ଆସନ୍ତାକାଲି 'ମହାରାଷ୍ଟ୍ର' ରାୟ, କେମିତି ଥିଲା ଆଜିର ଶୁଣାଣି ?

ଆସନ୍ତାକାଲି ଆସିବ 'ମହାରାଷ୍ଟ୍ର' ରାୟ । ବିଧାନସଭାରେ ଆସ୍ଥା ଭୋଟ ନେଇ ବିରୋଧୀ ଯେଉଁ ଦାବି କରିଛନ୍ତି, ସେନେଇ ନିଜର ରାୟ ପ୍ରକାଶ କରିବେ ଦେଶର ସର୍ବୋଚ୍ଚ ଅଦାଲତ ।

ଆସନ୍ତାକାଲି 'ମହାରାଷ୍ଟ୍ର' ରାୟ, କେମିତି ଥିଲା ଆଜିର ଶୁଣାଣି ?
ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ 'ମହାରାଷ୍ଟ୍ର' ରାୟ । ବିଧାନସଭାରେ ଆସ୍ଥା ଭୋଟ ନେଇ ବିରୋଧୀ ଯେଉଁ ଦାବି କରିଛନ୍ତି, ସେନେଇ ନିଜର ରାୟ ପ୍ରକାଶ କରିବେ ଦେଶର ସର୍ବୋଚ୍ଚ ଅଦାଲତ । ଆଜି ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଜଷ୍ଚିସ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏନଭି ରମନ ଓ ଜଷ୍ଟିସ ଅଶୋକ ଭୂଷଣ ଏହାର ଶୁଣାଣି କରୁଛନ୍ତି । 

ବିଜେପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଦେଇଥିବା ଆମନ୍ତ୍ରଣ ପତ୍ରକୁ ଆଜି କୋର୍ଟରେ ଦାଖଲ କରିଥିଲେ ସଲିସଟର ଜେନେରାଲ ତୁଷାର ମେହଟା । ବିଜେପି, ଅଜିତ ପାଓ୍ୱାର ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ପତ୍ର ଅନୁଯାୟୀ ରାଜ୍ୟପାଳ ଏପରି ଆମନ୍ତ୍ରଣ କରିଥିଲେ ବୋଲି ସେ କହିଥିଲେ ।  ସେହିପରି ବିଧାନସଭାର ଏଜେଣ୍ଡା କଣ, ତାହା ସୁପ୍ରିମକୋର୍ଟ ସ୍ଥିର କରିବେ କି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । 

ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ତରଫରୁ ଆଇନୀଜୀବୀ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ । ସେ କହିଥିଲେ, ଅଜିତ ପାଓ୍ୱାର ଏନସିପିର ବିଧାୟକ ଦଳ ନେତା । ତାଙ୍କ ପାଖରେ ୫୪ ବିଧାୟକଙ୍କ ସମର୍ଥନ ପତ୍ର ଥିଲା । ସେ ଆହୁରି ମଧ୍ୟ କହିଥିଲେ, ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ପ୍ରଥମେ ପ୍ରୋଟେମ ସ୍ପିକର ନିଯୁକ୍ତି ହେବେ । ପରେ ବିଧାୟକଙ୍କ ଶପଥ ଗ୍ରହଣ ହେବ । ଏହାପରେ ଯାଇ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି କହିଥିଲେ ମୁକୁଲ ରୋହତଗୀ ।

ଅନ୍ୟପଟେ ଶିବସେନା ତରଫରୁ ପକ୍ଷ ରଖିଥିଲେ କପିଲ ସିବଲ । ୨୨ ତାରିଖ ରାତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିବସେନା, ଏନସିପି ଏବଂ କଂଗ୍ରେସ ପକ୍ଷରୁ ନିଷ୍ପତି ହୋଇଥିଲା । ମାତ୍ର ସକାଳୁ ଦେଖିଲା ବେଳକୁ ବିଜେିର ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ । ତେଣୁ କେଉଁ ପରିସ୍ଥିତିରେ ରାତି ଅଧିଆ ରାଷ୍ଟ୍ରପତି ଶାସନ ହଟିଲା, ସେନେଇ ଖୁଲାସା ହେବା କଥା ବୋଲି କହିଥିଲେ କପିଲ ଶିବଲ । 

କଂଗ୍ରେସ ପକ୍ଷରୁ ଅଭିଷେକ ସିଂଘବୀ କହିଥିଲେ, ଆସ୍ଥା ଭୋଟ ଶୀଘ୍ର ହେଉ । କାହିଁକିନା ଶିବସେନା, ଏନସିପି ଏବଂ କଂଗ୍ରେସ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ରହିଛି । 

କହିରଖୁଛୁ, ଶନିବାର ମହାରାଷ୍ଟ୍ରରେ ବିଜେପି ସରକାର ଗଢିଛି । ତେବେ ସରକାର ଗଠନର ପୁରା ଘଟଣାକ୍ରମକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ରିଟ୍ ପିଟିସନ ଦାଖଲ ହୋଇଥିଲା । 

ଆହୁରି ପଢନ୍ତୁ; ରାଜଭବନରେ 'ସମର୍ଥନ ପତ୍ର' ଦେଲେ ବିରୋଧୀ