ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ନିରାଶ
Advertisement

ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ନିରାଶ

ଭିନ୍ନଭିନ୍ନ ସମୟରେ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ

 ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ନିରାଶ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କୁ ପୁଣି ଝଟକା। ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା ଯାଚିକାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କେନ୍ଦ୍ର ସରକାର ଯାଚିକାରେ ନିର୍ଭୟା ଦୋଷୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଫାଶୀ ଦେବାକୁ ଅନୁରୋଧ କରିଥିଲେ। ଯାହାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହା ସହିତ ତଳ କୋର୍ଟର ନିର୍ଦ୍ଦେଶକୁ ଖାରଜ କରିବାକୁ ମଧ୍ୟ ମନା କରିଦେଇଛନ୍ତି ହାଇକୋର୍ଟର ଜଷ୍ଟିସ ସୁରେଶ କୁମାର। ତେବେ ଏହି ଶୁଣାଣି ସମୟରେ ନିର୍ଭୟାଙ୍କ ମାତା ପିତା ମଧ୍ୟ ଉପସ୍ଥିତ ରହିଥିବାବ ଜଣାପଡ଼ିଛି। 

ଅଧିକ ପଢନ୍ତୁ: ରାଜନୀତି ନିଆଁରେ ନିର୍ଭୟା ଘିଅ

ହାଇକୋର୍ଟ କହିଛନ୍ତି କି, ଆମେ ପଟିଆଲା ହାଉସ କୋର୍ଟର ନିଷ୍ପତ୍ତି ସହିତ ସହମତି ହୋଇପାରୁ ନାହୁଁ। ମାତ୍ର ଆମକୁ ଏହା କହିବାକୁ ତିଳେମାତ୍ର କୁଣ୍ଠାବୋଧ କରିବୁ ନାହିଁ କି, ଦୋଷୀମାନେ ଏହି ମାମଲାକୁ ବହୁତ ଲମ୍ବା ଟାଣିଛନ୍ତି। ନ୍ୟାୟିକ ବ୍ୟବସ୍ଥାର ଫାଇଦା ଉଠାଇ ବାରମ୍ବାର ବଞ୍ଚିବାକୁ ପ୍ରୟାସ କରୁଛନ୍ତି। ଏପରିକି ପୁନର୍ବିଚାର ପ୍ରକ୍ରିୟା ମଧ୍ୟ ବହୁ ବିଳମ୍ବରେ ଆବେଦନ କରାଯାଉଥିବା ନେଇ ଜଷ୍ଟିସ ସୂଚନା ଦେଇଥିଲେ। 

ଜଷ୍ଟିସ ସୁରେଶ କୁମାର କହିଥିଲେ କି, ନିର୍ଭୟାଙ୍କ ସହିତ ଯାହା ସବୁ ଘଟିଛି ତାହା ନିଶ୍ଚିତ ପକ୍ଷେ ଅମାନବୀୟ ଘଟଣା। ଏହା ସହିତ ଯାଞ୍ଚ ପ୍ରକ୍ରିୟା ଓ ଏହି ମାମଲା ସହିତ ଜଡ଼ିତ ବିଭାଗର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ହାଇକୋର୍ଟ ଆହୁରି ମଧ୍ୟ କହିଥିଲେ କି, ୨୦୧୭ ମସିହାରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ଯାଚିକା ଖାରଜ କରିବା ସହିତ କୌଣସି ବିଭାଗ ଡେଥ ଓ୍ୱାରେଣ୍ଟ ଜାରି କରିବା ପାଇଁ ଦାବି କରିନଥିଲେ। ଯାହାର ଫାଇଦା ଦୋଷୀମାନେ ଉଠାଉଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। 

ଅଧିକ ପଢନ୍ତୁ: ବିଶ୍ୱରେ ଭାରତୀୟଙ୍କ ଦରମା ସର୍ବାଧିକ ବୃଦ୍ଧି

ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି କି, ଚାରି ଜଣ ଦୋଷୀଙ୍କୁ ଭିନ୍ନ ଭିନ୍ନ ସମୟରେ ଫାଶୀ ଦିଆଯାଇ ପାରିବ ନାହିଁ। ଜଣେ ଦୋଷୀଙ୍କର ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ପାଇଁ ଅନ୍ୟମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇପାରିବ ନାହିଁ। ଏହା ସହିତ ଦୋଷୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ସୂଚନା ଯୋଗ୍ୟ କେନ୍ଦ୍ର ସରକାର ନିର୍ଭୟା ଦୋଷୀମାନଙ୍କୁ ଯଥାଶୀଘ୍ର ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ ସୁରେଶ କୁମାର ଶନିବାର ଏବଂ ରବିବାର ମାମଲାର ଶୁଣାଣି କରି ରବିବାର ରାୟକୁ ସଂରକ୍ଷିତ ରଖିଥିଲେ। ସେପଟେ ନିର୍ଭୟାଙ୍କ ମାତାପିତାଙ୍କ ଓକିଲ ଜିତେନ୍ଦ୍ର ଝା କହିଛନ୍ତି କି, ଜଷ୍ଟିସ ଆଶ୍ୱାସନା ଦେଇ କହିଛନ୍ତି କି, ଖୁବଶୀଘ୍ର ସେମାନଙ୍କ ଆବେଦନକୁ ପାରିତ କରିବେ ଏବଂ ଡେଥ ଓ୍ୱାରେଣ୍ଟ ବାହାର କରିବେ।