Advertisement
Article Detail0/zeeodisha/odisha667977
Zee OdishaOther Newsଆସନ୍ତା ଏପ୍ରିଲ ୨୦ରୁ ଏହି ସବୁ କ୍ଷେତ୍ରରେ କୋହଳ ହେବ କଟକଣା

ଆସନ୍ତା ଏପ୍ରିଲ ୨୦ରୁ ଏହି ସବୁ କ୍ଷେତ୍ରରେ କୋହଳ ହେବ କଟକଣା

ଲକଡାଉନ 2. O: ଜାରି ହେଲା ଗାଇଡ୍ ଲାଇନ୍ 

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ତେବେ ଏହା ଉପରେ ଗାଇଡ ଲାଇନ୍ ଜାରି ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଗାଇଡ୍ ଲାଇନ୍ ଜାରି କରିଛି । ସାଧାରଣ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ପ୍ରସ୍ତୁତ ହୋଇଛି ଏହି ଗାଇଡ ଲାଇନ । ବିଶେଷକରି କୃଷି କ୍ଷେତ୍ର ଯେପରି ଲକଡାଉନ୍ ଯୋଗୁଁ ବାଧାପ୍ରାପ୍ତ ନହୁଏ, ସେଉପରେ ଧ୍ୟାନ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସନ୍ତା ଏପ୍ରିଲ ୨୦ରୁ ମନୋରେଗା କାମ ପାଇଁ ମଧ୍ୟ ଅନୁମତି ମିଳିଛି । 

ଆସନ୍ତା ୨୦ ଏପ୍ରିଲରୁ କିଛି କ୍ଷେତ୍ରରେ ଲକଡାଉନ୍ କଟକଣା କୋହଳ ହେବ । ବିଶେଷକରି MGNREGA ଅନ୍ତର୍ଗତ ସମସ୍ତ କାମକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ସେହିପରି କୃଷି କ୍ଷେତ୍ର ଏବଂ ପଶୁପାଳନ ସହ ସମ୍ପୃକ୍ତ ସମସ୍ତ କାମ ମଧ୍ୟ କରିବାକୁ ଅନୁମତି ମିଳିଛି । ବ୍ୟାଙ୍କ ସେବା, ଅନାଥାଶ୍ରମ, ବୃଦ୍ଧାଶ୍ରମ, ମହିଳା ଓ ବିଧବାଶ୍ରମ ଇତ୍ୟାଦି କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯାଇଛି । ଜରୁରୀ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ନାହିଁ । ଗ୍ରାମାଞ୍ଚଳରେ ଥିବା ଶିଳ୍ପ ସଂସ୍ଥା ଖୋଲିବ । ଗ୍ୟାସ ଡିପୋ ଓ ଖୁଚୁରା ଗ୍ୟାସ ବ୍ୟବସାୟୀ ଦୋକାନା ମଧ୍ୟ ଖୋଲିବ । ଅନଲାଇନ ଶିକ୍ଷା, ଇ-କମର୍ସ କମ୍ପାନୀ, କୋରିଅର ସେବା, ଶୀତଳ ଭଣ୍ଡାର, ଘରୋଇ ସିକ୍ୟୁରିଟି ସେବା, ହୋଟେଲ, ଲଜ୍ ଇତ୍ୟାଦି କ୍ଷେତ୍ରରେ ମଧ୍ୟ କଟକଣା କୋହଳ ହେବ । 

ତେବେ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ୍ ଅନୁସାରେ, ସମସ୍ତ ସାମାଜିକ, ରାଜନୈତିକ, ଖେଳ, ଧାର୍ମିକ ସମାରୋହ, ଧାର୍ମିକ ସ୍ଥଳ, ପ୍ରାର୍ଥନା ସଭା ଆସନ୍ତା ମେ ୩ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ସିନେମା ହଲ, ମଲ୍, ଶପିଙ୍ଗ କମ୍ପ୍ଲେକ୍ସ, ଜିମ, ସ୍ୱିମିଙ୍ଗ ପୋଲ ଏବଂ ବାର ମଧ୍ୟ ମେ ୩ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି । ଶିକ୍ଷା ଅନୁଷ୍ଠାନ, କୋଚିଂ ସେଣ୍ଟର, ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା, ଟ୍ରେନ ସେବା ମଧ୍ୟ ଏହି ସମୟରେ ବନ୍ଦ ରହିବ । ମେଟ୍ରୋ ସେବା, ଆନ୍ତଃ ଜିଲ୍ଲା, ଆନ୍ତଃ ରାଜ୍ୟ ବସ୍ ସେବା ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । 

କହିରଖୁଛୁ, ଏବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୩୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୬ଟି ମାମଲା ସାମ୍ନାକୁ ଆସିଛି ଏବଂ ୩୮ ଲୋକଙ୍କ ମୃତ୍ୟ ମଧ୍ୟ ହୋଇଛି । 

About the Author