ପ୍ରଶାନ୍ତ ଜେନା,ନୟାଗଡ଼: କାହିଁ କେଉଁ କାଳରୁ ପିଢି ପିଢି ଧରି ଏମାନେ ତିଆରି କରୁଛନ୍ତି ପିତ୍ତଳ ମୂର୍ତ୍ତି ଓ କଂସା ବାସନ। ଏ ସବୁ ତିଆରି କରିବାର ପାରମ୍ପରିକ ପଦ୍ଧତି ଯୋଗୁଁ ଏହି ମୂର୍ତ୍ତି ଗୁଡ଼ିକର ଆଦର ଆଜିବି ରହିଛି। ହେଲେ ଆଧୁନିକ ମୂର୍ତ୍ତି ତିଆରି ପଦ୍ଧତିର ଅଭାବ, ଫ୍ୟାନ୍ସି ମୂର୍ତ୍ତି ଓ ଷ୍ଟିଲ ବାସନ ଚାହିଦା ବୃଦ୍ଧି ଯୋଗୁଁ ଆସ୍ତେ ଆସ୍ତେ ବୁଡ଼ିବାକୁ ବସିଲାଣି ଏହି କୂଳ ବେଉସା ।
ନୟାଗଡ଼ ଜିଲ୍ଲାର ଖଳିସାହି । ପିତ୍ତଳ ମୂର୍ତ୍ତି ତିଆରି ପାଇଁ ଏହି ଅଞ୍ଚଳର ରହିଛି ରାଜ୍ୟରେ ବିଶେଷ ନାଁ। ଏଠାରେ ଦେବା ଦେବୀଙ୍କ ମୂର୍ତ୍ତି, ହାତୀ, ଘୋଡ଼ା ଓ ସାପ ଠାରୁ ଆରମ୍ଭ କରି ବାସନକୁସନ ଓ ଘରକରଣା ଜିନିଷ ତିଆରି ହୁଏ। ଏହି ସବୁ ଜିନିଷ ବିକ୍ରି କରିବା ପାଇଁ ୩୦ ରୁ ଅଧିକ ଦୋକାନ ରହିଛି । ଏଠାକାର ମୂର୍ତ୍ତି କାରିଗର ପାରମ୍ପରିକ ପଦ୍ଧତି ଅବଲମ୍ବନ କରି କଂସା ଓ ପିତ୍ତଳର ଜିନିଷ ତିଆରି କରିଥାନ୍ତି । ଏଥି ପାଇଁ ଆବଶ୍ୟକୀୟ କଞ୍ଚାମାଲର ଅଭାବ ଯୋଗୁ ଅଧିକାଂଶ କାରିଗର ସେମାନଙ୍କ କୌଳିକ ବୃତ୍ତି ହରାଇବାକୁ ବସିଲେଣି।
ସରକାରଙ୍କ ପକ୍ଷରୁ ମଧ୍ୟ କାରିଗରଙ୍କୁ କୌଣସି ପ୍ରୋତ୍ସାହନ ମିଳୁନଥିବାରୁ ସେମାନଙ୍କ ଭାଗ୍ୟ ଏବେ ଅନ୍ଧାର ଆଡକୁ ଠେଲି ହୋଇଯାଉଛି। ସେପଟେ ସରକାରଙ୍କ ଶିଳ୍ପ ଯୋଜନାରେ କାରିଗରଙ୍କୁ ସାମିଲ କରାଯିବ। ସେମାନେ କିପରି ଆଧୁନିକ ପ୍ରଣାଳୀରେ ଉନ୍ନତ ମାନର କଂସା ବାସନ ଓ ମୁର୍ତ୍ତି ତିଆରି କରିପାରିବେ ସେ ନେଇ ତାଲିମ ଦିଆଯିବ। ଏଥି ସହ ସେମାନଙ୍କ ତିଆରି ସାମଗ୍ରୀର ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିଳ୍ପଅଧିକାରୀ ପ୍ରଶାନ୍ତ ଜେନା କହିଛନ୍ତି।
ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଷ୍ଟିଲ ବାସନ ଓ ଫ୍ୟାନ୍ସି ମୂର୍ତ୍ତି ଯୋଗୁଁ ଏଠାକାର ମୂର୍ତ୍ତିର ଚାହିଦା କମିବାରେ ଲାଗିଛି। ଏଥିପ୍ରତି ସରକାର ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।