ସଫଳ ଚାଷୀ ନିତ୍ୟାନନ୍ଦ ଲେଙ୍କା

ଟାଙ୍ଗରା ଜମିରେ କରିଛନ୍ତି ୨୮୭ କିସମର ଧାନଚାଷ

ସଫଳ ଚାଷୀ  ନିତ୍ୟାନନ୍ଦ ଲେଙ୍କା

ପି.କେ ପାଣିଗ୍ରାହୀ ​, ​ଜୟପୁର: ମନର ଦୃଢ଼ ଇଛା ଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଏହାର ଉଦାହରଣ ଦେଖିବାକୁ ମିଳିଛି ନେତ୍ରାନନ୍ଦ ଲେଙ୍କାଙ୍କ ପାଖରେ । ସେ  ଫରେଷ୍ଟ ରେଞ୍ଜର ଭାବେ ଚାକିରି କରିଥିଲେ । ଅବସର ପରେ ହୋଇପାରିଛନ୍ତି ଜଣେ ସଫଳ ଚାଷୀ । ଜୈବିକ ପଦ୍ଧତିରେ ଟାଙ୍ଗରା ଜମିରେ ୨୮୭ ପ୍ରକାର ଦେଶୀ ଧାନ ଚାଷ କରିଛନ୍ତି । ଏଥିସହ ୫୫ ଟି ଗାଈ ପାଳନ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ।  

ପୁଣିଥରେ ଚର୍ଚ୍ଚାରେ  କୋରାପୁଟ ଜିଲ୍ଲାର ପାତ୍ରପୁଟ ଗାଁ । ଜଣାଶୁଣା ଧାନ ଗବେଷିକା ପଦ୍ମଶ୍ରୀ କମଳା ପୂଜାରୀ ପରେ ଏହି ଗାଁ ର ଆଉ ଜଣେ ଧାନ ଚାଷୀ  ଚର୍ଚ୍ଚାରେ । ଏହି ଧାନ ଚାଷୀ ହେଉଛନ୍ତି ଅବସର ପ୍ରାପ୍ତ ଫରେଷ୍ଟ ରେଞ୍ଜର ନେତ୍ରାନନ୍ଦ ଲେଙ୍କା । ବୃକ୍ଷଲତାକୁ ଭଲପାଉଥିବା  ନେତ୍ରାନନ୍ଦଙ୍କ  ଗଛର  ଯତ୍ନ ନେବାରେ ରହିଛି ଆଗ୍ରହ । ଯେଉଁ ଡଙ୍ଗରରେ ଦିନେ ଘାସ ଉଠୁ ନଥିଲା ସେଠାରେ ଫଳାଇଛନ୍ତି  ସୁନାର ଫସଲ । ନିଜର ଉଦ୍ୟମରେ ପ୍ରାୟ ୪ ଏକର ଜମିରେ ପାଣି ମଡ଼େଇ ଚାଷ ଉପଯୋଗୀ କରିବା ସହ ପାଖାପାଖି ୨୮୭ ପ୍ରକାର ଧାନ ଚାଷ କରିଛନ୍ତି । ୧୯୭୧ ରେ  ଫରେଷ୍ଟ ରେଞ୍ଜର ଭାବରେ ଚାକିରି କରିଥିଲେ ନେତ୍ରାନନ୍ଦ ।   ୨୦୦୮ରେ ଚାକିରିରୁ ନେଇଥିଲେ ଅବସର । ଅବସର ପରେ ୨୦୧୦ରୁ  ଆରମ୍ଭ କରିଥିଲେ  ଚାଷ କାର୍ଯ୍ୟ । ଆସାମ ଚୁଡ଼ି, ଉମୂରିଆ ଚୁଡ଼ି, ମହୁରୀ, କଳାବତୀ, ହାଣ୍ଡିଶାଳ, ମଲାଗଣ୍ଡା, ସମୁଦ୍ରବାଲି, ମଲାଗଣ୍ଡା, କଳାଜୀରା, କାହ୍ନୁ, କଳାମାଳୀ, ଷୋରିଷ ରାଣୀ ଆଦି ୨୮୭ କିସମର  ଧାନ ଚାଷ କରୁଛନ୍ତି ନେତ୍ରାନନ୍ଦ ଲେଙ୍କା । ଏହା ବ୍ୟତୀତ ୪ଏକର ରେ ଜମିରେ ବାଉଁଶ ଚାଷ କରି ସେଥିରୁ ବାର୍ଷିକ ୨ଲକ୍ଷ ଟଙ୍କା ଲାଭ ପାଉଛନ୍ତି । ଚାଷ କାମରେ  ନେତ୍ରାନନ୍ଦଙ୍କୁ  ସହଯୋଗ କରୁଛନ୍ତି  ତାଙ୍କ ପତ୍ନୀ ।
 

ନେତ୍ରାନନ୍ଦ କେବଳ ଧାନ ଚାଷ କରୁଛନ୍ତି  ତାହା ନୁହଁ  ୫୫ ଟି ଦେଶୀ ଓ ବିଦେଶୀ  ଗାଈ  ପାଳନ କରିଛନ୍ତି । ଦୈନିକ  ୧୨୦ ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି ସେ । ଗାଈ ଦେଉଥିବା  ଗୋବରରୁ  ଖତ ପ୍ରସ୍ତୁତ କରି ଜମି ରେ ପ୍ରୟୋଗ କରୁଛନ୍ତି । ଏଥି ସହଜମିରେ ବ୍ୟବହାର କରିବା ପାଇଁ ଜୈବିକ ଉପାୟରେ  ଜିଆ ଖତ ମଧ୍ୟ ନିଜେ ପ୍ରସ୍ତୁତ କରୁଛନ୍ତି ।  ଜିଆ ଉତ୍ପାଦନ ପାଇଁ ତାଙ୍କୁ  ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ୨୦୦୯- ୧୦ ଆର୍ଥିକ ବର୍ଷରେ ୫୫ ହଜାରଟଙ୍କା ଆର୍ଥିକ ସାହାୟତା ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରି ଲାଭବାନ ହେଉଛନ୍ତି ସେ । ତାଙ୍କର ଏପରି ପ୍ରୟାସ ପାଇଁ ତାଙ୍କୁ  ରାଜ୍ୟ ସରକାରଙ୍କ କୃଷି  ବିଭାଗ ଦ୍ୱାରା ବହୁ ସମ୍ମାନରେ  ସମ୍ମାନିତ କରାଯାଇଛି ।  ଏଥିସହ  ଝାରଖଣ୍ଡ, ରାଞ୍ଚି,ଆସାମରେ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି । ଗତ ବର୍ଷ ତାଙ୍କୁ କୋରାପୁଟ ରେ ତାଙ୍କୁ ବେଷ୍ଟ ଫାର୍ମର ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ପରିଣତ ବୟସରେ ନେତ୍ରାନନ୍ଦ ବାବୁ ଙ୍କ ଏଭଳି ଉଦ୍ୟମ କୁ ସାରା ଜିଲ୍ଲାବାସୀ ପ୍ରଶଂସା  କରିଛନ୍ତି।ଏଥିସହ ଯୁବ ଚାଷୀ ଓ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି  ନେତ୍ରା ନନ୍ଦ।