ନିରୋଜ ସତପଥୀ, କୋରାପୁଟ: ଏମିତି ବି ଗାଁ ଅଛି ଯେଉଁଠି ସରକାରୀ ଯୋଜନା ଅପହଞ୍ଚ । ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସବୁ ଏଠି ଫେଲ । ସ୍ୱଛ ଭାରତ କଥା ନ କହିବା ଭଲ । ଶୌଚାଳୟ ଟିଏ ମଧ୍ୟ ଏହି ଗାଁର କାହାକୁ ଦିଆ ଯାଇନାହିଁ । ନା ଅଛି ଅଙ୍ଗନୱାଡି କେନ୍ଦ୍ର ନାଁ ଅଛି ବିଦ୍ୟାଳୟ । ଏହିପରି ଦୟନୀୟ ସ୍ଥିତିରେ ରହୁଛନ୍ତି ପଟାଙ୍ଗି ବ୍ଲକର ମାଡବାଲସା ଗାଁ ଲୋକେ ।
ବର୍ତ୍ତମାନ ଯାଏ ଏହି ଗାଁରେ ମୌଳିକ ସୁବିଧା ଅପହଞ୍ଚ । ଏହି ଗାଁରେ ରାସ୍ତା ନାହିଁ । ଏହାସହ ଆବାସ ଯୋଜାନର ଫେଲ ମାରିଛି । ନାହିଁ ନାହିଁରେ ଦିନ କାଟୁଛନ୍ତି ଲୋକେ । ତେଣୁ ପ୍ରଶାସନକୁ ଗାଁ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ।ଏହି ଗାଁରେ ୩୦ ପରିବାର ବସବାସ କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ଓ ପାହାଡିଆ ଚାଷ ଉପରେ ଏଠାକାର ଲୋକେ ନିର୍ଭର କରିଥାଆନ୍ତି । ଗାଁକୁ ସରକାରୀ ଯୋଜନା ପହଞ୍ଚି ପାରି ନାହିଁ ।
ଗତ ମାସରେ ହୋଇଥିବା ବର୍ଷା ପବନରେ ଲୋକଙ୍କ ଘରର କାନ୍ଥ ନଇଁ ପଡିଛି । ନଇଁଥିବା କାନ୍ଥରେ ଲୋକେ କାଠ ଗଣ୍ଡି ଭରା ଦେଇ ବିପଦ ପୂର୍ଣ୍ଣ ଭାବେ ରହୁଛନ୍ତି । ସବୁ ଜାଣି ପ୍ରଶାସନ ଚୁପ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ୨ଶହରୁ ଅଧିକ ଲୋକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ନଳକୂପ ।
ପରିମଳ ଯୋଜନା ଗାଁରେ ସମ୍ପୂର୍ଣ୍ଣ ଫେଲ ମାରିଛି । ଲୋକେ ଶୌଚ ପାଇଁ ବାହାରକୁ ଯାଉଛନ୍ତି । ଗାଁରେ ଅଙ୍ଗନୱାଡି ନାହିଁ କି ବିଦ୍ୟାଳୟ ବି ନାହିଁ । ଫଳରେ ଗାଁ ପିଲା ପଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ସ୍ୱାସ୍ଥ୍ୟ ସେବା । ଚିକିତ୍ସା ପାଇଁ ଦୀର୍ଘ ୧୦ କିଲୋମିଟର ଦୂରରେ ଥିବା ପଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ଯାଉଛନ୍ତି ଗ୍ରାମବାସୀ । ଗାଁରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପଟାଙ୍ଗି ବିଡିଓ କହିଛନ୍ତି । କେବଳ ମାଡବାଲସା ଗାଁ ନୁହେଁ ଜିଲ୍ଲାର ଅନେକ ଗାଁରେ ମୌଳିକ ସୁବିଧା ଅପହଞ୍ଚ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।