close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଲୋଭରୁ ପାପ, ପାପରୁ ମୃତ୍ୟୁ

 ସେଦିନ ଘଟିଯାଇଥିଲା ନାରକୀୟ ଓ ଅମାନବୀୟ କାଣ୍ଡ । ବିଦ୍ୟାଳୟ ଜାଗା ଜବରଦଖଲକୁ  କେନ୍ଦ୍ରକରି  ଗ୍ରାମବାସୀ ଓ ଜବରଦଖଲ କରିଥିବା ପରିବାର ମଧ୍ୟରେ ହୋଇଥିଲା ସଂଘବଦ୍ଧ ଖଣ୍ଡଯୁଦ୍ଧ । ଆଉ ସେ ଯୁଦ୍ଧର ପରିଣତି ବି ଥିଲା ଭୟଙ୍କର ।

ଲୋଭରୁ ପାପ, ପାପରୁ ମୃତ୍ୟୁ
source: social media

ସୁନନ୍ଦନ ମିଶ୍ର, ବାଲେଶ୍ୱର: ବେଳେବେଳେ ମଣିଷ ନିଜର ହିତାହିତ ଜ୍ଞାନ ହରାଇବସେ । ଆଉ କରିବସେ ଏମିତି କିଛି ଜଘନ୍ୟ କାଣ୍ଡ, ଯାହା ତା ପାଇଁ ମଧ୍ୟ କେବେ ଅକଳ୍ପନୀୟ ଥିଲା । ଜମିଜମାକୁ ନେଇ ବିବାଦ ଅଳ୍ପବହୁତେ ପ୍ରାୟ ସବୁ ଗାଁରେ ସବୁ ସାହିରେ ରହିଥାଏ । କିନ୍ତୁ ଏ ବିବାଦର ଧୂଆଁ ବଢ଼ି ବଢ଼ି ଯେବେ ସମ୍ପର୍କରେ ନିଆଁ ଲାଗେ, ମଣିଷ ସଇତାନ ପାଲଟିଯାଏ । ଆଉ ସେ ନିଆଁର ଆଁରେ ପୋଡ଼ିଜଳି ଛାରଖାର୍ ହୋଇଯାଏ ଜୀବନ । ବେଳେବେଳେ ତ ଏମିତି ହୁଏ ଯେଉଁଠି ପୂରା ପରିବାର ବି ଏଥିରେ ସାମିଲ ହୋଇଯାଆନ୍ତି ଆଉ ଏମିତି କିଛି କରିବସନ୍ତି, ଯାହା ଫଳରେ ସେମାନଙ୍କ ବାକି ଜୀବନକୁ ତାଙ୍କୁ କାଳକୋଠରୀରେ କାଟିବାକୁ ପଡ଼େ ।

୧୪ ଅକ୍ଟୋବର ସମୟ ଥିଲା ସକାଳ ୯ଟା । ବାଲେଶ୍ୱରର ବାଲିଆପାଳ ଅଞ୍ଚଳ, ଗାଁର ନାଁ କଟରା ମହଲ ।ଗାଁରେ ଏକ ବିଦ୍ୟାଳୟ ଅଛି । ନାଁ ତା'ର କଟରା ମହଲ ପ୍ରାଥମିକ ବିଦ୍ୟାଳୟ । ଆଉ ସବୁ କାଣ୍ଡ ଏହି ବିଦ୍ୟାଳୟକୁ ଲାଗି ଖଣ୍ଡ ଜମି ପାଇଁ । ବିଦ୍ୟାଳୟ ଜାଗା ଜବର ଦଖଲକୁ  କେନ୍ଦ୍ରକରି  ଗ୍ରାମବାସୀ ଓ ଜବରଦଖଲ କରିଥିବା ପରିବାର ମଧ୍ୟରେ ହୋଇଥିଲା ସଂଘବଦ୍ଧ ଖଣ୍ଡଯୁଦ୍ଧ । ଆଉ ସେ ଯୁଦ୍ଧର ପରିଣତି  ହୋଇଥିଲା  ଭୟଙ୍କର ।
୨୦୦୭ ମସିହାରୁ ଏହି ବିଦ୍ୟାଳୟର ଖଣ୍ଡେ ଜମିକୁ ନେଇ ବିବାଦ ଲାଗିରହିଥିଲା । ଗାଁର ଭାନୁ ଦଳାଇ ଓ ତାଙ୍କ ପରିବାର ଏହି ବିଦ୍ୟାଳୟର ଖଣ୍ଡ ଜମିକୁ ନିଜ ଜମି ବୋଲି କହି ଜବରଦଖଲ କରିଆସୁଥିଲେ । ଗାଁ ଲୋକଙ୍କ ଶତଚେଷ୍ଚା ପରେ ବି ଭାନୁ ଓ ତାଙ୍କ ପରିବାର ବେଳକୁ ବେଳ ନାନା ଉପାୟରେ ଏହି ଜମିକୁ ବାଡ଼ ବୁଜି ନିଜ ଅଧୀନରେ ରଖିଆସୁଥିଲେ । ଫଳରେ ୨୦୦୮ ମସିହାରେ ବାଲିଆପାଳ ତହସିଲଦାର ମିନତୀ ଜଗଦେବଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ସେତେବେଳେ ମିନତୀଙ୍କ ଚେଷ୍ଟାରେ ଏହି ଜମିକୁ ଭାନୁଙ୍କ ପରିବାରଠାରୁ ମୁକ୍ତ କରାଯାଇ ପୁଣିଥରେ ବିଦ୍ୟାଳୟ ଅଧୀନକୁ ଅଣା ଯାଇଥିଲା । କିନ୍ତୁ ଭାନୁ ବି ଥିଲେ ନଛୋଡ଼ବନ୍ଧା ଆଉ ତାଙ୍କର ସେହି ଜିଦ୍ ତାଙ୍କୁ ପୁଣି ଥରେ ଜମିକୁ ନିଜ ଅଧିନକୁ ଆଣିବାକୁ ଉସୁକାଇଥିଲା । 

ଘଟଣାର ଦିନ ୧୪ ଅକ୍ଟୋବରର ଦୁଇ ତିନି ପୂର୍ବରୁ ଭାନୁ ଏବଂ ତାଙ୍କ ପରିବାର ପୁଣି ଥରେ ବାଡ଼ ବୁଜି ସେହି ଜାଗାକୁ ନେଇ କବଜାକୁ ନେଇ ଯାଇଥିଲେ । କଥା ବ୍ୟାପିବା ପରେ ଗାଁର ମୁଖିଆ ରାମଚନ୍ଦ୍ର ଗିରି ଓ ଅନ୍ୟ ୧୦ ଜଣ ଗ୍ରାମବାସୀ, ଭାନୁଙ୍କୁ ବୁଝାଇବାକୁ ବିବାଦୀୟ ଜମି ଉପରେ ପହଞ୍ଚିଥିଲେ । ହେଲେ ଭାନୁ ଓ ତାଙ୍କ ପରିବାରକୁ ଲୋଭ ଏତେ ମାତ୍ରାରେ କବଳିତ କରି ରଖିଥିଲେ ଯେ, ସେ କିଛି ବୁଝିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ଧୀରେ ଧୀରେ ଦୁଇ ପକ୍ଷଙ୍କ ମଧ୍ୟରେ କଥାବର୍ତ୍ତା ଯୁକ୍ତିତର୍କରେ ପରିଣତ ହେଲା । ଆଉ ତା ପରେ ଅଚାନକ ଭାନୁଙ୍କ ପରିବାର ଗ୍ରାମବାସୀ ଓ ଗାଁ ମୁଖିଆଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଦେଲେ ।  ଦୁଇ ପକ୍ଷଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଗଲା । ଗୋଟେ ପଟେ ଭାନୁ ଓ ତାଙ୍କ ପରିବାର ଓ ଅନ୍ୟପଟେ ଥିଲେ ଗାଁ ମୁଖିଆ ଓ ଗାଁ ଲୋକେ ।

ଏହି ଘଟଣାରେ ୮ ଜଣ ଗ୍ରାମବାସୀ ଭୀଷଣ ଭାବେ ଆହତ ହେଲେ । ଗାଁ ମୁଖିଆଙ୍କୁ ଏଭଳି ଭାବେ ଆକ୍ରମଣ କରାଯାଇଥିଲା କି ତାଙ୍କୁ ମେଡିକାଲ୍ ନେବା ବାଟରେ ସେ ଆଖି ବୁଜିଦେଲେ । ଆଉ ଅନ୍ୟ ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଗଲା । ମୁଖିଆଙ୍କ ମୃତ୍ୟୁ ଓ ଅନ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଝଗଡ଼ାକୁ ଗାଁ ଲୋକେ ସହଜରେ ବିଶ୍ୱାସ କରି ପାରି ନଥିଲେ । ଯାହାକୁ ନେଇ ଗାଁ କିଛି ସମୟ ମଧ୍ୟରେ ରଣଭୂମିରେ ପରିଣତ ହୋଇଗଲା ।
ତେବେ ଏ ଘଟଣା ବେଶି ବଢ଼ିବା ଆଗରୁ ପୋଲିସ ପହଞ୍ଚି ଘଟଣାରେ ଅଭିଯୁକ୍ତ ଭାନୁଙ୍କ ପରିବାରର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଭାନୁଙ୍କ ଜ୍ୱାଇଁ ମନୋଜ ମଙ୍ଗରାଜ ଓ ପୁଅ ଶଙ୍କର ଦଳାଇ ଏବେବି ଫେରାର୍ ଅଛନ୍ତି । କିନ୍ତୁ ବାକି ଦୁଇ ପୁଅ, ଦୁଇ ବୋହୂ, ଝିଅ, ଭାନୁ ଓ ତାଙ୍କ ପତ୍ନୀ ସାବିତ୍ରୀ ଦଳାଇଙ୍କୁ ପୋଲିସ୍ ଗିରଫ କରିବାକୁ ସମର୍ଥ ହୋଇଥିଲା ।

ଏବେ ଭାନୁ ଓ ଗିରଫ ହୋଇଥିବା ତାଙ୍କ ପରିବାରର ବାକି ୬ ଜଣଙ୍କ ଉପରେ ଲାଗିଛି ଆପିସିର ଧାରା ୧୪୮, ୧୪୭, ୩୦୨, ୩୦୭, ୫୦୬ ଓ ୨୫/୨୭ ଆର୍ମ୍ସ ଆକ୍ଟ ଭଳି ଅନେକ ସଙ୍ଗିନ ଧାରା । ଏବେବି ଏହି ଘଟଣାରେ ଭାନୁଙ୍କ ଜ୍ୱାଇଁ ଓ ପୁଅ ଶଙ୍କର ଫେରାର୍ ଅଛନ୍ତି । ଯାହାଙ୍କୁ ଧରିବାକୁ ପୋଲିସ ଏବେ କସରତ କରୁଛି । ଗାଁରେ ଉତ୍ତେଜନାକୁ ଆଖିରେ ରଖି ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଗାଁରେ ପହରା ଦେଉଛନ୍ତି । ଚାହୁଁ ଚାହୁଁ ଖୁସିରେ ହସୁଥିବା ଗାଁ ପ୍ରଥମେ ପାଲଟିଯାଇଥିଲା ଋଣଭୂମି ଆଉ ଏବେ ସେଠି ପରିସ୍ଥିତି ଶୋକାକୂଳ । ଯାହାର କାରଣ ହେଉଛି ଲୋଭ, ଲୋଭ ଖଣ୍ଡ ଜାଗା ପାଇଁ । ଲୋଭ ନିଜର ଅଂହକାରକୁ ନେଇ ।