ସେହି ଅଭୁଲା ରାତି...୨୬/୧୧
ମନ୍ଦିର ପରି ହୋଟେଲ ଟିଏ...ଗୋଟିଏ ପାର୍ଶ୍ୱରୁ ଜଳୁଥିବ...ବାସ୍, ଏହି ଚିତ୍ର ହିଁ ଦେଖିଦେଲେ ଛାତି ଧରି ଉଠୁଛି...ମନେ ପଡୁଛି, ମୁମ୍ବାଇ ଆକ୍ରମଣର କଥା...ଆଜି ଏହି ଆକ୍ରମଣକୁ ପୁରିଛି ୧୧ ବର୍ଷ ...ସହିଦଙ୍କ ଶ୍ରଦ୍ଧାଞ୍ଜଳି ଦେଉଛି ସମଗ୍ର ଦେଶ...।
Trending Photos

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ରାଜନୈତିକ ପାଣିପାଗକୁ ନେଇ ଉଠୁଛି ପଡୁଛି ମୁମ୍ବାଇ । ହେଲେ ଠିକ ୧୧ ବର୍ଷ ପୂର୍ବ ଆଜିର ଦିନରେ ବି ସାରା ବିଶ୍ୱର ନଜର ଲାଖି ରହିଥିଲା ଏହି ମୁମ୍ବାଇ ଉପରେ । ଧରୁଥିଲା ମାୟା ନଗରୀ । ବାଣିଜ୍ୟିକ ରାଜଧାନୀରେ ଆତଙ୍କର ରାଜ୍ । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ କେତେ ସମର୍ପିତ, ତାହା ଦେଶ ଦେଖୁଥିଲା । କାହିଁକିନା ଅଗ୍ନି ପରୀକ୍ଷା ଦେଉଥିଲା ମୁମ୍ବାଇ ପୋଲିସ ।
ଆତଙ୍କୀଙ୍କ ଆଡୁ ଆତର୍କିତ ଗୁଳି ବର୍ଷା । ଆଖି ଆଗରେ ଅନେକ ମୃତଦେହ । ଜଳୁଥିଲା ହୋଟେଲ ତାଜ୍ । ଶିବାଜୀ ରେଲୱେ ଟର୍ମିନାଲ, ଲିଓପୋଲ୍ଡ କାଫେରେ କେହି କିଛି ଭାବିବା ପୂର୍ବରୁ ଟଳି ପଡୁଥିଲେ ସାଧାରଣ ଜନତା । ସାରା ରାତି ସଂହାର ଲୀଳା ଚଳାଇଥିଲେ ଲସ୍କର-ଏ-ତୋଏବାର ୧୦ ଆତଙ୍କବାଦୀ । ଆଉ ଏହାକୁ ସାମ୍ନା କରିବା ଆମ ସୁରକ୍ଷାକର୍ମୀଙ୍କ ପାଇଁ ସବୁଠି ବଡ ଚ୍ୟାଲେଞ୍ଜ ଥିଲା ।
ମାଛ ଖାଇବ ଇଲିସି, ଚାକିରି କରିବ ପୋଲିସି । ସାଧାରଣ ଲୋକଙ୍କ ଭିତରେ ପୋଲିସକୁ ନେଇ ବିଭିନ୍ନ ସମୟରେ ଏମିତି କିଛି ଚର୍ଚ୍ଚା ହୋଇଥାଏ । ହେଲେ ଆମ ପୋଲିସ ଯେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଦରକାର ପଡିଲେ ଯବାନଙ୍କ ପରି ନିଜ ଜୀବନକୁ ବାଜି ଲଗାଇ ଦେଇପାରେ, ତାହା କହି ଯାଉଥିଲା ମୁମ୍ବାଇ ପୋଲିସ ।
ଗୋଟିଏ ପଟେ ନର ସଂହାର କରି ଚାଲିଥିଲେ ଆତଙ୍କୀ, ଅନ୍ୟପଟେ ଏହାକୁ ସାମ୍ନା କରିବା ପାଇଁ ଅଣ୍ଟା ଭିଡିଥିଲା ମୁମ୍ବାଇ ପୋଲିସ । ଆରମ୍ଭ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ । ୪ ଦିନର ଅପରେସନ । ଏହାରି ଭିତରେ ୧୬୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲା । ହୋଟେଲ ତାଜରେ ବହୁ ଲୋକ ଫସି ରହିଥିଲେ । ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ।
ଏକମାତ୍ର ଆତଙ୍କୀ କସବ ହିଁ ଜୀବନ୍ତ ଧରା ପଡିଥିଲା । ଅନ୍ୟ ୯ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଦେଇଥିଲା ମୁମ୍ବାଇ ପୋଲିସ । ଆଉ ଆତଙ୍କବାଦୀଙ୍କୁ ସଫା କରିବାକୁ ଯାଇ ୨୨ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଦେଶ ଦେଖିଥିଲା ମୁମ୍ବାଇ ପୋଲିସର ତ୍ୟାଗ ଓ ବୀରତ୍ୱର କାହାଣୀ । ଆକ୍ରମଣରେ ୩ଶହରୁ ଉର୍ଦ୍ଧ୍ୱ ଲୋକେ ଗୁରୁତର ଆହତ ମଧ୍ୟ ହୋଇଥିଲେ ।
ଆତଙ୍କୀ କସବକୁ ଫାଶି ହୋଇସାରିଛି । ମୁମ୍ବାଇ ପୋଲିସ ଏବେ ବହୁ ଆଗକୁ ଗଲାଣି । ହେଲେ ୧୧ ବର୍ଷ ପୂର୍ବେ ଘଟିଥିବା ଏ ଘଟଣା ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ଆତଙ୍କବାଦୀଙ୍କ ଚରାଭୂମି ପାଲଟିଥିବା ପାକିସ୍ତାନ ଉପରେ ଘୃଣା ସୃଷ୍ଟି ହେଉଛି । ମୁମ୍ବାଇ ପୋଲିସର ତ୍ୟାଗ ଏବଂ ବଳିଦାନକୁ ନେଇ ଗର୍ବ କରୁଛି ସମଗ୍ର ଦେଶ । ସହିଦଙ୍କୁ ସମସ୍ତେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି ।
ଆହୁରି ପଢନ୍ତୁ; ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନକୁ ୭୦ ବର୍ଷ: We The People Of India...
More Stories