ଗାୟତ୍ରୀ ଚକ୍ରବର୍ତ୍ତି, ଭୁବନେଶ୍ୱର: ଗୋପାଳପୁର ସମୁଦ୍ର କୂଳିଆ ଧୀବର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ୨୦୧୪ ମସିହାରେ ନିର୍ମାଣ କରାଯାଇଥିଲା ସୋଲାର ପାନେଲ ବିଶିଷ୍ଟ ସୁଖୁଆ ପ୍ରସ୍ତୁତକାରୀ ପ୍ରକଳ୍ପ । ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରକଳ୍ପ ନିର୍ମାଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ପ୍ରକଳ୍ପ ଉଦଘାଟନର ୩ ମାସ ପରେ ଆବଶ୍ୟକ ଭିତ୍ତିଭୂମି ଅଭାବକୁ ପରିଚାଳନା ସମ୍ଭବ ହୋଇ ନ ଥିଲା । ଏସଏଚଜି ମହିଳାଙ୍କ ପକ୍ଷରୁ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ଲାଗି ବାରମ୍ବାର ଦାବି ହେବା ପରେ ପୁଳାପୁଳା ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ହେଲେ ସବୁ ଯେମିତି ପାଣିର ଗାର ହୋଇ ରହିଗଲା । ପ୍ରକଳ୍ପର ପୁନଃରୁଦ୍ଧାର କରିବା ବଦଳରେ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି । ଯାହା ଫଳରେ ମାଟିରେ ମିଶିଯାଇଛି କୋଟି କୋଟି ଟଙ୍କାର ସାମଗ୍ରୀ ।
ବାରମ୍ବାର ପ୍ରତିଶ୍ରୁତି ଦେଇ ଭୂଆଁ ବୁଲାଇଥିବା ପ୍ରଶାସନ ବିରୋଧରେ ସ୍ୱର ଉଠାଇ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କିଛି ସମୟ ଲାଗି ସେଠାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ୨୦୧୪ ମସିହାରେ ଆଇ.ସି.ଜେଡ.ଏମ.ପି (Integrated coastal zone management) ପ୍ରକଳ୍ପ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରାୟ ୩ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ୩୫ ୟୁନିଟ୍ ସ୍ଥାପନ କରାଯାଇଥିଲା । ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ପ୍ରକଳ୍ପ ଆରମ୍ଭରୁ ହିଁ କାର୍ଯ୍ୟକ୍ଷମ ହୋଇ ପାରି ନ ଥିଲା ।ଏ ନେଇ ଏସଏଚଜି ଗୋଷ୍ଠୀର ମହିଳାମାନେ ବାରମ୍ବାର ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧିଙ୍କୁ ଗୁହାରୀ କରିଛନ୍ତି । ନିଜସ୍ୱ ପାଣ୍ଠିରୁ ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ପରିଚାଳନା ଲାଗି ଉଦ୍ୟମ କରିଛନ୍ତି । ଶେଷରେ ପ୍ରକଳ୍ପକୁ ଭାଙ୍ଗି ଦିଆଯାଇଛି । ଯାହାକୁ ବିରୋଧ କରି ଆନ୍ଦୋଳନକୁ ତୀବ୍ର କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ମହିଳାମାନେ।
ଖାଲି ଗୋପାଳପୁର ନୁହେଁ, ଜିଲ୍ଲାର ଆର୍ଜିପଲ୍ଲୀ, ପୁରୁଣାବନ୍ଧ, ନୋଳିଆ ନୂଆଁ ଗାଁ ଭଳି ବିଭିନ୍ନ ସ୍ଥାନରେ ୮୦ଟି ପ୍ରକଳ୍ପ ସ୍ଥାପନ କରାଯାଇଛି । ଏଥିଲାଗି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି । ହେଲେ ପ୍ରକଳ୍ପ ଚାରିପଟେ ପାଚେରୀ ନିର୍ମାଣ, ପାଣି, ବିଜୁଳି ଆଲୋକ ଭଳି ମୌଳିକ ସୁବିଧା ନ ଥିବା ହେତୁ ସମସ୍ତ ପ୍ରକଳ୍ପ ଏ ଭଳି ବନ୍ଦ ପଡ଼ିରହିଛି । ଯାହା ଫଳରେ ଅନେକ ସମୟରେ ପ୍ରକଳ୍ପ ସାମଗ୍ରୀ ଚୋରି ହେବା ସହ ମଦ୍ୟପଙ୍କ ମଧ୍ୟ ଆଡ୍ଡାସ୍ଥଳୀ ପାଲଟିଛି । ତେବେ ସମସ୍ୟା ଦୂରୀକରଣ କରିବା ବଦଳରେ କେନ୍ଦ୍ରୀୟ ଅନୁଦାନ ଭାବି ପ୍ରକଳ୍ପକୁ ଦୃଷ୍ଟି ଆଢ଼ୁଆଳରେ ରଖାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗୋପାଳପୁରରେ ବର୍ଜ୍ୟବସ୍ତୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ଜାଗା ଅଭାବ ଥିବା ବେଳେ ବନ୍ଦ ପଡିଥିବା ପ୍ରକଳ୍ପ ଜାଗା ବିଜ୍ଞାପିତ ଅଞ୍ଚଳ ପରିଷଦର ହୋଇଥିବା ହେତୁ ପ୍ରକଳ୍ପକୁ ସେଠାରୁ ଭାଙ୍ଗି ଦିଆଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି ।