ପଦନୀପାଳ ଦୀପାଞ୍ଚଳବାସୀଙ୍କ ଦୁଃଖ

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ପଦନୀପାଳ ଦୀପାଞ୍ଚଳବାସୀଙ୍କ ଦୁଃଖ  । ଏହି ଦୀପାଞ୍ଚଳରେ ପଦନୀପାଳ, କଳମଡ଼ା ଶାସନ ଓ ଦଇତାରୀପୁର ଭଳି ତିନିଟି ଗାଁର ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ବସବାସ କରନ୍ତି । 

ପଦନୀପାଳ ଦୀପାଞ୍ଚଳବାସୀଙ୍କ ଦୁଃଖ
ଫାଇଲ ଫଟୋ

କେନ୍ଦ୍ରାପଡା: ଚାରିପଟୁ ଗାଁକୁ ଘେରି ରହିଛି ନଦୀ । ଗାଁରୁ ବାହାରିବାକୁ ହେଲେ ବର୍ଷ ତମାମ ଡଙ୍ଗା ଉପରେ ନିର୍ଭର କରିବାକୁ ପଡ଼େ । ଗ୍ରାମବାସୀମାନେ କାଣୀ ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ୨୦୦୦ ମସିହାରୁ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ କେତେ ନେହୁରା ହେଲେଣି  । କିନ୍ତୁ ପୋଲଟିଏ ଏପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିଲା ନାହିଁ ।  ରୋଗୀଟିଏ ମେଡିକାଲ ଯିବା ପାଇଁ ଏଠି ଶିକା ଭାର ଉପରେ ନିର୍ଭର କରିବାକୁ ପଡ଼ିଥାଏ  । ସେହିପରି ଯୋଗାଯୋଗ ଅଭାବରୁ ଏଠାରେ ପୁଅ କିମ୍ୱା ଝିଅଙ୍କର ବାହାଘର ମଧ୍ୟ ସହଜରେ ହୋଇପାରେ ନାହିଁ ।

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ପଦନୀପାଳ ଦୀପାଞ୍ଚଳବାସୀଙ୍କ ଦୁଃଖ  । ଏହି ଦୀପାଞ୍ଚଳରେ ପଦନୀପାଳ, କଳମଡ଼ା ଶାସନ ଓ ଦଇତାରୀପୁର ଭଳି ତିନିଟି ଗାଁର ପ୍ରାୟ ୧୫ ହଜାରରୁ ଅଧିକ ଲୋକେ ବସବାସ କରନ୍ତି । କାଣୀ ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ନେହୁରା ହୋଇ ଥକିଗଲା ପରେ ଏକଜୁଟ୍ ହୋଇଛନ୍ତି ତିନି ଗ୍ରାମର ଲୋକେ । ଆଉ ନିର୍ମାଣ କରୁଛନ୍ତି ନଦୀ ଉପରେ ମାଟି ରାସ୍ତା  । ଗାଁକୁ ଚାରି ପଟୁ ନଦୀ ଘେରି ରହିଥିବାରୁ ଲୋକମାନେ ଘରୁ ବାହାରିଲେ ଡଙ୍ଗା ଉପରେ ଭରସା କରିବା ପାଇଁ ପଡ଼େ । ସେଥିପାଇଁ କାଣୀ ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ୨୦୦୦ ମସିହାରୁ ସଂଘର୍ଷ ଆରମ୍ଭ ହୋଇଛି । 

୨୦୦୩ ମସିହାରେ ଅଞ୍ଚଳବାସୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପରେ ୨୦୦୬ ମସିହାରେ ପୋଲ ନିର୍ମାଣ କରିବାକୁ ଟେଣ୍ଡର ହୋଇଥିଲା । କିନ୍ତୁ କୌଣସି ଠିକା ସଂସ୍ଥା ଟେଣ୍ଡର ନ ପକାଇବାରୁ ୨୦୧୨ ମସିହାରେ ପୁନର୍ବାର ରି-ଟେଣ୍ଡର କରାଯିବା ସହ କୋଲକାତାର ଏକ ଠିକାସଂସ୍ଥା ପୋଲ ନିର୍ମାଣ କରିବାକୁ ୫୭ କୋଟିରୁ ଅଧିକ ଟଙ୍କାରେ ଟେଣ୍ଡର ନେଇଥିଲେ । ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ । ତେଣୁ, ପ୍ରଶାସନ ଉପରୁ ଭରସା ହରାଇ ତିନିଟି ଗାଁର ଲୋକେ ଏକାଠି ହୋଇ ଚାନ୍ଦା ଆଦାୟ କରି ନିଜର ଶ୍ରମଦାନ କରି ନିର୍ମାଣ କରୁଛନ୍ତି ମାଟି ରାସ୍ତା ।

ନିର୍ବାଚନ ଆସିଲେ ଅନେକ ନେତା ମନ୍ତ୍ରୀଙ୍କ ପାଦ ଏଠି ପଡ଼େ । ଦୀପାଚଞ୍ଚଳବାସୀଙ୍କୁ ମୁଠା ମୁଠା ପ୍ରତିଶ୍ରୁତି ମଧ୍ୟ ମିଳେ । କିନ୍ତୁ ନିର୍ବାଚନ ସରିଗଲେ ପୁଣି ଥରେ ଭାଗ୍ୟକୁ ନିନ୍ଦି ଜିଇଁବାକୁ ପଡ଼େ ଏହି ଦୀପାଞ୍ଚବାସୀଙ୍କୁ । ଗାଁରେ କାହାର ଦେହ ଖରାପ ହେଲେ ଡାକ୍ତର ଖାନା ଯିବା ପାଇଁ ଶିକା ଭାର ହିଁ ଭରସା । ଗର୍ଭବତୀଙ୍କ କଥା ନକହିବା ଭଲ । ସବୁଠାରୁ ବଡ କଥା, ଏହି ୩ ଗାଁର ପୁଅ ବା ଝିଅମାନେ ସହଜରେ ବିବାହ କରିପାରନ୍ତି ନାହିଁ । ସ୍ୱାଧୀନତାର ଏତେ ବର୍ଷ ପରେ ବି ନାନା ସମସ୍ୟାରେ ଏହି ଦିପାଞ୍ଚଳ ବାସୀ ଦିନ କାଟୁଥିବା ବେଳେ ପୋଲ ନିର୍ମାଣ ପାଇଁ ଜୀବନ ଥିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଣି ଥରେ ପ୍ରତିଶ୍ରୁତିର ପାହାଡ଼ ଉପରେ ଠିଆ ହୋଇ ଲୋକଙ୍କ ଦୁଃଖ ଦୂର କରିବାକୁ କହିଛନ୍ତି ଜିଲ୍ଲାପାଳ ।