ମୋଦିଙ୍କ ତ୍ରିଶୂଳରେ ସିବିଆଇ, ଇଡି ଏବଂ ଆଇଟି !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଉଭୟ ନେତାଙ୍କ ପାଖରେ ଏକ ଶକ୍ତିଶାଳୀ ଉପକରଣ ଥିବା କହିଛନ୍ତି ଜୟରାମ ।

ମୋଦିଙ୍କ ତ୍ରିଶୂଳରେ ସିବିଆଇ, ଇଡି ଏବଂ ଆଇଟି !
ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଉଭୟ ନେତାଙ୍କ ପାଖରେ ଏକ ଶକ୍ତିଶାଳୀ ଉପକରଣ ଥିବା କହିଛନ୍ତି ଜୟରାମ । ଏହି ଉପକରରଣ ମାଧ୍ୟମରେ ଯେକୌଣସି ଲୋକଙ୍କୁ ମଧ୍ୟ ଉଭୟ ପ୍ରହାର କରିପାରୁଥିବା  ସେ କହିଛନ୍ତି । ନେହେରୁ ମେମୋରିଆଲରେ ସଦସ୍ୟ ଥିବା କଂଗ୍ରେସର ୩ ବରିଷ୍ଠ ନେତାଙ୍କୁ ହଟାଇ ଦିଆଯିବା ପରେ ଆସିଛି ଜୟରାମଙ୍କ ଏହି ବୟାନ । 

ଗତକାଲି କଂଗ୍ରେସ ମୁକ୍ତ ହୋଇଥିଲା ନେହେରୁ ମେମୋରିଆଲ । ଏହି ମେମୋରିଆଲର ସଦସ୍ୟ ଥିବା ୩ କଂଗ୍ରେସ ନେତାଙ୍କୁ ପୁନର୍ଗଠନ ବେଳେ ବାଦ ଦିଆଯାଇଛି । ଆଉ ବାଦ ପଡିଥିବା ନେତାଙ୍କ ଭିତରେ ଜୟରାମ ରମେଶ ମଧ୍ୟ ରହିଛନ୍ତି । ତେବେ ବୁଧବାର ଗୌହାଟୀରେ ଜୟରାମ କହିଥିଲେ, ଏବେ ମୋଦି ଏବଂ ଶାହଙ୍କ ପାଖରେ ଏକ ଶକ୍ତିଶାଳୀ ତ୍ରିଶୂଳ ଅଛି । 

ଜୟରାମଙ୍କ କହିବା କଥା ହେଲା, ମୋଦି ଏବଂ ଶାହଙ୍କ ପାଖରେ ଥିବା ତ୍ରିଶୂଳରେ ତିନୋଟି ଜିନିଷ ରହିଛି । ତାହା ହେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ ଆୟକର ବିଭାଗ(ଆଇଟି) । ଏହାରି ମାଧ୍ୟମରେ ଯେକୌଣସି ଲୋକଙ୍କୁ ମଧ୍ୟ ପ୍ରହାର କରାଯାଉଥିବା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ । 

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ତିଆରି ହୋଇଥିବା ଏହି ମେମୋରିଆଲରେ ଏବେ ଆଉ ଜଣେ ମଧ୍ୟ କଂଗ୍ରେସ ନେତା ସଦସ୍ୟ ନାହାଁନ୍ତି । ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ପୁନର୍ଗଠନ କରିଚି ସାସ୍କୃତିକ ମନ୍ତ୍ରଣାଳୟ । ଏଥିରେ ସଦସ୍ୟ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, କରଣ ସିଂହ ଏବଂ ଜୟରାମ ରମେଶଙ୍କୁ ସୋସାଇଟିରୁ ବାଦ ଦିଆଯାଇଛି । ବିଜେପି ନେତା ଅନିର୍ବନ ଗାଙ୍ଗୁଲି, ଗୀତିକାର ପ୍ରସୁନ ଯୋଶୀ ଏବଂ ସାମ୍ବାଦିକ ରଜତ ଶର୍ମାଙ୍କୁ ଏଥିରେ ନୂଆକରି ସ୍ଥାନ ମିଳିଛି । 

ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପଧ୍ୟକ୍ଷ ଅଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଏହାର ସଦସ୍ୟ ରହିଛନ୍ତି । ପ୍ରଥମ ଥର ପାଇଁ କଂଗ୍ରେସ ମୁକ୍ତ ହୋଇଛି ଏହି ମେମୋରିଆଲ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଛି ।