close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ପାୱାର'ଙ୍କୁ ପାୱାରଫୁଲ କରୁଛି ଉଦ୍ଧବଙ୍କ ପୁତ୍ର ମୋହ ! ସୋମବାର ସୋନିଆଙ୍କୁ କରିବେ ସାକ୍ଷାତ

କାହାର ହେବ ମହାରାଷ୍ଟ୍ର ? ବିଜେପି-ଶିବସେନା ମେଣ୍ଟ ନହେଲେ ପାୱାର ହିଁ କିଙ୍ଗ ମେକର...ବିଜେପି ବିରୋଧୀ ସରକାର ପାଇଁ ଦରକାର ଏନସିପିର ସମର୍ଥନ...ସେପଟେ ଶିବସେନା ସମର୍ଥନ ବିନା ସରକାର ଗଢିବାକୁ ଚାହିଁଲେ ବିଜେପିକୁ ମଧ୍ୟ ଏନସିପିର ସମର୍ଥନ ଲୋଡା...  

'ପାୱାର'ଙ୍କୁ ପାୱାରଫୁଲ କରୁଛି ଉଦ୍ଧବଙ୍କ ପୁତ୍ର ମୋହ ! ସୋମବାର ସୋନିଆଙ୍କୁ କରିବେ ସାକ୍ଷାତ
ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଶିବସେନାର ଅଢେଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ଦାବିକୁ ସହଜରେ ଗ୍ରହଣ କରିପାରୁନି ବିଜେପି । ସରକାର ଗଠନ ପାଇଁ ଅନ୍ୟ ବିକଳ୍ପ ବି ବାହାରିପାରୁନି । ଫଳାଫଳ ଆସିବାର ସପ୍ତାହେ ହେଲାଣି, କିନ୍ତୁ ସରକାର ଗଠନ ହୋଇପାରୁନି । ଏହାରି ଭିତରେ ଦିନକୁ ଦିନ ଏନସିପି ମୁଖ୍ୟ ଶରତ ପାୱାରଙ୍କ ଗୁରୁତ୍ୱ ବଢୁଛି । 

ଆସନ୍ତା ସୋମବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି ଏନସିପି ମୁଖ୍ୟ । ବର୍ତ୍ତମାନ ଏଭଳି କିଛି ଖବର ସାମ୍ନାକୁ ଆସୁଛି । ଏହି ବୈଠକରେ ଉଭୟ ଦଳର କଣ ରହିବ ଆଭିମୁଖ୍ୟ, ସେନେଇ ଆଲୋଚନା ହେବ । ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଫୋନ ଯୋଗେ ଶରତ ପାୱାରଙ୍କ ସହ ଆଲୋଚନା କରିଥିବା କୁହାଯାଉଛି । ତେବେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାର ଗଠନ ନେଇ ସ୍ପଷ୍ଟ ଚିତ୍ର ଆସିପାରିନି । 

ଯଦିଓ ଶିବସେନା ବିକଳ୍ପ ସରକାର ଗଠନ କରିବାରେ ସଫଳ ହେବ ବୋଲି ଦଳର ମୁଖମାତ୍ର ସଞ୍ଜୟ ରାଉତ ବାହାସ୍ଫୋଟ ମାରୁଛନ୍ତି, ତେବେ ଏହା ଏନସିପି ଉପରେ ହିଁ ନିର୍ଭର କରୁଛି । କିନ୍ତୁ ଏନସିପି ମୁଖ୍ୟ ଶରତ ପାୱାର ବିରୋଧୀ ଦଳର ଭୂମିକା ଲିଭାଇବାକୁ ମନ ବଳାଇଛନ୍ତି । ତେବେ ଆଗକୁ ଏନସିପିର ପ୍ରକୃତ ଆଭିମୁଖ୍ୟ କଣ ରହିବ, ତାହା ବେଶ ଗୁରୁତ୍ୱପୂର୍ଣ୍ଣ । 

ଯଦି ବିଜେପି ଓ ଶିବସେନା ନିଜ ନିଜ ଜିଦରେ ଅଟଳ ରହନ୍ତି, ତେବେ ସରକାର ଗଠନର ମାତ୍ର ଦୁଇଟି ବିକଳ୍ପ ରହିଛି । ବିକଳ୍ପ (୧) କଂଗ୍ରେସ ଓ ଏନସିପିର ସମର୍ଥନରେ ଶିବସେନା ସରକାର ଗଢିବ । ବିକଳ୍ପ (୨) ଏନସିପିର ସମର୍ଥନରେ ବିଜେପି ସରକାର ଗଢିବ । କିନ୍ତୁ ବିଚାରଗତ ଦୃଷ୍ଟିରୁ ଉଭୟ ବିକଳ୍ପ ବେଶ କାଠିକାର ପାଠ । ଅବଶ୍ୟ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ସେପଟେ ଅନ୍ୟ ଏକ ବିକଳ୍ପ ଭାବରେ କଂଗ୍ରେସ ସମର୍ଥନରେ ବିଜେପି ସରକାର ଗଢିବ କହିବା ମୂର୍ଖାମୀ ହେବ । ତେଣୁ ଯଦି ବିଜେପି-ଶିବସେନା ନିଜ ନିଜ ଜିଦରେ ଅଟଳ ରହିବେ ଏବଂ ଅନ୍ୟ ଦୁଇ ବିକଳ୍ପ ବି ସମ୍ଭବ ନହୁଏ, ତେବେ ରାଷ୍ଟ୍ରପତି ଶାସନ ହେବା ଅବଶ୍ୟମ୍ଭାବି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉପରେ ବର୍ଣ୍ଣିତ ଦୁଇ ବିକଳ୍ପରେ ଗୋଟିଏ ହିଁ ଦଳ(ଏନସିପି) କମନ ଆସୁଛି । ଅର୍ଥାତ ବିଜେପି-ଶିବସେନା ଝଗଡା ଯୋଗୁଁ ସରକାର ଗଠନ ପାଇଁ ଅନ୍ୟ ଯେଉଁ ବିକଳ୍ପ ନିଆଯାଉ, ଏନସିପି ରହିବା ପକ୍କା । ଯେଉଁଥିପାଇଁ ଶରତ ପାୱାରଙ୍କ ଗୁରୁତ୍ୱ ମହାରାଷ୍ଟ୍ର ରାଜନୀତିରେ ବେଶ କିଛିଦିନ ହେଲା ଚର୍ଚ୍ଚାର ଶିରୋନାମା ପାଲଟିଛି । ଯଦି ବିଜେପି-ଶିବସେନା ମଧ୍ୟରେ ଆପୋଷ ବୁଝାମଣା ହୋଇଥାନ୍ତା, ତେବେ ଏନସିପିକୁ ପଚାରେ କିଏ ? ବିରୋଧୀ ଦଳ ଭାବରେ ହିଁ କାମ କରିଥାନ୍ତା । 

ବିଜେପି-ଶିବସେନା ମେଣ୍ଟକରି ନିର୍ବାଚନ ମଇଦାନଙ୍କୁ ଓହ୍ଲାଇଥିଲେ । ଆଉ ଏହି ମେଣ୍ଟକୁ ବହୁମତ ବି ମିଳିଛି । ହେଲେ ଶିବସେନାର ୫୦/୫୦ ଫର୍ମୁଲା ବିଜେପିକୁ ଘାଇଲା କରୁଛି । ଏହି ଫର୍ମୁଲାର ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ତାହା ହେଉଛି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା । ଯେଉଁଥିପାଇଁ ବିଜେପି ସହ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୁଲା ଦାବି କରୁଛନ୍ତି ଉଦ୍ଧବ । ଅର୍ଥାତ, ମହାରାଷ୍ଟ୍ରରେ ଅଢେଇ ବର୍ଷ ଶିବସେନା ଏବଂ ଅଢେଇ ବର୍ଷ ବିଜେପିରୁ ମୁଖ୍ୟମନ୍ତ୍ରୀ ରହିବେ । ଯାହାକୁ ସହଜରେ ଗ୍ରହଣ କରିପାରୁନି ଭାରତୀୟ ଜନତା ପାର୍ଟି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ମ୍ୟାଜିକ ନମ୍ବର ୨୪୫ । ଅର୍ଥାତ ଅନ୍ୟ ଗୋଟିଏ ଦଳର ସମର୍ଥନ ବିନା ବିଜେପି ସରକାର ଗଠନ କରିପାରିବ ନାହିଁ । ସେହିପରି ବିଜେପି ବ୍ୟତୀତ ଅନ୍ୟ ଦୁଇ ଦଳ ମିଶି ମ୍ୟାଜିକ ନମ୍ବର ଛୁଇ ପାରୁନାହାଁନ୍ତି । ବିଜେପି ବିରୋଧୀ ସରକାର ଗଠନ କରିବାକୁ ହେଲେ କଂଗ୍ରେସ, ଏନସିପି ଏବଂ ଶିବସେନା ମଧ୍ୟରେ ବୁଝାମଣା ଦରକାର । ଅପେକ୍ଷା, ସୋନିଆ ଗାନ୍ଧୀଙ୍କ ସହ ଶରତ ପାୱାରଙ୍କ ବୈଠକକୁ । ଏହିଦିନ ହୁଏତ ସ୍ପଷ୍ଟ ଚିତ୍ର ଆସିପାରେ ।