ମୁମ୍ବାଇ ଏବଂ ସଂଲଗ୍ନ ମୌସୁମୀ ସକ୍ରିୟ ରହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ 'ଆଇଏମଡି' |
Trending Photos
)
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ପହଞ୍ଚି ସାରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ | ବିଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ୫୦ ମିଲିମିଟରର ବୃଷ୍ଟିପାତ ହୋଇଛି | ଏହା ସହିତ ଥାନେ ଏବଂ ପଶ୍ଚିମ ମୁମ୍ବାଇରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ 'ଆଇଏମଡି' (Indian Metrological Department-IMD) |
ଜୁନ ୧୪ ତାରିଖ ରବିବାର ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅବଶିଷ୍ଟ ଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଉପସ୍ଥିତି ବାବଦରେ ଘୋଷଣା କରିଥିଲା ଆଇଏମଡି | ଏହା ସହିତ ଜୁନ ୧୫ ତାରିଖ ସୋମବାର ଅପରାହ୍ନରେ ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅବଶିଷ୍ଟ ଅଂଶରେ ମୌସୁମୀ ସକ୍ରିୟ ଥିବା ନେଇ ଜଣାଇଥିଲା ଭାରତୀୟ ପାଣିପାଗ ବିଭାଗ | ଜୁନ ୧୧ ତାରିଖରେ ମୌସୁମୀ ମହାରାଷ୍ଟ୍ର ସ୍ପର୍ଶ କରିଥିବା ନେଇ ଜଣାଇଛନ୍ତି ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର |
ଚଳିତ ସପ୍ତାହର ସୋମବାର ଏବଂ ମଙ୍ଗଳବାର ମୁମ୍ବାଇ, ଥାନେ, ପାଲଘର ଏବଂ ପଶ୍ଚିମ ମହାରାଷ୍ଟ୍ର ଉପକୂଳର ଅବଶିଷ୍ଟ ଜିଲ୍ଲା, କେନ୍ଦ୍ରୀୟ ମହାରାଷ୍ଟ୍ରର କିଛି ଅଂଶ, ବିଦର୍ଭ ଏବଂ ମରାଠୱାଡା ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଆଇଏମଡି |
ଏହା ସହିତ ରବିବାର ଆଇଏମଡି ପକ୍ଷରୁ କୁହାଯାଇଥିଲା ମହାରାଷ୍ଟ୍ର, ଗୁଜୁରାଟ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ଅଧିକାଂଶ ଭାଗରେ ଆସନ୍ତା ୪-୫ ଦିନ ମଧ୍ୟରେ ବ୍ୟାପକ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି | ଅନ୍ୟପଟେ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଗୁଜୁରାଟରେ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଆରବ ସାଗର, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡର କେତେକ ଭାଗ, ଝାଡଖଣ୍ଡ ଏବଂ ବିହାରର କିଛି ଅଂଶ ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ମୌସୁମୀ ପାଇଁ ଅନୁକୂଳ ରହିଛି ବୋଲି ଆଇଏମଡି ପକ୍ଷରୁ ରବିବାର କୁହାଯାଇଥିଲା |
ଏହା ସହିତ ଆଇଏମଡି ପକ୍ଷରୁ କୁହାଯାଇଛି, ଚଳିତ ଋତୁରେ ଏପର୍ଯ୍ୟନ୍ତ ଭାରତରେ ୩୧ ପ୍ରତିଶତ ଅଧିକ ବର୍ଷା ହୋଇଛି | ଦେଶର ୪ଟି ପାଣିପାଗ ଡିଭିଜନ ମଧ୍ୟରୁ ଦକ୍ଷିଣ ଭାରତୀୟ ଉପଦ୍ୱୀପରେ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଛି | କେନ୍ଦ୍ରୀୟ ଭାରତରେ ୯୪ ପ୍ରତିଶତ ଏବଂ ଉତ୍ତର ପଶ୍ଚିମ ଭାରତରେ ୧୯ ପ୍ରତିଶତ ଅଧିକ ବର୍ଷା ହୋଇଛି |