ବର୍ତ୍ତମାନ ପରିସ୍ଥିତିରେ କିଛି କୋହଳ କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
Trending Photos
)
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଲକଡାଉନ୍ କଟକଣାରେ କିଛିଟା କୋହଳ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କିଛି କ୍ଷେତ୍ରରେ ହିଁ ଏହାକୁ କୋହଳ କରାଯିବ । ତେବେ ଦିଲ୍ଲୀରେ ପୂର୍ବ ଭଳି ବଳବତ୍ତର ରହିବ ଲକଡାଉନ୍ । ବର୍ତ୍ତମାନ ପରିସ୍ଥିତିରେ କିଛି କୋହଳ କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଗତ ମାସେ ଦେଢ଼ ମାସ ମଧ୍ୟରେ ବିଦେଶରୁ ଅନେକ ଲୋକ ଦିଲ୍ଲୀ ଆସିଥିଲେ । କାହିଁକିନା ଏହା ଦେଶର ରାଜଧାନୀ । ତେଣୁ ଦିଲ୍ଲୀକୁ ସବୁଠୁ ଅଧିକ କଷ୍ଟ ସହିବାକୁ ପଡ଼ୁଛି । ଆଉ ଏଭଳି ସ୍ଥିତିରେ ଯଦି ଲକଡାଉନ୍ କଟକଣାରେ କୋହଳ କରାଯାଏ, ତେବେ ଆଗକୁ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି । ଯଦି ଏପରି ହୁଏ, ମୁଁ ନିଜକୁ କ୍ଷମା କରିପାରିବି ନାହିଁ । ତେଣୁ ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଆମେ ଲକଡାଉନ୍ କଟକଣାରେ କୋହଳ ନ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଗୋଟିଏ ସପ୍ତାହ ପରେ ପୁଣି ଥରେ ସ୍ଥିତି ସମୀକ୍ଷା କରାଯିବ ।''
We have decided to keep people of Delhi safe, the lockdown will remain there will be no relaxation. Will review again after a week: Delhi CM Arvind Kejriwal pic.twitter.com/JQf8NwTG0b
— ANI (@ANI) April 19, 2020
କହିରଖୁଛୁ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୪ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୧୨ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ସହ ୫୦୭ ଛୁଇଁଛି କୋରୋନା ମୃତ୍ୟୁସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଯଦି ଦିଲ୍ଲୀ କଥା ଦେଖିବା, ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୭ ରହିଛି । ସେହିପରି ୪୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।