ଅଜିତ ପାୱାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସିଙ୍ଘବୀ

ଆଜି ସକାଳେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ରାଜ୍ୟରେ ସରକାର ଗଢିବା ପାଇଁ ଯୋଜନା କରିଥିଲା । ୩ ଦଳର ନେତାଙ୍କ ମଧ୍ୟରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସହମତି ହୋଇଯାଇଥିଲା । ଚର୍ଚ୍ଚା ଥିଲା ଆଜି ସକାଳେ ୩ ଦଳର ନେତା ମିଶି ରାଜ୍ୟପାଳଙ୍କ ନିକଟରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବେ । 

ଅଜିତ ପାୱାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସିଙ୍ଘବୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖା ଦେଇଛି । ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ସେହିପରି ଏନସିପି ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ।  ଶନିବାର ସକାଳ ପ୍ରାୟ ୮ରେ ରାଜଭବନରେ ରାଜ୍ୟପାଳ ବିଏସ ଖୋଶୟାରୀ ଦୁଇ ନେତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । 

ଅନ୍ୟପକ୍ଷେ ଆଜି ସକାଳେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ରାଜ୍ୟରେ ସରକାର ଗଢିବା ପାଇଁ ଯୋଜନା କରିଥିଲା । ୩ ଦଳର ନେତାଙ୍କ ମଧ୍ୟରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସହମତି ହୋଇଯାଇଥିଲା । ଚର୍ଚ୍ଚା ଥିଲା ଆଜି ସକାଳେ ୩ ଦଳର ନେତା ମିଶି ରାଜ୍ୟପାଳଙ୍କ ନିକଟରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିବେ । କିନ୍ତୁ ଏହା ମଧ୍ୟରେ ଫଡନାଭିସ ପୁଣିଥରେ ସିଏମ ହୋଇ ଯାଇଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ ହଠାତ ବିରାଟ ପରିବର୍ତ୍ତନକୁ ଦେଖି କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘବୀ ଇଙ୍ଗିତରେ ଅଜିତ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କିଛି ମାସ ପୂର୍ବେ ୨୫୦୦୦ କୋଟି ଟଙ୍କାର କଥିତ ଅର୍ଥ ହେରଫେର ମାମଲାରେ ଅଜିତ ପାୱାରଙ୍କ ବିରୋଧରେ କେସ ରୁଜୁ କରିଥିଲା । ଏହି ମାମଲାକୁ ବନ୍ଦ କରିବାର ସହଜ ଉପାୟ ହେଉଛି ଏହା । ସେପଟେ କଂଗ୍ରେସ କହିଛି ଯେ ସରକାର ଗଢିବା ପାଇଁ ନିୟମର ପାଳନ କରାଯାଇ ନାହିଁ । ସମର୍ଥନର ଭେରିଫିକେଶନ ମଧ୍ୟ କରାଯାଇ ନାହିଁ । ଆମ ଦଳର ବିଧାୟକ ମଜଭୁତ ଅଛନ୍ତି । ଆମେ ବିଜେପିକୁ ହରାଇବା ପାଇଁ ଦୃଢ଼ତା ସହ ପ୍ରସ୍ତୁତ ଅଛୁ ।