ହାତ-ଘଣ୍ଟା ସେନା ସହ ମିଶି ୨୦ ଦିନ ମଧ୍ୟରେ କରିବେ ସରକାର ଗଠନ !
Advertisement

ହାତ-ଘଣ୍ଟା ସେନା ସହ ମିଶି ୨୦ ଦିନ ମଧ୍ୟରେ କରିବେ ସରକାର ଗଠନ !

ଆମେ 'ତିନି' ଗଢ଼ିବୁ ସ୍ଥିର ସରକାର: ପାୱାର

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ସରକାର ଗଠନ ନେଇ ଚାଲିଥିବା ଛକାପଞ୍ଝାରେ ପୁଣି ଆସିଛି ନୂଆ ମୋଡ଼ । ମେଣ୍ଟ ସରକାର ଭରସାରେ ଥିବା ମହାରାଷ୍ଟ୍ରର ମହାସିଂହାସନକୁ ଖୁବଶୀଘ୍ର ମିଳିପାରେ ୫ ବର୍ଷିୟ ଉତ୍ତରାଧିକାରୀ । ଏ ନେଇ ମୁହଁ ଖୋଲିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର । କଂଗ୍ରେସ ଓ ଏନସିପି ଶିବସେନା ସହ ମିଶି ୨୦ ଦିନ ମଧ୍ୟରେ ସ୍ଥିର ସରକାର ଗଢିବେ ବୋଲି କହିଛନ୍ତି ପାଓ୍ୱାର ।

ଆଗକୁ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପାୱାର । ତେବେ ନିର୍ବାଚନ ଶେଷ ହେବା ଦିନରୁ ସରକାର ଗଠନ ନେଇ ଚାଲିଥିଲା ଘନ ଘନ ବୈଠକ । ଜଣେ ଆଉ ଜଣଙ୍କ କାନ୍ଧରେ ବସି ଫଳ ତୋଳିବା ଆଶାରେ ଗଡ଼ି ଚାଲିଥିଲା ସମୟ ଆଉ ଶେଷ ସମୟ ପର୍ଯ୍ୟନ୍ତ ରାଜନୈତିକ ଅଙ୍କାକଷାର ସମାଧାନ ବାହାରି ପାରି ନ ଥିଲା । ଅଙ୍କକଷା ଏତେ ଜଟିଳ ହେଇଥିଲା ଯେ ଶେଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିହୋଇଥିଲେ । ଆଉ ତାପରେ ସବୁ ଦଳର ଅକଲ ଗୁଡମ୍ ହୋଇଯାଇଥିଲା ।

ଆଉ ଏବେ ତିନିଦଳ ମିଶି ସରକାର ଗଢ଼ିବାକୁ ପାଗ ଭିଡିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଉ କହିଛନ୍ତି ତିନି ଦଳ ମିଶି ସରକାର ଗଠନ କଲେ ଛଅମାସରୁ ଅଧିକ ସମୟ ସରକାର ଚାଲିପାରିବ ନାହିଁ ଏବଂ ଆଗକୁ ଏହା ଭାଙ୍ଗିଯିବ । ଆଉ ଦେବେନ୍ଦ୍ରଙ୍କ ପ୍ରତିକ୍ରିୟାର ଜବାବ ଦେବାକୁ ଯାଇ ଓଲଟା ତୀର ମାରିଛନ୍ତି ଶରଦ ପାୱାର । ପାୱାର କହିଛନ୍ତି ଯେ ମୁଁ ଅନେକ ଦିନ ହେବ ଦେବେନ୍ଦ୍ରଙ୍କୁ ଜାଣିଛି ମାତ୍ର ସେ ଜଣେ ଜ୍ୟୋତିର୍ବିଦ ବୋଲି ମୁଁ ତାହା ଜାଣି ନ ଥିଲି ।

ଶିବସେନା ଛଡ଼ା ଦଳ ଆଉ କାହା ସହ ମେଣ୍ଟ କରିବ ନାହିଁ ବୋଲି ସିଧାସିଧା ମନା କରିଦେଇଛିନ୍ତି ପାୱାର । ସେପଟେ ଘଡ଼ିକେ ଘୋଡ଼ା ବଦଳୁଥିବା ବେଳେ ନୂଆ ସମୀକରଣ କେତେ ଦୂର ପର୍ଯ୍ୟନ୍ତ ସମ୍ଭବ ହୋଇପାରୁଛି ତାହା ସମସ୍ତଙ୍କ ଅପେକ୍ଷା । ସୂଚନାଯୋଗ୍ୟ ୨୮୮  ଆସନ ବିଶିଷ୍ଟ ବିଧାନସଭାର ମ୍ୟାଜିକ ନମ୍ୱର ଅର୍ଥାତ ସରକାର ଗଠନ କରିବା ପାଇଁ ୧୪୫ ସଂଖ୍ୟା ଆବଶ୍ୟକ ଥିବାବେଳେ ସମସ୍ତେ ସଂଖ୍ୟା ଖେଳରେ ହାରିଯାଇଛନ୍ତି । ତେବେ ବିଜେପି ଆକାଉଣ୍ଟରେ ୧୦୫ ଟି ଆସନ, ଶିବସେନା ପାଖରେ ୫୬ଟି ଆସନ, ଏନସିପି ପାଖରେ ୫୪ଟି ଆସନ ଥିବା ବେଳେ କଂଗ୍ରେସ ପାଖରେ ୪୪ଟି ଆସନ ଓ ଅନ୍ୟାନ୍ୟ ଦଳ ପାଖରେ ୨୯ଟି ଆସନ ରହିଛି ।