ନୂଆଦିଲ୍ଲୀ: ଆଜି ଆସିବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ । ଉଭୟ ରାଜନୈତିକ ଓ ସାଂସ୍କୃତିକ କାରଣରୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେବଳ ଉତ୍ତର ପ୍ରଦେଶ କି ଦିଲ୍ଲୀ ନୁହେଁ, ବହୁ ରାଜ୍ୟର ସମ୍ୱେଦଳଶୀଳ ସ୍ଥାନ ଉପରେ ନଜର ରଖାଯାଇଛି । ରାଜସ୍ଥାନ ସରକାର ରାୟ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ଆଜି ରାଜସ୍ଥାନର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । କେବଳ ଏତିକି ନୁହେଁ, ଅତି ସମ୍ବେଦନଶୀଳ କୁହାଯାଉଥିବା ଭରତପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି କୁହାଯାଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି ।
Rajasthan Government: All schools and colleges in the state to remain closed today. #AyodhyaVerdict https://t.co/L36GC9Ewd7
— ANI (@ANI) November 9, 2019
ବହୁ ପ୍ରତୀକ୍ଷିତ ଏହି ମାମଲାର ରାୟ ଆସିବା ପୂର୍ବରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଯୋଧ୍ୟା, ଜମ୍ମୁ କାଶ୍ମୀର, ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତିଙ୍କ ବାସଗୃହ । ସବୁଠି କଡା ସୁରକ୍ଷା । ମାମଲାର ରାୟ ଶୁଣାଇବାକୁ ଥିବା ଅନ୍ୟ ୪ ବିଚାରପତିଙ୍କ ବାସଗୃହ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ରହିଛି । ବର୍ଷ ବର୍ଷ ଧରି ଯେଉଁ ମାମଲାର ଶୁଣାଣିକୁ ଅପେକ୍ଷା କରିଥିଲେ ଦେଶବାସୀ, ଆଜି ସେହି ରାୟ ଆସୁଛି ।
ସକାଳ ୧୦।୩୦ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସମ୍ବିଧାନ ପୀଠ ରାୟ ପ୍ରକାଶ କରିବେ । ତେବେ ରାୟ ପରେ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଉପୁଜେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଯୋଧ୍ୟାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସେନା ମୁତୟନ ହୋଇଛନ୍ତି । କେବଳ ଅଯୋଧ୍ୟାରେ ୧୫ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ଓଡିଶାର କଟକ, ଭଦ୍ରକ ଓ କେନ୍ଦ୍ରାପଡା ଇତ୍ୟାଦି ଜିଲ୍ଲାରେ ବିଶେଷ ନଜର ରଖାଯାଇଛି ।