛନ୍ତି ଚୋରି !

ଏକ ଅପରାଧିକ ମାମଲାରେ  ଗିରଫ ହେଲେ । ୨୦ ଦିନ ଜେଲରେ ବି ରହିଲେ । ହେଲେ ଜେଲରେ ଥିବା ସେହି ସମୟ ମଧ୍ୟରେ ସେ ଅନ୍ୟ ଏକ  ସ୍ଥାନରେ ହୋଇଥିବା ଚୋରି ଘଟଣାରେ ପାଲଟିଗଲେ ଅଭିଯୁକ୍ତ ।

 ଜେଲରେ ଥାଇ କରୁଛନ୍ତି ଚୋରି !
ଫାଇଲ ଫଟୋ

ହିତାଂଶୁ ଶେଖର ମହନ୍ତ, ଭୁବନେଶ୍ୱର: ଏକ ଅପରାଧିକ ମାମଲାରେ  ଗିରଫ ହେଲେ । ୨୦ ଦିନ ଜେଲରେ ବି ରହିଲେ । ହେଲେ ଜେଲରେ ଥିବା ସେହି ସମୟ ମଧ୍ୟରେ ସେ ଅନ୍ୟ ଏକ  ସ୍ଥାନରେ ହୋଇଥିବା ଚୋରି ଘଟଣାରେ ପାଲଟିଗଲେ ଅଭିଯୁକ୍ତ । ଏଭଳି ଏକ ଅଭାବନୀୟ ଘଟଣା ଏବେ ମୟୂରଭଞ୍ଜ ଉଦଳାରେ  ପାଲଟିଛି ଚର୍ଚ୍ଚାର ବିଷୟ । କେମିତି ପୋଲିସ ମିଛ ମାମଲାରେ ପୁରୁଣା ଅଭିଯୁକ୍ତଙ୍କୁ ଛନ୍ଦିଥାଏ, ଇଏ ତା'ର ଏକ ଉଦାହରଣ । ସବୁଠୁ ବଡ଼କଥା ହେଉଛି, ପୋଲିସ ମିଛ ମାମଲାରେ ଜଣକୁ ଜଡ଼ିତ କରିବାକୁ ଯାଇ ଏକଥା ବି ଭୁଲି ଯାଇଥିଲା ଯେ, ସେ ଘଟଣା ଘଟିବା ବେଳେ ଥିଲେ କେଉଁଠି ? ଏବେ ଏହି ଅପାରଗପଣିଆ ପଦାରେ ପଡ଼ିବା ପରେ ପୋଲିସ କେଉଁଠି ମୁହଁ ଲୁଚାଇବ, ଜାଗା ଖୋଜି ପାଉନାହିଁ ।

ଏ କଥାକୁ ଦେଖି କୁହାଯାଇ ପାରିବ, ଜିଲ୍ଲାରେ ଅପାରଗ ପୋଲିସ, ଅସହାୟ ଆଇନ । ଲୋକହସା ମୟୂରଭଞ୍ଜ ପୋଲିସ, ନିଜ ଅପାରଗତା ଲୁଚାଇବାକୁ ଅନ୍ୟ ଉପରେ ଲଦୁଛି ଦୋଷ । ବିଚାରାଧୀନ କଏଦୀଙ୍କ ନାମରେ ଚୋରି ଅଭିଯୋଗ । ଜେଲରେ ଥିଲେ, ଚୋରି କଲେ କେମିତି ? ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁଁ ପୋଲିସ ହଟହଟା । ମିଛ ମାମଲାରେ ଲୋକଙ୍କୁ ଛନ୍ଦୁଛି ପୋଲିସ । ପୁଣି ସାମ୍ନାକୁ ଆସିଲା ମୟୂରଭଞ୍ଜ ଜିଲ୍ଲା ଉଦଳା ପୋଲିସର ଅପାରଗପଣିଆ । ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟ ଉପରେ ଦୋଷ ଲଦୁଛି ଏଠାକାର ପୋଲିସ । ଏକ ଅପରାଧିକ ମାମଲାରେ ଛନ୍ଦି ହୋଇ ସେ ଥିଲେ ଜେଲରେ । ଆଉ ଜେଲରେ ଥିବା ବେଳେ ହିଁ ପୋଲିସ ତାଙ୍କ ନାମରେ ରୁଜୁ କଲା ଆଉ ଏକ ଚୋରି ମାମଲା । ହେଲେ ଜଣେ ଜେଲରେ ଥାଇ ଅନ୍ୟଏକ ଅପରାଧରେ ସଂଶ୍ଳିଷ୍ଟ ହେଲେ କିପରି ? ଏହା ଏବେ ତମାମ ଜିଲ୍ଲାରେ ପୋଲିସର ପାରିବାପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଆଉ ନିଜ ଗୁଳିରେ ନିଜେ ଶିକାର ହୋଇ  ହଟହଟା ହୋଇଛି ଉଦଳା ପୋଲିସ ।

ଉଦଳା ଥାନା ନୂଆସାହି ଗ୍ରାମର ରମାକାନ୍ତ ନାୟକଙ୍କୁ ଗତ ୮ ନଭେମ୍ବର ୨୦୧୮ରେ ପୋଲିସ ଗିରଫ କରି ଉଦଳା ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର କରିଥିଲା । ଅଭିଯୁକ୍ତ ରମାକାନ୍ତ ନାୟକଙ୍କ ନାମରେ ଉଦଳା ଥାନାରେ ଏଫଆଇଆର ନଂ. ୭୫/୧୮ ରୁଜୁ ହୋଇଥିଲା । ୧୧୦ ସିଆରପିସିରେ ସେ ଗିରଫ ହୋଇଥିବା ପୋଲିସ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଥିଲା । ରମାକାନ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୨୨ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଜେଲକୁ ପଠାଇ ଦିଆଯାଇଥିଲା । ଏହାପରେ ମଧ୍ୟ ତାଙ୍କୁ ମିଳି ନ ଥିଲା ଜାମିନ । ଫଳରେ ସେ ଜେଲରେ ବିଚାରାଧୀନ କଏଦୀ ଭାବରେ ରହିଥିଲେ । ଶେଷରେ ସେହି ନଭେମ୍ବର ୨୯ ତାରିଖ ସେ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପାଇଥିଲେ । 

ଇଏ ହେଉଛି ମୋଟାମୋଟି ଘଟଣା । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୧ ନଭେମ୍ବର ୨୦୧୮ରେ ଏକ ଚୋରି ଘଟଣାରେ ତାଙ୍କ ସମ୍ପୃକ୍ତି ନେଇ ପୋଲିସ ତାଙ୍କୁ ଜେଲରୁ ବାହାରିବା ପରେ ପୁଣି ଗିରଫ କରିଥିଲା । ୮ ନଭେମ୍ବର ୨୦୧୮ରୁ ୨୯ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଜଣେ ଜେଲରେ ଥିବାବେଳେ ୧୧ ନଭେମ୍ବର ୨୦୧୮ରେ ହୋଇଥିବା ଚୋରି ଘଟଣାରେ କେମିତି ସମ୍ପୃକ୍ତ ରହିପାରିବେ ? ୧୧ ନଭେମ୍ବର ୨୦୧୮ ବିଳମ୍ବିତ ରାତିରେ ଉଦଳା ଥାନା ଭୀମତାଳି ଛକ ନିକଟସ୍ଥ ସାଇ ମନ୍ଦିରରୁ ହୋଇଥିଲା ଚୋରି । ଯାହାକୁ ନେଇ ୧୨ ନଭେମ୍ବର ୨୦୧୮ରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।  ଏହାପରେ କେଶ୍ ନଂ. ୧୬୫/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ପୋଲିସ । ହେଲେ ଗତ ୨୪ ଫେବ୍ରୁଆରୀ ୨୦୧୯ରେ ଉକ୍ତ ଚୋରି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁର ବାଲୁଙ୍କେଶ୍ୱର ପରିଡ଼ା ଏବଂ ଉଦଳା ନାଗପାଳ ୱାର୍ଡ ନଂ. ୨ ନିବାସୀ ଦିବାକର ରଣା । ମଜାର କଥା ହେଉଛି, ନୂଆସାହି ଗ୍ରାମର ରମାକାନ୍ତ ନାୟକ ମଧ୍ୟ ଏହି ମାମଲାରେ ତୃତୀୟ ଅଭିଯୁକ୍ତ ଭାବରେ ଗିରଫ ହୋଇଥିଲେ । ଯିଏକି ଉକ୍ତ ଚୋରି ହୋଇଥିବା ଦିନ ଥିଲେ ଜେଲରେ । ଜେଲରେ ଥିବା ଅଭିଯୁକ୍ତ କିପରି ଆସି ଚୋରି କଲେ, ଏହାକୁ ନେଇ ସୃଷ୍ଟି ହୋଇଛି ଗୋଳମାଳିଆ ପରିସ୍ଥିତି । ଫଳରେ ଉଦଳା ଥାନା ଆଇଆଇସି ସନାତନ ସାହୁଙ୍କ କାର୍ଯ୍ୟକଳାପ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ପୋଲିସ ନିଜ ଦୋଷ ଲୁଚାଇବାକୁ ଯାଇ ଜେଲରେ ଥିବା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଏକ ମାମଲାରେ ଛନ୍ଦି ଦେବା ଘଟଣା ନିଶ୍ଚିତ ଏକ ଲଜ୍ଜାଜନକ ଘଟଣା ।

ତେବେ କ'ଣ ମୟୂରଭଞ୍ଜ ପୋଲିସ ନିଜ ଅପାରଗତା ଲୁଚାଇବାକୁ ଯାଇ ରମାକାନ୍ତ ନାୟକଙ୍କ ନାମରେ ମିଛ କେଶ୍ ଦାୟର କରିଥିଲା ? ଦୀର୍ଘ ପ୍ରାୟ ଅଢ଼େଇ ମାସ  ଧରି ଏକ ମିଛ ମାମଲାରେ ଫସି ଜେଲରେ ରହିଥିବା ରମାକାନ୍ତଙ୍କର ଯେଉଁ କ୍ଷତି ହେଲା ତାକୁ ଭରଣା କରିବ କିଏ ? ନିଜ ଖାମଖିଆଲିପଣ ଯୋଗୁଁ ହଟହଟା ହୋଇଥିବା ମୟୂରଭଞ୍ଜ ପୋଲିସ ଏଥିପାଇଁ ଉତ୍ତରଦାୟୀ ରହିବ କି ?