ଆଜି ଶାହଙ୍କ ଜନ୍ମଦିନ, ଏମିତି ଲେଖିଲେ ମୋଦି
Advertisement

ଆଜି ଶାହଙ୍କ ଜନ୍ମଦିନ, ଏମିତି ଲେଖିଲେ ମୋଦି

୫୬ ବର୍ଷରେ ପଦାର୍ପଣ କଲେ ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କୁ କର୍ମଠ, ଅନୁଭବି ଏବଂ ଭଲ ସଙ୍ଗଠକ ଭାବରେ ବର୍ଣ୍ଣନା କରିଛନ୍ତି ମୋଦି ।

ଶାହଙ୍କ ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୫୬ ବର୍ଷରେ ପଦାର୍ପଣ କଲେ ଗୃହମନ୍ତ୍ରୀ ଅମିତ ଶାହ । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନ୍ମଦିନ ଅବସରରେ ଶାହଙ୍କ ଦୀର୍ଘାୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଆଧୁନିକ ଭାରତରେ କୌଟିଲ୍ୟ ବୋଲି ଶାହଙ୍କୁ ଅବିହିତ କରିଛନ୍ତି ଧର୍ମେନ୍ଦ୍ର । 

ଗୃହମନ୍ତ୍ରୀ ଶାହଙ୍କୁ କର୍ମଠ, ଅନୁଭବି ଏବଂ ଭଲ ସଙ୍ଗଠକ ଭାବରେ ବର୍ଣ୍ଣନା କରିଛନ୍ତି ମୋଦି । ଜନ୍ମଦିନ ଶୁଭେଚ୍ଛା ଟ୍ୱିଟରେ ମୋଦି ଲେଖିଛନ୍ତି, ମନ୍ତ୍ରୀମଣ୍ଡଳରେ ମୋ ସହଯୋଗୀ ଥିବା ଅମିତ ଶାହଙ୍କୁ ମୁଁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ସରକାରରେ ବହୁମୂଲ୍ୟ ଭୂମିକା ଲିଭାଇବା ସହ ଦେଶକୁ ସଶକ୍ତ ଏବଂ ସୁରକ୍ଷିତ କରିବାରେ ଅମିତ ଶାହଙ୍କ ବେଶ ଯୋଗଦାନ ରହିଛି । ଭଗବାନ ତାଙ୍କୁ ସୁସ୍ଥ ରଖନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ଘନିଷ୍ଠ ସହଯୋଗୀ ଭାବରେ ଜଣାଶୁଣା ଗୃହମନ୍ତ୍ରୀ ଅମିତ ଶାହ ୧୯୬୪ ଅକ୍ଟୋବର ୨୨ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟର ଏକ ବଣିଆ ପରିବାରରେ ଶାହଙ୍କ ଜନ୍ମ । ତାଙ୍କ ବାପା ଅନୀଲ ଚନ୍ଦ୍ର ଶାହ ଜଣେ ଭଲ ବ୍ୟବସାୟୀ ଥିଲେ । ବିଜ୍ଞାନରେ ସ୍ନାତକ କଲା ପରେ ବାପାଙ୍କ ବ୍ୟବସାୟରେ ସାମିଲ ହୋଇଥିଲେ ଅମିତ । ସେହିପରି ପିଲାଦିନରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସହ ଜଡିତ ରହିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ୧୯୮୭ରେ ସେ ବିଜେପିରେ ଯୋଗ ଦେଇଥିଲେ । ୧୯୯୧ ଲୋକସଭା ନିର୍ବାଚନରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀଙ୍କ ଇଲେକସନ କ୍ୟାମ୍ପନ ମେନେଜର ଥିଲେ ଶାହ । ଏହି ସମୟରେ ସେ ନିଜର ଉତ୍କର୍ଷତା ପ୍ରତିପାଦନ କରିଥିଲେ ।

୧୯୯୫ରେ ପ୍ରଥମ ଥର ପାଇଁ ଗୁଜୁରାଟରେ ସରକାର ଗଢିଥିଲା ବିଜେପି । ଏହି ସମୟରେ ଗୁଜୁରାଟର ଗ୍ରାମଞ୍ଚଳରେ ବେଶ ପ୍ରଭାବ ବିସ୍ତାର କରୁଥିଲା ପ୍ରମୁଖ ବିରୋଧୀ କଂଗ୍ରେସ । ଉଭୟ ମୋଦି ଓ ଶାହ ମିଶି ଗ୍ରାମାଞ୍ଚଳରୁ କଂଗ୍ରେସକୁ ମୂଳପୋଛ କରିବା ଦିଗରେ କାମ କରିଥିଲେ । ସେହି ସମୟରେ ଦଳର ସଙ୍ଗଠନକୁ ମଜଭୁତ କରିବାରେ ଉଭୟଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । 

ଅକ୍ଟୋବର ୨୦୦୧ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ପରବର୍ତ୍ତୀ ସମୟରେ ଶାହଙ୍କ ସହ ତାଙ୍କ ଘନିଷ୍ଠତା ଆହୁରି ବଢିଥିଲା । ୨୦୦୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ସାରଖେଜରୁ ଶାହଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଏହି ନିର୍ବାଚନରେ ସମସ୍ତ ପ୍ରାର୍ଥୀଙ୍କ ଠାରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ ଶାହ ।  ଭୋଟ ବ୍ୟବଧାନ ଥିଲା ୧ ଲକ୍ଷ ୫୮ ହଜାର ୩୬ । ସବୁଠୁ କମ ବୟସରେ ତାଙ୍କୁ ମିଳିଥିଲା ମନ୍ତ୍ରୀପଦ । ୨୦୦୭ ରେ ପୁଣିଥରେ ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୧୨ରେ ନାରାଣପୁରରୁ ପ୍ରତିନିଧିତ୍ୱ କରିଥିଲେ ଶାହ । 

ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବେଶ ପ୍ରଭାବଶାଳୀ ଥିଲେ ଅମିତ ଶାହ । ଗୋଟିଏ ସମୟରେ ତାଙ୍କ ହାତରେ ୧୨ଟି ବିଭାଗ ନ୍ୟସ୍ତ କରିଥିଲେ ମୋଦି । ୨୦୧୦ ଜୁଲାଇ ୨୫ରେ ସୋହରାବୁଦ୍ଦିନ ମାମଲାରେ ଗିରଫ ହୋଇଥିଲେ ଶାହ । ଏହି ସମୟରେ କେନ୍ଦ୍ରରେ ଗୃହମନ୍ତ୍ରୀ ଥିଲେ ପି। ଚିଦାମ୍ବରମ । ଗୋଟିଏ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ବେଶି ଦାବିଦାର ଥିଲେ ଶାହ । ମାତ୍ର ଏହି ଗିରଫଦାରୀ ପରେ ଏହା ଉପରେ ବେଶ ପ୍ରଭାବ ପକାଇଥିଲା । ତିନିମାସ ପରେ ଯାଇ ଶାହଙ୍କୁ ବେଲ ମିଳିଥିଲା । 

୨୦୧୪ରେ ମୋଦି ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପରେ ଶାହଙ୍କ ପ୍ରଭାବ ଆହୁରି ବଢିଥିଲା । ଏହି ନିର୍ବାଚନରେ ଶାହଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦୋଇଥିଲା ଦଳ । ଶାହଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ମୋଟ ୮୦ ଲୋକସଭା ଆସନରୁ ୭୩ ଆସନରେ ବିଜୟୀ ହୋଇଥିଲା ଏନଡିଏ । ତାଙ୍କୁ ବୁଦ୍ଧିମତ୍ତା ଯୋଗୁଁ କେହି କେହି ଏବେକାର ଚାଣକ୍ୟ ଭାବରେ ମଧ୍ୟ ଅବିହିତ କରନ୍ତି । 

ଜୁଲାଇ  ୨୦୧୪ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ ଅମିତ ଶାହ । ଜାନୁଆରୀ ୨୦୧୬ରେ ସେ ଏହି ପଦରେ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ବିଜେପିର ସଭ୍ୟ ସଂଖ୍ୟା ଶହେ ମିଲିୟନ ହୋଇଥିବା ଦାବି କରିଥିଲା ଦଳ । ୨୦୧୯ ସାଧାରଣ ନିର୍ବାଚନରେ ଆଡୱାଣୀଙ୍କ ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରୁ ଲୋକସଭା ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ଶାହ । ଏବେ ମୋଦି ସରକାରରେ ଗୃହମନ୍ତ୍ରୀ ଅଛନ୍ତି ।