ଫେରିବେ ଧୋନୀ...

ଆଇପିଏଲ ଖେଳିବେ ଧୋନୀ

ଫେରିବେ ଧୋନୀ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ୱିକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଅନେକ ଗୁଜବ ଦେଖାଦେଉଛି। ନିକଟରେ ବିସିସିଆଇ ତାର ବାର୍ଷିକ ଚୁକ୍ତିରୁ ଧୋନୀଙ୍କୁ ହଟାଇବା ପରେ ଏହି ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ମାତ୍ର ନିକଟରେ ଆସିଥିବା ଏକ ଖବର ଅନୁଯାୟୀ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ମୈଦାନକୁ ଫେରିବାକୁ ଯାଉଛନ୍ତି। ଯାହା ଧୋନୀଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର ଭାବେ ସାବ୍ୟସ୍ତ ହୋଇଛି।  

ସେପଟେ ମହେନ୍ଦ୍ର ସିଂ ଧୋନୀ ଖୁବ ଶୀଘ୍ର ନେଟ ପ୍ରାକ୍ଟିସ ଆରମ୍ଭ କରିବାକୁ ଯାଉଛନ୍ତି। ଆଇପିଏଲ ପାଇଁ ସେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ। ଏଥିପାଇଁ ଅଭ୍ୟାସ ଆରମ୍ଭ କରିବେ ଧୋନୀ। ତେବେ ଗତବର୍ଷ ଜୁଲାଇ ୭ ତାରିଖରେ ଶେଷ ଥର ପାଇଁ ମୈଦାନକୁ ଓହ୍ଲାଇଥିଲେ। ମାଞ୍ଚେଷ୍ଟରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଧୋନୀ ଖେଳିଥିଲେ। ଉକ୍ତ ମ୍ୟାଚରେ ସେ ରନ ଆଉଟ ହେବା ପରେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।  

ଅଧିକ ପଢନ୍ତୁ: ଆଉ ଜଣେ ମିଲଖା ସିଂ...

ତେବେ ସେହି ରନ ଆଉଟ ପରେ ହିଁ ବେଶ ନିରାଶ ହୋଇଥିଲେ ମହେନ୍ଦ୍ର ସିଂ ଧୋନୀ। ତାହା ପରଠାରୁ ସେ କ୍ରିକେଟ ଠାରୁ ନିଜକୁ ଦୁରେଇ ରଖିଥିଲେ। ଏପରିକି ସେ ଅଭ୍ୟାସ ମଧ୍ୟ ଛାଡି ଦେଇଥିଲେ। ତେବେ ଧୋନୀଙ୍କର କ୍ରିକେଟ ଠାରୁ ଏହି ବ୍ୟବଧାନକୁ ନେଇ ଅନେକ ସମୟରେ ତାଙ୍କର ଅବସର ସମ୍ପର୍କରେ ଆଲୋଚନା ହେଉଥିଲା। ତେବେ ତାଙ୍କର ଅବସର ନେଇ ବିସିସିଆଇ କିମ୍ବା ଧୋନୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।  

ସେପଟେ ତାଙ୍କର ଭବିଷ୍ୟତକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି କେହି ଏହାର ସମାଧାନ ଧୋନୀ ଖୋଦ ନିଜେ ହିଁ କରିବେ ବୋଲି ସୂଚନା ଦେଇଥିବା ବେଳେ ଅନ୍ୟ କେହି ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛି। ତେବେ ଆଇପିଏଲରେ ପୁନର୍ବାର ଧୋନୀ ଖେଳିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। ସେ ତାଙ୍କର ସର୍ବଶ୍ରେଷ୍ଠ ଏଠାରେ ଦେବେ ବୋଲି ତାଙ୍କର ପ୍ରଶଂସକଙ୍କ ବିଶ୍ୱାସ ରହିଛି।  

ସୂତ୍ର ଅନୁଯାୟୀ ମହେନ୍ଦ୍ର ସିଂ ଧୋନୀ ଆସନ୍ତା ୨୯ ତାରିଖରେ ଚେନ୍ନାଇରେ ପହଞ୍ଚିବେ। ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦଳର ପ୍ରାକ୍ଟିସ କ୍ୟାମ୍ପ ଆରମ୍ଭ ହେବ। ତେବେ ଏହି ଅଭ୍ୟାସ କ୍ୟାମ୍ପରେ ଦଳର ୨୪ରୁ ପ୍ରାୟ ୧୫ରୁ ୧୬ ଜଣ ଖେଳାଳି ସାମିଲ ହେବେ ବୋଲି ଜଣାପଡ଼ିଛି। ତେବେ ଅବଶିଷ୍ଟ ଖେଳାଳି ମାର୍ଚ୍ଚ ମାସରେ ଦ୍ୱିତୀୟ ସପ୍ତାହରେ ଅଭ୍ୟାସ କ୍ୟାମ୍ପ ଯୋଗ ଦେବେ। ତେବେ ଦଳର ଖେଳାଳିମାନେ ଉଭୟଙ୍କ ମଧ୍ୟରେ ୩ ରୁ ୪ଟି ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।