ନିର୍ବାଚନ କମିଶନଙ୍କୁ ଏନସିପିର ଚିଠି, ଗଣତି ସରିବା ଯାଏ ବନ୍ଦ ରହୁ ଇଣ୍ଟରନେଟ ସେବା

ମହାରାଷ୍ଟ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି) । ମତଦାନ ଆରମ୍ଭରୁ ଭୋଟ ଗଣତି ସରିବା ଯାଏ ପୋଲିଂ ବୁଥ୍ ଏବଂ ଷ୍ଟ୍ରଙ୍ଗରୁମର ୩ କିଲୋମିଟର ରେଡିୟସ ଭିତରେ ଇଣ୍ଟରନେଟ ସେବା ବନ୍ଦ କରିବା ପାଇଁ ଏହି ଚିଠି ଲେଖିଛି ଦଳ । 

ନିର୍ବାଚନ କମିଶନଙ୍କୁ ଏନସିପିର ଚିଠି, ଗଣତି ସରିବା ଯାଏ ବନ୍ଦ ରହୁ ଇଣ୍ଟରନେଟ ସେବା
NCP writes to Election Commission

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି) । ମତଦାନ ଆରମ୍ଭରୁ ଭୋଟ ଗଣତି ସରିବା ଯାଏ ପୋଲିଂ ବୁଥ୍ ଏବଂ ଷ୍ଟ୍ରଙ୍ଗରୁମର ୩ କିଲୋମିଟର ରେଡିୟସ ଭିତରେ ଇଣ୍ଟରନେଟ ସେବା ବନ୍ଦ କରିବା ପାଇଁ ଏହି ଚିଠି ଲେଖିଛି ଦଳ । ଅକ୍ଟୋବର ୨୧ ଅର୍ଥାତ ଆସନ୍ତାକାଲିଠୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିବାକୁ ଚିଠିଲେ ଉଲ୍ଲେଖ କରାଯାଇଛି । 

ନିର୍ବାଚନ କମିଶନଙ୍କୁ ଏନସିପି ଲେଖିଥିବା ଏହି ଚିଠିରେ କୁହାଯାଇଛି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ । କାହିଁକିନା ଏହି ନିର୍ବାଚନରେ ୮କୋଟିରୁ ଅଧିକ ଲୋକ ନିଜର ମତଦାନ ସାବ୍ୟସ୍ତ କରିବେ । ଏହି ମତଦାନ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ମୁତାବକ ଏଭିଏମ ଏବଂ ଭିଭିପାଟ ଦ୍ୱାରା କରାଯାଉଛି । କିନ୍ତୁ ଲୋକଙ୍କ ମଧ୍ୟରେ ଇଭିଏମ ଏବଂ ଭିଭିପାଟରେ ସଠିକ ମତଦାନ ନେଇ ଏବେ ବି ସନ୍ଦେହ ରହିଛି ବୋଲି ଦର୍ଶାଇଛି ଏନସିପି । 

ଚିଠିରେ କୁହାଯାଇଛି, ଜନତାଙ୍କ ମଧ୍ୟରେ ସନ୍ଦେହ ଏହା ଯେ ସେମାନେ ଭୋଟ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଖାତାରେ ତାଙ୍କ ଭୋଟ ପଡିବ ତ ? ସେମାନଙ୍କ ଭୋଟକୁ ହ୍ୟାକର ହ୍ୟାକ କରିଦେବନି ତ ? ସେମାନେ ଜଣଙ୍କୁ ଭୋଟ ଦେବେ, ହେଲେ ତାଙ୍କ ଭୋଟ ଅନ୍ୟଜଣଙ୍କ ଖାତାରେ ପଡିବ, ଏଭଳି କିଛି ସନ୍ଦେହ ରଖିଛନ୍ତି ଭୋଟର । 

ଏନସିପି କହିଛି, ମୋବାଇଲ ଇଣ୍ଟରନେଟ ମାଧ୍ୟମରେ ପ୍ରଫେସନାଲ ହ୍ୟାକର ଏମିତି କିଛି ହ୍ୟାକ କରିଦେବାର ସନ୍ଦେହ ଥାଏ । ତେଣୁ ଏପ୍ରକାର ଅପରାଧିକ କାର୍ଯ୍ୟକଳାପର ସମ୍ଭାବନାରୁ ଦୂରେଇ ରହିବା ପାଇଁ ରାଜ୍ୟର ପ୍ରତ୍ୟେକ ବୁଥ ଏବଂ ଷ୍ଟ୍ରଙ୍ଗରୁମର ୩ କିଲୋମିଟର ରେଡିୟସ ଭିତରେ ଇଣ୍ଟରନେଟ ସେବା ବନ୍ଦ କରାଯାଉ । ମତଦାନ ଆରମ୍ଭରୁ ଭୋଟଗଣତି ସରିବା ଯାଇ ଇଣ୍ଟରନେଟ ବନ୍ଦ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ଦଳ । କେବଳ ମହାରାଷ୍ଟ୍ର କାହିଁକି, ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ଏପରି କରାଯାଉ ବୋଲି ଏନସିପି ତା ଚିଠିରେ ଉଲ୍ଲେଖ କରିଛି । 

କହିରଖୁଛୁ, ମତଦାନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି । ପ୍ରାର୍ଥୀ ଜଣକ ଭୋଟରଙ୍କୁ ଧମକ ଦେବାରେ ନଜରକୁ ଆସିଛି । 
ହରିୟାଣାର ଅସାନ୍ଧି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବକ୍ସିସ ସିଂହ ଭିର୍କ ଜନତାଙ୍କୁ ଧମକାଇ କହିଥିଲେ ଯେ, ଆପଣମାନେ ଇଭିଏମର ଯେକୌଣସି ବଟନ ଦବାଇଲେ ମଧ୍ୟ ଭୋଟ କେବଳ ପଦ୍ମ ଫୁଲକୁ ହିଁ ମିଳିବ । 

ବିଜେପି ପ୍ରାର୍ଥୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓଟି ଅସାନ୍ଧି ବିଧାନସଭା କ୍ଷେତ୍ରର ଏକ ଜନସଭାର ବୋଲି ଜଣାପଡିଛି । ଏହି ଭିଡିଓରେ ଭିର୍କ ନା କେବଳ ଭୋଟରଙ୍କୁ ଧମକ ଦେଉଛନ୍ତି, ବରଂ ଏହା ମଧ୍ୟ କହୁଛନ୍ତି ଯେ ଆପଣ ଯେକୌଣସି ବଟନ ଦବାଇଲେ ଭୋଟ ବିଜେପି ଖାତାକୁ ଯିବ । ଏନେଇ ନିର୍ବାଚନ ଆୟୋଗ ତରଫରୁ ତାଙ୍କୁ ନୋଟିସ ଜାରି କରାଯାଇଛି । 

ଏହି ଭାଇରାଲ ଭିଡିଓରେ ବକ୍ସିସ ସିଂହ କହୁଛନ୍ତି , ଆଜି ଯଦି ଆପଣ ଭୁଲ କରିବେ ତେବେ ଆପଣଙ୍କୁ ୫ ବର୍ଷ ଭୋଗିବାକୁ ପଡିବ । ଆମକୁ ଏହା ମଧ୍ୟ ଜଣାପଡିଯିବ କିଏ କାହାକୁ ଭୋଟ ଦେଇଛି । ଯଦି କହିବେ ତେବେ ଏହାର ସଂପୂର୍ଣ୍ଣ ତଥ୍ୟ ମଧ୍ୟ ଯୋଗାଇ ଦେବି । ମୋଦିଜୀ ଓ ମନହୋର ଲାଲଙ୍କ ନଜର ହେଉଛି ବହୁତ ତୀକ୍ଷ୍ମଣ । 

ଅର୍ଥାତ ବିଜେପି ପ୍ରାର୍ଥୀ ଭିର୍କ ସ୍ପଷ୍ଟ ଭାବେ କହୁଥିଲେ, ଇଭିଏମରେ ଏପରି କିଛି ସେଟିଂ କରାଯାଇଛି, ଯାହା ଦ୍ୱାରା ଭୋଟର ଯେକୌଣସି ଦଳକୁ ଭୋଟ ଦେଲେ ମଧ୍ୟ ସେହି ଭୋଟ ସିଧା ବିଜେପିକୁ  ମିଳିବ । ଅନ୍ୟପକ୍ଷେ ଏନେଇ ବିବାଦ ଉପୁଜିବା ପରେ ସେ ଏହି ଭାଇରାଲ ଭିଡିଓକୁ ଫେକ୍ ବୋଲି କହିଥିଲେ । ଏହି ଭିଡିଓକୁ ଏଡିଟ କରାଯାଇଛି ବୋଲି ସେ ଦାବି କରିଛନ୍ତି ।