ସୁରଜଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହ ଘର ନିର୍ମାଣ ପାଇଁ ସହାୟତା ଦେଲେ ନବୀନ

ମୃତ୍ୟୁ ପରେ ବି ଜୀବିତ ସୁରଜ ବେହେରା

ସୁରଜଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହ ଘର ନିର୍ମାଣ ପାଇଁ ସହାୟତା ଦେଲେ ନବୀନ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ମୃତ୍ୟୁ ପରେ ବି ଜୀବିତ ସୁରଜ ବେହେରା । ତାଙ୍କ ଆତ୍ମା ସିନା ଶରୀର ଛାଡି ଚାଲି ଯାଇଛି, ହେଲେ ତାଙ୍କ ଶରୀରର ପ୍ରତ୍ୟକ ଅଙ୍ଗ ଏବେ ବି ଜୀବିତ,କାର୍ଯ୍ୟକ୍ଷମ ଓ ସଚଳ । ଆମେ କହୁଛୁ ଅମର ସୁରଜ ବେହେରାଙ୍କ କାହାଣୀ । ଯିଏ ମୃତ୍ୟୁ ପରେ ସବୁ ଅଙ୍ଗଦାନ କରି ଦେଇଛନ୍ତି ଅନ୍ୟ ଆବଶ୍ୟକୀୟ ରୋଗୀଙ୍କୁ । ସେହି ସୁରଜଙ୍କ ସାହସୀ ବାପାମାଙ୍କୁ ନିଜ ପୁଅର ମହାନତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅଙ୍ଗଦାନ ପାଇଁ ମୃତ ସୁରଜଙ୍କ ବାପା ମା'ଙ୍କୁ ଲୋକସେବା ଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନ କାର୍ଯ୍ୟ ପାଇଁ ସୁରଜଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହ ଘର ନିର୍ମାଣ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 

କିଛି ଦିନଆଗରୁ ସୁରଜ ସୁରଟରେ କାମ କରୁଥିବା ବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇଥିଲେ । ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସେ ବାପାମାଙ୍କୁ କହିଥିଲେ ଯଦି ତାର ମୃତ୍ୟୁ ହୁଏ ତାହେଲେ ନିଜ ଅଙ୍ଗ ଆବଶ୍ୟକୀୟ ଲୋକକୁ ଦାନ କରିବା ପାଇଁ । ଆଉ ଏହାର କିଛି ଦିନ ପରେ ସୁରଜଙ୍କ ମୃତ୍ୟୁ ହୋଇ ଯାଇଥିଲା । ପରେ ତାଙ୍କ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷ ଅପରେସନ କରି ହାର୍ଟ, ୨ଟି କିଡନୀ ଓ ୨ଟି ଆଖି କାଢି ନେଇ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରିଥିଲେ । ଫଳରେ ଏବେ ୬ଟି ଲୋକ ସୁରଜଙ୍କ ଅଙ୍ଗ ଦ୍ୱାରା ନୂଆ ଜୀବନ ପାଇଛନ୍ତି ।  ସୁରଜଙ୍କ ଘର ଗଂଜାମ ଭଂଜନଗର ଲାଲସିଂ ଗାଁରେ । ନିଜ ପୁଅର ମହାନତା ପାଇଁ ସେ ଖୁବ୍ ଗର୍ବିତ ଓ ଆନନ୍ଦିତ ବୋଲି ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ବାପା ମା ।