close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନର ପିଶାଚଙ୍କ ନାରକୀୟ କାଣ୍ଡ : ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖିବା ବିଜୟଙ୍କ ଲାଗି ପାଲଟିଗଲା କାଳ

ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ କରିବାକୁ ସ୍ଵପ୍ନ ଦେଖିଥିଲେ ବିଜୟ। ସ୍ୱପ୍ନ ରହିଗଲା ଅଧା। ଘର ତିଆରି ନୋହିଲା। ଶତ୍ରୁ ସାଜିଲେ ପଡ଼ୋଶୀ। ସାଜିଲେ ଯମଦୂତ ଛଡ଼ାଇ ନେଲେ ଜୀବନ।

 ନର ପିଶାଚଙ୍କ ନାରକୀୟ କାଣ୍ଡ : ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖିବା ବିଜୟଙ୍କ ଲାଗି ପାଲଟିଗଲା କାଳ

ଭଦ୍ରକ: ମୁଣ୍ଡ ଗୁଞ୍ଜିବାକୁ ଘରଟେ ନ ଥିଲା, ଯାହାଫଳରେ  ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ କରିବାକୁ ସ୍ଵପ୍ନ ଦେଖିଥିଲେ ବିଜୟ। ହେଲେ କିଏ ବା ଜାଣିଥିଲା, ଜଣେ ଉଚ୍ଚାଭିଳାଷୀ ଭାବରେ ତାଙ୍କର ସେହି ସ୍ୱାଭାବିକ  ସ୍ୱପ୍ନ ହିଁ ତାଙ୍କ ପାଇଁ କାଳ ପାଲଟି ଯିବ ବୋଲି। ତାଙ୍କର ଉତଥାନକୁ ଆଦୌ ସହି ପାରୁ ନ ଥିବା କିଛି ପଡ଼ୋଶୀ ହିଁ ପାଲଟିଗଲେ ତାଙ୍କର ଶତ୍ରୁ। ଖାଲି ତ ଶତ୍ରୁ ପାଲଟି ଯାଇ ନ ଥିଲେ, ଭଗବାନଙ୍କ ସର୍ବଶ୍ରେଷ୍ଠ ଦାନ ଏହି ଜୀବନଟିକୁ ମଧ୍ୟ ତାଙ୍କଠାରୁ ଛଡ଼ାଇ ନେଇଥିଲେ ସେମାନେ। ବିଜୟଙ୍କ ପାଇଁ ଯମଦୂତ ସାଜି ସେମାନେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନ ଥିଲେ।  ତେବେ କିଏ ଏହି ବିଜୟ ? ଆଉ ତାଙ୍କ ପଡ଼ୋଶୀମାନେ ବା ତାଙ୍କୁ ହତ୍ୟା କଲେ କାହିଁକି ? କ'ଣ ଦୋଷ ଥିଲା ବିଜୟଙ୍କର ? କାହିଁକି ତାଙ୍କୁ ନିଜ ବହୁମୂଲ୍ୟ ଜୀବନକୁ ଅକାଳରେ ହରାଇବାକୁ ପଡ଼ିଲା ? ଆପଙ୍କ ଭାବୁଥିବେ ନିଶ୍ଚୟ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା ସମ୍ପର୍କରେ । 

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ରାଉତରାଗଡ଼ିଆ ପାଟଣାର ବିଜୟ ବେହେରା। ମୁଣ୍ଡ ଗୁଞ୍ଜିବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ କେଜାଣି କେତେ ଶେଣାରେ ପାଣି ବୁହାଇଥିଲେ।  ବ୍ଲକ କାର୍ଯ୍ୟାଳୟ  ଦୌଡ଼ି ଦୌଡ଼ି  ଚପଲ ଘୋରିଥିଲେ।  ବଡ଼ବାବୁମାନଙ୍କ ହାତଗୋଡ଼ ଧରି ନେହୁରା ହୋଇଥିଲେ। ଶେଷରେ ତାଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରିଥିଲା ପ୍ରଶାସନ। ଆଉ ତାଙ୍କ ନାମରେ ମଞ୍ଜୁର ହୋଇଥିଲା ଏକ ସରକାରୀ ଘର। ଘରଟିଏ ତାଙ୍କ ନାମରେ ମଞ୍ଜୁର ହେବା ଖବର ପାଇବା ପରେ କେଜାଣି କେତେ ଠାକୁରଙ୍କୁ ହାତଯୋଡ଼ି ଧନ୍ୟବାଦ ଜଣାଇଥିଲେ ବିଜୟ। କିନ୍ତୁ ସେ ଜାଣିନଥିଲେ ଯେ ଏଇ ଖୁସି କ୍ଷଣିକ ଲାଗି ମାତ୍ର । ତାଙ୍କ ନାମରେ ଘର ଇସ୍ୟୁ ହେବା ପରେ ଏହାକୁ ନିର୍ମାଣ କରିବା ପାଇଁ ମିଳିଥିଲା ପ୍ରଥମ କିସ୍ତି ଟଙ୍କା। ଗୃହ ନିର୍ମାଣ ପାଇଁ ଏହି ଟଙ୍କାରେ ପ୍ରଥମେ ବାଲି କିଣିଥିଲେ ବିଜୟ।  ଆଉ ସେହି ବାଲିକୁ ପଡ଼ୋଶୀ ଘର ଆଗରେ ଥିବା ରାସ୍ତା କଡ଼ରେ ଠୁଳ କରିଥିଲେ। ଏହାକୁ କେନ୍ଦ୍ରକରି ଏହି ବିବାଦର ସୂତ୍ରପାତ ହୋଇଥିଲା।    
ଘଟଣା ଥିଲା ସେପ୍ଟେମ୍ବର ମାସ ୧୯ ତାରିଖର। ପରର ଶିରି ଦେଖି ସହି ପାରୁ ନ ଥିବା ପଡ଼ୋଶୀଙ୍କର ଏହା ଆଦୌ ହଜମ ହେଲାନାହିଁ।  ତୁରନ୍ତ ସେଠୁ ବାଲି ଉଠାଇ ନେବାପାଇଁ ବିଜୟଙ୍କୁ ଦେଲେ ଧମକ।  ତାଙ୍କର ଏପରି ମନୋଭାବ ଦେଖି ବାଲି ଉଠାଇ ନେବାକୁ ରାଜି ହେଲେ ବିଜୟ। କହିଲେ ରାତି ପାହୁ, ମୁଁ ବାଲି ଉଠାଇ ନେବି। ଏହା କହି ସେ ଚାଲି ଯାଇଥିଲେ ନିକଟସ୍ଥ ବଜାରକୁ। ହେଲେ ସେ ବୋଧହୁଏ ଜାଣି ନ ଥିଲେ, ସେ ବଜାରରୁ ଫେରିବା ସମୟ, ତାଙ୍କ ପାଇଁ ଏକ ଭୀଷଣ ଭବିଷ୍ୟତ ନେଇ ଅପେକ୍ଷା କରିଛି।  ଆଉ ସେ ଦିନ ତାଙ୍କ ଜୀବନର ଅନ୍ତିମ ଦିନ ବୋଲି।  ବିଜୟ ବଜାରକୁ ଯାଇଥିବା ସମୟରେ ଏଣେ ତାଙ୍କ ସାହି ପଡ଼ିଶାରେ ରଚା ଯାଉଥିଲା ତାଙ୍କ ହତ୍ୟାର ନୀଳ ନକ୍ସା। 

 ବିଜୟ ରାତି ପାହିଲେ ବାଲି ଉଠାଇ ନେବେ ବୋଲି ଦେଇଥିବା ପ୍ରତିଶ୍ରୁତି ସନ୍ତୁଷ୍ଟ କରି ପାରି ନ ଥିଲା ତାଙ୍କ ପଡୋଶୀଙ୍କୁ। କାଲି ନୁହେଁ ଆଜି ହିଁ ବାଲି ଉଠାଇବାକୁ ପଡ଼ିବ ବୋଲି ଅଡ଼ି ବସିଥିଲେ ସେ। ଆଉ ଏହାକୁ ଅଣଦେଖା କରିବା ହିଁ ହୁଏତ ଥିଲା ବିଜୟଙ୍କ ଭୁଲ୍ ଯେଉଁଥିପାଇଁ ଜୀବନ ଦେଇ ଏହାକୁ ସୁଧାରିବାକୁ ପଡ଼ିଲା। କାରଣ ଏହିପରି ଏକ ସାମାନ୍ୟ କଥାକୁ କେନ୍ଦ୍ରକରି ଉତକ୍ଷିପ୍ତ ହୋଇ ବିଜୟଙ୍କୁ ଆକ୍ରମଣ କରିବା ପାଇଁ ବ୍ଲୁ ପ୍ରିଣ୍ଟ ରଚିଥିଲେ ଏହି ନରପିଶାଚ ମାନେ। ସେମାନଙ୍କ ଯୋଜନା ମୁତାବକ ବିଜୟ ସେଦିନ ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ସଂଘବଦ୍ଧ ଭାବେ  ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ ୫ ଜଣ।  ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିବା ଯୋଗୁ  ବିଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହା ଫଳରେ ସେ  ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ସୂଚନା ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ବିଧିର ବିଡମ୍ବନା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଣ୍ଡ ଗୁଞ୍ଜିବାକୁ ଘରଟେ କରିବା ପାଇଁ ସ୍ଵପ୍ନ ଦେଖିଥିବା ବିଜୟ ବେହେରାଙ୍କ ଜୀବନ ଦୀପ ଅକାଳରେ ଲିଭି ସାରିଥିଲା। ଅଭିଯୁକ୍ତ ପଡ଼ୋଶୀମାନେ ଘଟଣାସ୍ଥଳରୁ ହୋଇ ଯାଇଥିଲେ ଫେରାର୍। 

 ଏହାପରେ  ଏତଲା କ୍ରମେ,  ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହେଲା।  ବିଜୟଙ୍କୁ ହତ୍ୟା କରିବା ପରେ ପୋଲିସ ଆଖିରେ ଧୂଳି ଦେଇ ଘୂରି ବୁଲୁଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସେପ୍ଟେମ୍ବର ୨୫ ତାରିଖ ଚରମ୍ପାରୁ ନୀଳ ମହାରଣାକୁ ଗିରଫ କରିଥିଲା ପୋଲିସ।  ସେପଟେ ଭୁବନେଶ୍ୱର ରେଳ ଷ୍ଟେସନରୁ  ଗୁରୁ ମହାରଣାକୁ  କାବୁ କରିବାରେ ସଫଳ ହୋଇଥିଲା ପୋଲିସ।  ଏଥିସହ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଜବତ କରିଥିଲା।   ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି IPC ଧାରା 341, 323, 302, 307 ଏବଂ ଧାରା 34 ବଳରେ କୋର୍ଟ ଚାଲାଣ କରିଥିଲା ପୋଲିସ।   ହେଲେ ଏପର୍ଯ୍ୟନ୍ତ ଘୁନୁରୁ ମହାରଣା, ବାବୁ ମହାରଣା ଓ ସୁକୁଟା ବେହେରା ପୋଲିସ ଆଖିରେ ଧୂଳି ଦେଇ ଫେରାର ଅଛନ୍ତି।   ତେବେ ଏମାନଙ୍କୁ ଗିରଫ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରେ ତଲାସି ଅଭିଯାନ ଚାଲିଛି।   ସେପଟେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି  ସୂଚନା ଦେଇଛି ପୋଲିସ।